ରଥଖଳାରେ କରୋନା; ୩ ମହାରଣାଙ୍କ ସମେତ ୮ କୋଭିଡ୍ ପଜିଟିଭ

ପୁରୀ: ରଥ ଖଳାରେ ପଶି ମହାମାରୀ କରୋନା। ଅକ୍ଷୟ ତୃତୀୟଠାରୁ ରଥଯାତ୍ରା ପାଇଁ ମହାପ୍ରଭୁଙ୍କ ରଥ ନିର୍ମାଣ ଆରମ୍ଭ ହୋଇଛି। ହେଲେ ବାଧକ ସାଜିଲାଣି କରୋନା।  ରଥ ନିର୍ମାଣରେ ନିୟୋଜିତ ୩ ମହାରଣା କୋଭିଡ୍ ପଜିଟିଭ ଚିହ୍ନଟ ହୋଇଛନ୍ତି । ଏଥି ସହିତ ୫ ଜଣ ଭୋଇ ସେବକ ମଧ୍ୟ କୋଭିଡ୍ ପଜିଟିଭ ଥିବା ସୂଚନା ମିଳିଛି। ।

କରୋନାର ଦ୍ୱିତୀୟ ଲହରରେ ପୁରୀ ଜିଲ୍ଲା ପ୍ରଭାବିତ ହୋଇଛି।  ୨ୟ ୱେଭରେ  ମହାପ୍ରଭୁଙ୍କ ୨ ସେବାୟତ ଓ ୨ ପରିବାର ସଦସ୍ୟଙ୍କ ମୃତ୍ୟୁ ମଧ୍ୟ  ଘଟିଲାଣି । ଏଥିସହିତ ଜଣେ JTPଙ୍କର ସଂକ୍ରମଣରେ ମୃତ୍ୟୁ ନେଇ ଉନ୍ନୟନ ପ୍ରଶାସକଙ୍କ ସୂଚନା ଦେଇଛନ୍ତି।

ଏଠି କହିରଖିବୁ, ରଥ ନିର୍ମାଣରେ ନିୟୋଜିତ ସମସ୍ତ  ସେବାୟତଙ୍କୁ ଟେଷ୍ଟିଙ୍ଗ, ଟିକାକରଣ ଓ ଏନ୍ 95 ମାସ୍କ ଦିଆଯାଇ ରଥ ନିର୍ମାଣ କାର୍ଯ୍ୟ କରାଯିବାକୁ ପ୍ରଶାସନ ନିଷ୍ପତ୍ତି ନେଇଛି l ୮୮ ଜଣ ରଥ ସେବାୟତ ମଧ୍ୟରୁ ୮ ଜଣ କୋଭିଡ ଆକ୍ରାନ୍ତ ଜଣାପଡିବା ପରେ ସେମାନଙ୍କୁ ଚିକିତ୍ସା ବ୍ୟବସ୍ଥା କରାଯାଇଛି।   ରଥ ନିର୍ମାଣ କାର୍ଯ୍ୟ ଅନ୍ୟ ସେବାୟତଙ୍କ ଦ୍ୱାରା ଜାରି ରହିଛି l ରଥଖଳା ପ୍ରବେଶ ଉପରେ କଡା କଟକଣା ଲଗାଯିବା ସହ ପ୍ରତ୍ୟେକ ଦିନ ରଥ କାମର ଜିଲ୍ଲାପାଳ ସମୀକ୍ଷା କରି ସୂଚନା ଦେବେ ବୋଲି କହିଛନ୍ତି ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ। ଆଜି ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକଙ୍କ ଅଧକ୍ଷତାରେ ଅନୁଷ୍ଠିତ ଏକ ସମୀକ୍ଷା ବୈଠକରେ ଜିଲ୍ଲାପାଳ, ବିଶ୍ୱକର୍ମା,ଭୋଇ ଓ କମାର ସେବାୟତ ଆଲୋଚନାରେ ସାମିଲ ହୋଇ ଏପରି ନିଷ୍ପତ୍ତି ନେଇଛନ୍ତି।

ସୂଚନାଥାଉ କି, ପୁରୀ ଜିଲ୍ଲାରେ ଭୟାବହ ହେଲାଣି କରୋନା ସଂକ୍ରମଣ। ଜିଲ୍ଲାରେ ଦୈନିକ ସଂକ୍ରମଣ ହାର ୩୦୦ରୁ ଉପରେ ରହୁଥିବାବେଳେ ଆଜି ୪୨୪ ରହିଛି। ୧୯ ତାରିଖ ଜିଲ୍ଲାରେ ଦୈନିକ ସଂକ୍ରମଣ ୩୫୬ ଥିବାବେଳେ ୧୮ ତାରିଖ ୪୭୨ ଥିଲା। ସେହିପରି ଜିଲ୍ଲାରେ ମୃତ୍ୟୁ ସଂଖ୍ୟା ୧୪୫ରେ ପହଞ୍ଚିଛି ।

ଆଜି ରାଜ୍ୟରେ  ୨୫ ଜଣଙ୍କ ଜୀବନ ନେଇଛି ମହାମାରୀ କରୋନା। ପୁରୀରୁ ମଧ୍ୟ ଜଣଙ୍କର ଜୀବନ ନେଇଛି କରୋନା।  ସେହିପରି ଆଜି ବି ରାଜ୍ୟରେ ୨୪ ଘଣ୍ଟାରେ ୧୧ ହଜାର ୪୯୮ ନୂଆ ସଂକ୍ରମିତ ଚିହ୍ନଟ ହୋଇଛନ୍ତି ।

You might also like