ଏଇ ସବୁ ରାଜ୍ୟରେ କମିଲା ତୈଳ ଦର

ନୂଆଦିଲ୍ଲୀ: ଗତ କିଛି ଦିନ ଧରି କ୍ରମାଗତଭାବେ ତୈଳଦର ବୃଦ୍ଧି ପାଇବା ପରେ ୨ ଦିନ ହେବ ଏଥିରେ ଲଗାମ ଲାଗିଛି। ଦେଶରେ ପେଟ୍ରୋଲ, ଡିଜେଲ ଦର ଆକାଶଛୁଆଁ ହୋଇଥିବାବେଳେ ଦୁଇଦିନ ହେଲା ଲୋକେ ସାମାନ୍ୟ ଆଶ୍ୱସ୍ତ ହୋଇଛନ୍ତି। ତୈଳ କମ୍ପାନୀ ସୋମବାର ମଧ୍ୟ ପେଟ୍ରୋଲ ଡିଜେଲ ଦର ଅପରିବର୍ତ୍ତିତ ରଖିଛନ୍ତି। ରାଜଧାନୀ ଦିଲ୍ଲୀରେ ଆଜି ପେଟ୍ରୋଲ ଦର ଲିଟର ପିଛା ୯୦.୫୮ ଟଙ୍କା ଥିବାବେଳେ ଡିଜେଲ ଦର ୮୦.୯୭ ଟଙ୍କା ରହିଛି।

ଶନିବାର ସୁଦ୍ଧା କ୍ରମାଗତ ୧୨ ଦିନ ଧରି ତୈଳଦର ବୃଦ୍ଧି ଘଟିବା ପରେ କେତେକ ସ୍ଥାନରେ ପେଟ୍ରୋଲ ଲିଟର ପିଛା ଦର ୧୦୦ ଟଙ୍କା ଟପିଛି।

ଆର୍ଥିକ ରାଜଧାନୀ ମୁମ୍ବାଇରେ ପେଟ୍ରୋଲ ଲିଟର ପିଛା ଦର ୯୭ ଟଙ୍କା ଥିବାବେଳେ ଡିଜେଲ ଦର ୮୮.୦୬ଟଙ୍କା ରହିଛି। କୋଲକାତାରେ ପେଟ୍ରୋଲ ଲିଟର ପିଛା ଦର ୯୧.୭୮ ଟଙ୍କା ଥିବାବେଳେ ଡିଜେଲ ଦର ରହିଛି ୮୪.୫୬ ଟଙ୍କା। ସେହିପରି ଚେନ୍ନାଇରେ ପେଟ୍ରୋଲ ଦର ୯୨.୫୯ ଥିବାବେଳେ ଡିଜେଲ ଲିଟର ପିଛା ଦର ରହିଛି ୮୫.୯୮ ଟଙ୍କା।

ତେବେ ତୈଳ କମ୍ପାନୀ ୨ ଦିନ ହେବ ତୈଳ ଦର ଅପରିବର୍ତ୍ତିତ ରଖିଥିବାବେଳେ ଦେଶର ୪ ରାଜ୍ୟରେ ତୈଳ ଦର ହ୍ରାସ ପାଇଥିବା ଜାଣିବାକୁ ମିଳିଛି। ଏହି ୪ ରାଜ୍ୟରେ କ୍ଷମତାରେ ଥିବା ସରକାର ଟିକସ ହ୍ରାସ କରିବା କାରଣରୁ ତୈଳ ଦର ଏସବୁ ରାଜ୍ୟରେ ହ୍ରାସ ପାଇଛି।

ଟାଇମ୍ସ ଅଫ ଇଣ୍ଡିଆ ସୂତ୍ରରୁ ମିଳିଥିବା ଖବର ଅନୁଯାୟୀ ନିର୍ବାଚନ ପାଇଁ ପ୍ରସ୍ତୁତ ହେଉଥିବା କୋଲକାତା ପେଟ୍ରୋଲ ଉପରେ ୧ ଟଙ୍କା ଭାଟ ହ୍ରାସ କରିଛି। ଏଠାରେ ଭାଟ ୩୮ ପ୍ରତିଶତରୁ ୩୬ ପ୍ରତିଶତକୁ  ଖସିଛି। ତେବେ ଏହା ପୂର୍ବରୁ ରାଜସ୍ଥାନ ତୈଳ ଦର ଉପରେ ଲାଗୁ ହୋଇଥିବା ଟାକ୍ସ ୩୮%ରୁ ୩୬%କୁ ହ୍ରାସ କରିଥିଲା। ସେହିପରି ଆସାମ ସରକାର କରୋନା ମହାମାରୀକୁ ଦୃଷ୍ଟିରେ ରଖି ଗତ ବର୍ଷରୁ ଲାଗୁ କରିଥିବା ଅତିରିକ୍ତ ୫ ଟଙ୍କା ଟାକ୍ସକୁ ହ୍ରାସ କରିଛନ୍ତି।

ତେବେ ମେଘାଳୟ ସରକାର ସବୁଠାରୁ ବଡ ପଦକ୍ଷେପ ନେଇଛନ୍ତି। ଏଠରେ ପେଟ୍ରୋଲ ଉପରେ ୭.୪୦ ଓ ଡିଜେଲ ଉପରେ ୭.୧୦  ଛାଡ କରିଛନ୍ତି। ପେଟ୍ରୋଲ ଉପରେ ଲାଗୁ ହୋଇଥିବା ଟାକ୍ସ ୩୧.୬୨%ରୁ ୨୦% କରିଛନ୍ତି। ସେହିପରି ଡିଜେଲ ଲାଗୁ ହୋଇଥିବା ଟାକ୍ସ ୨୨.୯୫%ରୁ ୧୨%କୁ ହ୍ରାସ କରିଛନ୍ତି।

ତେବେ କେନ୍ଦ୍ର ସରକାର ତୈଳ ଦର ଉପରେ ଲାଗୁ ହୋଇଥିବା ଏକ୍ସସାଇଜ ଟାକ୍ସ ହ୍ରାସ କରିବାକୁ ମନା କରି ଦେଇଛନ୍ତି।

You might also like