ମହିଳା ଡାକ୍ତରଙ୍କ ସେବା ମନୋଭାବକୁ କୋଟି କୋଟି ପ୍ରଣାମ

ନକ୍ସଲ ପ୍ରଭାବିତ ଅଞ୍ଚଳରୁ ଏକୁଟିଆ ୧୮୦ କିମି ସ୍କୁଟି ଚଳାଇ ନାଗପୁର ପହଞ୍ଚିଲେ, ଏବେ କୋଭିଡ ହସ୍ପିଟାଲରେ ୧୨ ଘଣ୍ଟାରୁ ଅଧିକ ପିପିଇ କିଟ୍ ପିନ୍ଧି ସଂକ୍ରମିତଙ୍କ ଚିକିତ୍ସା କରୁଛନ୍ତି ପ୍ରଜ୍ଞା

ବାଲାଘାଟ : ଡାକ୍ତର ନୁହଁନ୍ତି ସେ ସାକ୍ଷାତ ଭଗବାନ ।  ଗୋଟିଏ ପଟେ କରୋନାର ଭୟ ଅନ୍ୟପଟେ ଘଞ୍ଚ ଅରଣ୍ୟରେ ରକ୍ତମୁଖା ନକ୍ସଲଙ୍କ ଉତ୍ପାତ ।  ତଥାପି ଜୀବନକୁ ପାଣି ଛଡ଼ାଇ ବାଲାଘାଟର ଜଣେ ଡାକ୍ତର ସ୍କୁଟିରେ ନାଗପୁର ଅଭିମୁଖେ ବାହାରି ପଡିଥିଲେ । ରାସ୍ତାରେ ପ୍ରବଳ ଗ୍ରୀଷ୍ମତାପରେ ତଣ୍ଟି ଶୁଖିଯାଉଥିଲା । ବାଟରେ କିଛି ଖାଇବା ମଧ୍ୟ ନଥିଲା । ହେଲେ ଆଖି ଆଗରେ ନାଚି ଉଠୁଥାଏ ରୋଗୀଙ୍କ ଯନ୍ତ୍ରଣା ଜର୍ଜରିତ ଚେହେରା । ଆଉ ସେହି ମୁହୂର୍ତ୍ତରେ ହିଁ ତାଙ୍କୁ ମିଳିଯାଉଥିଲା ଶତ ସିଂହର ବଳ । ଲଗତାର ୭ ଘଣ୍ଟା ଯାତ୍ରା ଗାଡ଼ି ଚଳାଇ  ୧୮୦ କିମି ଦୂର ନିଜ କର୍ତ୍ତବ୍ୟସ୍ଥଳରେ ପହଞ୍ଚିପାରିଛନ୍ତି ଡଃ ପ୍ରଜ୍ଞା । ଆଉ ଏବେ କୋଭିଡ ହସ୍ପିଟାଲରେ ରୋଗୀଙ୍କୁ ଚିକିତ୍ସା କରୁଛନ୍ତି ।

ବାଲାଘାଟର ପ୍ରଜ୍ଞା ଘରଡେ, ପେଶାରେ ଜଣେ ଡାକ୍ତର । ନାଗପୁରରେ ଏକ ଘରୋଇ କୋଭିଡ ହସ୍ପିଟାଲରେ କାମ କରନ୍ତି । ଡଃ ପ୍ରଜ୍ଞା ଛୁଟିରେ ଘରକୁ ଆସିଥିବା ବେଳେ ଅଚାନକ ସଂକ୍ରମଣ ବୃଦ୍ଧି ଯୋଗୁଁ ମେଡିକାଲରୁ ଡକରା ଆସିଥିଲା । ବିନା ଦ୍ୱିଧାରେ କିଛି ଚିନ୍ତା ନକରି ଛୁଟି କ୍ୟାନସେଲ କରି ହସ୍ପିଟାଲ ଫେରଯିବାକୁ ବାହାରିପଡ଼ିଥିଲେ ପ୍ରଜ୍ଞାନ । କିନ୍ତୁ ଲକଡାଉନରେ ମହାରାଷ୍ଟ୍ର ଆଡ଼କୁ ଯାଉଥିବା ବସ ଓ ଟ୍ରେନରେ ଟିକେଟ ମିଳିପାରିଲା ନାହିଁ ।

ତଥାପି ଏପରି ଅବସ୍ଥାରେ ସାହସ କରି ଡଃ ପ୍ରଜ୍ଞା ସ୍କୁଟ ଧରି ନାଗପୁର ଅଭିମୁଖେ ବାହରି ପଡ଼ିଥିଲେ । ଝିଅକୁ ଏତେ ରାସ୍ତା  ଏକୁଟିଆ ଯିବାକୁ ଦେବାପାଇଁ ପରିବାର ଲୋକ ଡରୁଥିଲେ ସୁଦ୍ଧା ପ୍ରଜ୍ଞା କିଛି ଶୁଣିଲେନି । ଶେଷରେ ଝିଅର ସେବାଭାବ ଓ ରୋଗୀସେବାର ମନୋବୃତ୍ତି ଦେଖି ରାଜି ହୋଇଗଲେ ବାପାମା’ । ପ୍ରଜ୍ଞାଙ୍କୁ ସ୍କୁଟି ଚଳାଇ ବାଲାଘାଟରୁ ନାଗପୁର ପର୍ଯ୍ୟନ୍ତ ପ୍ରାୟ ୧୮୦ କିଲୋମିଟର ଦୂରତା ଯାତ୍ରା କରିବାକୁ ତାଙ୍କୁ ପ୍ରାୟ ୭ ଘଣ୍ଟା ସମୟ ଲାଗିଥିଲା । ତେବେ ଏହି ସମୟରେ ପ୍ରବଳ ଖରାରେ ହାତପାଦ ପୋଡ଼ିଯାଉଥିଲା । ପାଖରେ କିଛି ଖାଇବାକୁ ନଥିଲା, ଏତେ ସବୁ ଅସୁବିଧା ସତ୍ତ୍ୱେ କର୍ମକ୍ଷେତ୍ରକୁ ବାହାରି ପଡ଼ିଥିଲେ ଓ ହସ୍ପିଟାଲରେ ପହଞ୍ଚିଯାଇଥିଲେ ।

ଏବେ ଜଏନିଂ ପରେ ନାଗପୁରର କୋଭିଡ ଡାକ୍ତରଖାନାରେ ତାଙ୍କୁ ଦିନକୁ ୬ଘଣ୍ଟା କାମ କରିବାକୁ ପଡ଼ୁଛି । ସେ ଆରଏମଓ ପଦବୀରେ କାମ କରନ୍ତି। ଏହା ବ୍ୟତୀତ ସେ ପ୍ରତିଦିନ ସନ୍ଧ୍ୟା ସିଫ୍ଟରେ ଅନ୍ୟ ଏକ ଡାକ୍ତରଖାନାରେ ରୋଗୀଙ୍କୁ ଚିକିତ୍ସା କରୁଛନ୍ତି । ଫଳରେ ଏ ଗରମ ଗୁଳୁଗୁଳିରେ ୧୨ ଘଣ୍ଟାରୁ ଅଧିକ ସମୟ ପାଇଁ PPE କିଟ୍ ପିନ୍ଧି କାମ କରିବାକୁ ପଡୁଛି ବୋଲି କହିଛନ୍ତି ବାଲାଘାଟର ସାହସୀ ଝିଅ । ପ୍ରଜ୍ଞାଙ୍କ ପରି ହଜାର ହଜାର ଦ୍ୱିତୀୟ ଇଶ୍ୱରଙ୍କୁ କୋଟି କୋଟି ପ୍ରଣାମ । ମହାମାରୀ ସମୟରେ ସମସ୍ତଙ୍କୁ ଘରେ ରହିବାକୁ ପରାମର୍ଶ ଦିଆଯାଉଥିବା ବେଳେ ଡାକ୍ତର ଓ ସ୍ୱାସ୍ଥ୍ୟକର୍ମୀମାନେ ମହାମାରୀ ସହ ସମ୍ମୁଖ ଯୁଦ୍ଧରେ ଲଢ଼ୁଛନ୍ତି । ଏଥିପାଇଁ ଦେଶବାସୀ ତାଙ୍କ ନିକଟରେ ସଦାସର୍ବଦା କୃତଜ୍ଞ ।

 

 

You might also like