ଜାହାଜ ଓ ଟ୍ରଲର ପାଇଁ କାଳ ପାଲଟିଛି ଅଧାବୁଡ଼ା ବ୍ଲାକ୍ରୋଜ୍
ପାରାଦୀପ : ୨୦୦୯ ସେପ୍ଟେମ୍ବର ୯ତାରିଖ। ଚାଇନାକୁ ଲୁହାପଥର ରପ୍ତାନୀ ପାଇଁ ପାରାଦୀପ ଆସି ବୁଡ଼ିଗଲା ବ୍ଲାକରୋଜ୍। କୂଳ ଠାରୁ ପ୍ରାୟ ୪ କିଲୋମିଟର ଦୂରରେ ଜାହାଜ ଯେଉଁଠି ଥିଲା, ଆଜି ବି ସେଇଠି ଅଛି। ସମୁଦ୍ର ବାଲିରେ ପୋତି ହୋଇ ଏବେ ୧୫ ପ୍ରତିଶତ ଉପରକୁ ଦେଖାଯାଉଛି, ୮୫ ପ୍ରତିଶତ ବୁଡ଼ିଯାଇଛି ବ୍ଲାକ୍ରୋଜ। ଅନ୍ୟପକ୍ଷରେ ଏବେ ମତ୍ସଜୀବୀଙ୍କ ପାଇଁ ଭୟଙ୍କର ବିପଦ ପାଲଟିଛି ଏହି ଜାହାଜ। ପ୍ରତିକୂଳ ପାଗକୁ ଦେଖି ଦ୍ରୁତଗତିରେ ଟ୍ରଲର୍ ଧରି କୂଳକୁ ଫେରିବାବେଳେ ଜାହାଜ ସହ ପିଟି ହୋଇଯିବାର ଆଶଙ୍କା ଘାରିଛି ମତ୍ସଜୀବୀଙ୍କୁ। କାରଣ ଜାହାଜ ବୁଡ଼ି ସ୍ଥାନରେ କୌଣସି ଆଲୋକ ଜଳୁନାହିଁ। ଏପଟେ ଦୀର୍ଘ ବର୍ଷ ହେଲାଣି ବଇଁଆ ବି ଅଚଳ ହୋଇପଡ଼ିଛି।
ଦୁର୍ଘଟଣାଗ୍ରସ୍ତ ଏହି ବ୍ଲାକରୋଜ୍ ଯେ ଖାଲି ମତ୍ସ୍ୟଜୀବୀଙ୍କ ପାଇଁ ବିପଦ ପାଲଟିଛି ତା ନୁହେଁ। ସାମୁଦ୍ରିକ ଜୀବ ଏବଂ ପରିବେଶ ଉପରେ ମଧ୍ୟ ପ୍ରଭାବ ପକାଉଛି। କାରଣ ଜାହାଜରେ ସେ ସମୟରେ ଲୋଡ୍ ହୋଇଥିବା ୨୩ ହଜାରରୁ ଅଧିକ ଟନ୍ ଲୁହାପଥର ପାଣି ଭିତରେ ବୁଡ଼ିଯାଇଛି। ଫଳରେ ଜଳ ପ୍ରଦୂଷିତ ହେବା ସହ ବିରଳ ଛୋଟ ଜୀବ ଗୁଡ଼ିକ ମୃତ୍ୟୁମୁଖରେ ପଡୁଥିବା ଆଶଙ୍କା କରାଯାଉଛି। ପୂର୍ବରୁ ପାରାଦୀପ ବନ୍ଦର ପକ୍ଷରୁ କୋଟି କୋଟି ଟଙ୍କା ଖର୍ଚ୍ଚ କରି ଜାହାଜରୁ ତେଲ କଢ଼ାଯାଇଥିଲା। କିନ୍ତୁ ବର୍ତ୍ତମାନ ସୁଦ୍ଧା ଏହି ଜାହାଜକୁ ଅପସାରଣ ପାଇଁ କୌଣସି ପଦକ୍ଷେପ ନିଆଯାଇନାହିଁ। ସେପଟେ ଏହି ଘଟଣାରେ ଉପର ନିର୍ଦ୍ଦେଶ ଅପେକ୍ଷାରେ ଥିବା କହିଛନ୍ତି ବନ୍ଦର କର୍ତ୍ତୃପକ୍ଷ।
ଆଗକୁ ବ୍ଲାକରୋଜ୍ କେଳେଙ୍କାରୀର ତଦନ୍ତ ସିବିଆଇ କରିବ। ତେଣୁ ତଦନ୍ତ ସରିବା ପରେ ଏହି ବ୍ଲାକରୋଜକୁ ଅପସାରଣ କରାଯିବ ନା ଅପସାରଣ ବାବଦକୁ ହେବାକୁ ଥିବା ଖର୍ଚ୍ଚକୁ ନେଇ କେନ୍ଦ୍ର ଓ ରାଜ୍ୟ ମଧ୍ୟରେ ଆଉ ଏକ ବିବାଦ ଉପୁଜିବ, ତାକୁ ଏବେ ଅପେକ୍ଷା।