ଟିକା ନେବା ପରେ ଦେଖାଦେଲା ସାଇଡ୍ ଇଫେକ୍ଟ !

ନୂଆଦିଲ୍ଲୀ: ଦେଶରେ ଦୁଇ ଦିନ ମଧ୍ୟରେ ୨ଲକ୍ଷରୁ ଅଧିକ ଜଣଙ୍କୁ କରୋନା ଟିକା ଦିଆଯାଇଛି ଏହାମଧ୍ୟରୁ ୪୪୭ ଜଣଙ୍କଠାରେ ଟିକାର ପ୍ରତିକୂଳ ପ୍ରଭାବ ଦେଖିବାକୁ ମିଳିଥିବା ସ୍ୱାସ୍ଥ୍ୟ ମନ୍ତ୍ରାଳୟ ପକ୍ଷରୁ ସୂଚନା ଦିଆଯାଇଛି। ତେବେ ଗୁରୁତ୍ୱପୂର୍ଣ୍ଣ କଥା ହେଉଛି ଯେ, ଏହି ୪୪୭ ଜଣଙ୍କ ମଧ୍ୟରୁ କେବଳ ୩ ଜଣଙ୍କୁ ଟିକା ଦିଆଯିବା ପରେ ଚିକିତ୍ସା ପାଇଁ ହସପିଟାଲରେ ଭର୍ତ୍ତି କରିବାକୁ ପଡିଛି। ସ୍ୱାସ୍ଥ୍ୟ ମନ୍ତ୍ରାଳୟ ଅତିରିକ୍ତ ସଚିବ ମନୋହର ଅଗନାନୀ ଗଣମାଧ୍ୟମକୁ ସୂଚନା ଦେଇ କହିଛନ୍ତି ଯେ, ସାରା ଦେଶରେ ଦୁଇ ଦିନ ମଧ୍ୟରେ ୨ ଲକ୍ଷ୨୪ ହଜାର ୩୦୧ ଜଣଙ୍କୁ କରୋନା ଟିକା ଦିଆଯାଇଛି।

ଏମାନଙ୍କ ମଧ୍ୟରୁ ଟିକା ନେବା ପରେ ୪୪୭ ଜଣଙ୍କଠାରେ ସାମାନ୍ୟ ଜ୍ୱର ଏବଂ ମୁଣ୍ଡ ବଥା ଭଳି ପ୍ରତିକୂଳ ପ୍ରଭାବ ଦେଖିବାକୁ ମିଳିଛି। ଗତକାଲି ଦେଶବ୍ୟାପୀ ଟିକାକରଣ କରାଯାଇଥିବା ବେଳେ ଆଜି କେବଳ ୬ଟି ରାଜ୍ୟରେ ଟିକାକରଣ କରାଯାଇଥିଲା ଆଜି ୫୫୩ଟି ସେସନରେ ୧୭ ହଜାର ୭୧ ଜଣଙ୍କୁ ଟିକା ଦିଆଯାଇଛି।

ସେହିପରି ଓଡ଼ିଶାରେ ଶନିବାର ଟିକାକରଣର ପ୍ରଥମ ଦିନରେ ୧୩ ହଜାର ୯୮୦ ଜଣଙ୍କୁ ଟିକା ଦିଆଯାଇଥିଲା ଯାହାକି ଟାର୍ଗେଟ୍‌ର ୮୫ ପ୍ରତିଶତ ଥିଲା। ଆଜି ଭ୍ୟାକ୍ସିନେସନ୍ ବନ୍ଦ ରହିଥିବା ବେଳେ ଆସନ୍ତାକାଲିଠାରୁ ପୁଣି ଦିଆଯିବ ସଂଜୀବନୀ।

ତେବେ ପ୍ରଥମ ଦିନରେ ଟିକାକରଣ କାର୍ଯ୍ୟକ୍ରମ ନେଇ ସ୍ୱାସ୍ଥ୍ୟ ମନ୍ତ୍ରୀ ନବ ଦାସ ସୂଚନା ଦେଇଥିଲେ ଯେ ଆଜି ପ୍ରଥମ ଦିନରେ ସୁରୁଖୁରୁରେ ଟିକାଦାନ କାର୍ଯ୍ୟକ୍ରମ ସରିଛି। ଢେଙ୍କାନାଳ ଜିଲ୍ଲାର ଜଣେ ବ୍ୟକ୍ତିଙ୍କ ପାର୍ଶ୍ୱ ପ୍ରତିକ୍ରିୟା ଦେଖାଯାଇଥିଲା। ଏବେ ସଂପୃକ୍ତ ବ୍ୟକ୍ତିଙ୍କ ସ୍ୱାସ୍ଥ୍ୟାବସ୍ଥା ସ୍ଥିର ଥିବା ସ୍ୱାସ୍ଥ୍ୟ ମନ୍ତ୍ରୀ ସୂଚନା ଦେଇଛନ୍ତି। ରାଜ୍ୟରେ ଟିକାକରଣ ପାଇଁ ୩ ଲକ୍ଷ ୩୮ ହଜାର ପଞ୍ଜୀକୃତ ହୋଇଛନ୍ତି। ଆଗାମୀ ୧୦ ଦିନରେ ସମସ୍ତ ପଞ୍ଜୀକୃତଙ୍କୁ ଟିକା ଦିଆଯିବ। ୫୦ ବର୍ଷରୁ ଊର୍ଦ୍ଧ୍ୱ ଲୋକଙ୍କ ଟିକାକରଣ ସଂପର୍କରେ କେନ୍ଦ୍ର ସହ କଥା ସେ ହୋଇଛନ୍ତି। ତୁରନ୍ତ ନିର୍ଦ୍ଦେଶାବଳୀ ପ୍ରସ୍ତୁତ କରିବାକୁ ଦାବି କରିଛି ବୋଲି ସ୍ୱାସ୍ଥ୍ୟ ମନ୍ତ୍ରୀ କହିଛନ୍ତି।

ତେବେ କେନ୍ଦ୍ର କରିଥିବା ଗାଇଡ୍‌ଲାଇନ୍ ଅନୁସାରେ ପ୍ରତି ଟିକାକରଣ କେନ୍ଦ୍ରରେ ପ୍ରତୀକ୍ଷା କକ୍ଷ, ଟିକାକରଣ ରୁମ୍ ଓ ନିରୀକ୍ଷଣ ରୁମ୍ ରହିବ। ଟିକା ନେବା ପରେ କୌଣସି ପାର୍ଶ୍ୱ ପ୍ରତିକ୍ରିୟା ହେଉଛି କି ନାହିଁ ଜାଣିବା ପାଇଁ ହିତାଧିକାରୀଙ୍କୁ ଅଧଘଣ୍ଟା ଅପେକ୍ଷା କରିବାକୁ ପଡିବ। ସଂପୂର୍ଣ୍ଣ ପ୍ରକ୍ରିୟା ଶେଷ ହେବା ପରେ QR ବେସଡ୍ ସାର୍ଟିଫିକେଟ୍ ପ୍ରଦାନ କରାଯିବ।

ଆହୁରି ମଧ୍ୟ ପଢନ୍ତୁ :

ୱାର୍ଡ ବୟଙ୍କ ମୃତ୍ୟୁ, ମୃତ୍ୟୁର ୨୪ ଘଣ୍ଟା ପୂର୍ବରୁ ନେଇଥିଲେ କରୋନା‌ ଭ୍ୟାକ୍ସିନ୍‌

ସେପଟେ ଦ୍ୱିତୀୟ ପର୍ଯ୍ୟାୟ ଟିକାକରଣ ଲାଗି ଆରମ୍ଭ ହୋଇଛି ଡାଟାବେସ୍। ପ୍ରସ୍ତୁତି ପ୍ରଥମେ ଗୃହ, ନଗର ଉନ୍ନୟନ, ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ଭଳି ଜରୁରୀକାଳୀନ ବିଭାଗର କୋଭିଡ୍ ଯୋଦ୍ଧାମାନଙ୍କ ତାଲିକା ପ୍ରସ୍ତୁତ କରିବାକୁ ସ୍ୱାସ୍ଥ୍ୟ ବିଭାଗ ନିର୍ଦ୍ଦେଶ ଦେଇଛି। ଆସନ୍ତା ୨୫ ତାରିଖ ଭିତରେ ଏହି ତାଲିକା ଦେବାକୁ କୁହାଯାଇଛି। ଏହି ସଂଖ୍ୟା ପ୍ରାୟ ୫ଲକ୍ଷ ହୋଇପାରେ ବୋଲି ଆକଳନ କରାଯାଉଛି। ସେପଟେ ୫୦ ବର୍ଷରୁ ଅଧିକ ବୟସ୍କ ଓ ୫୦ ବର୍ଷରୁ କମ୍ କିନ୍ତୁ ଗମ୍ଭୀର ସ୍ୱାସ୍ଥ୍ୟ ସମସ୍ୟା ଥିବା ଲୋକଙ୍କର ତାଲିକା ବି ପ୍ରସ୍ତୁତ କରାଯିବ। ଦ୍ୱିତୀୟ ପର୍ଯ୍ୟାୟ ଟିକା ଆସିଲା ପରେ ସେମାନଙ୍କୁ ଦିଆଯିବ।

ଟିକାକରଣ ନେଇ ଲୋକଙ୍କ ମନରେ ଉଠୁଥିବା ପ୍ରଶ୍ନ ଓ ଦ୍ୱନ୍ଦ୍ୱ ଦୂର କରିବାକୁ ପ୍ରୟାସ କରିଛି ସ୍ୱାସ୍ଥ୍ୟ ବିଭାଗ। ଏକ ପ୍ରେସମିଟ୍‌ରେ ସୂଚନା ଦିଆଯାଇଛି ଯେ, ଗର୍ଭବତୀମାନେ ବି ଟିକା ନେଇପାରିବେ, କିନ୍ତୁ ଏଥିପାଇଁ ଡାକ୍ତରଙ୍କ ପରାମର୍ଶ ନେବାକୁ ପଡ଼ିବ। ୧୮ ବର୍ଷରୁ ଅଧିକ ବୟସ ହୋଇଥିଲେ ହିଁ ଟିକା ନେଇପାରିବେ ସ୍ୱାସ୍ଥ୍ୟକର୍ମୀମାନଙ୍କୁ କୋଭିଡ୍ ଟିକା ମାଗଣାରେ ଦିଆଯିବାକୁ ଥିବା ବେଳେ ସେମାନଙ୍କ ପରିବାର ସଦସ୍ୟଙ୍କୁ ଟିକା ଦେବାର ବ୍ୟବସ୍ଥା ବର୍ତ୍ତମାନ ନାହିଁ କିନ୍ତୁ ଅନ୍ୟ କୋଭିଡ୍ ଯୋଦ୍ଧା ଓ ବୟସ୍କମାନଙ୍କୁ ମାଗଣାରେ ଟିକା ଯୋଗାଇ ଦିଆଯିବ। କମ୍ ସମୟ ମଧ୍ୟରେ ଟିକା ଆସିଥିବାରୁ ତାକୁ ନେଇ ଯେଉଁ ପ୍ରଶ୍ନ ଉଠୁଛି ତାର ଉତ୍ତର ରଖିଛି ସ୍ୱାସ୍ଥ୍ୟ ବିଭାଗ। କୋଭିଡ୍ ଭ୍ୟାକସନ୍ ନିରାପଦ ଓ ଫଳପ୍ରଦ ଯଦିଓ ଟିକା ନେବା ବାଧ୍ୟତାମୂଳକ ନୁହେଁ କିନ୍ତୁ ଟିକା ନେବା ଉଚିତ୍ ବୋଲି କୁହାଯାଇଛି। ତେବେ ଅତି ଗୁରୁତର ରୋଗୀ ଓ ଯେଉଁମାନଙ୍କର ଟିକା ପ୍ରତି ଆଲର୍ଜି ରହିଛି ସେମାନଙ୍କୁ କୋଭିଡ୍ ଟିକା ଦିଆଯିବ ନାହିଁ।
You might also like