ବର୍ଷକ ମଧ୍ୟରେ ଯୌନ ଅପରାଧ ମାମଲାରେ ମଧ୍ୟପ୍ରଦେଶରେ ୧୩ ଜଣଙ୍କୁ ମୃତ୍ୟୁଦଣ୍ଡ

ଭୋପାଲ୍‌: ମଧ୍ୟପ୍ରଦେଶର ମନ୍ଦସୌରରେ ହୋଇଥିବା ବହୁଚର୍ଚ୍ଚିତ ଶିଶୁ ଗଣଦୁଷ୍କର୍ମ ମାମଲାରେ ୨ ଜଣ ଅଭିଯୁକ୍ତଙ୍କୁ ସ୍ଵତନ୍ତ୍ର ଫାଷ୍ଟଟ୍ରାକ୍‌ କୋର୍ଟ ମୃତ୍ୟୁଦଣ୍ଡରେ ଦଣ୍ଡିତ କରିଛନ୍ତି। ସ୍ୱତନ୍ତ୍ର ଫାଷ୍ଟଟ୍ରାକ୍‌ କୋର୍ଟ ମାତ୍ର ୫୬ ଦିନ ମଧ୍ୟରେ ଏହାର ଶୁଣାଣି କରି ଏହି ରାୟ ପ୍ରକାଶ କରିଛନ୍ତି।

ଗତ ଜୁନ୍‌ ୨୬ରେ ଦ୍ୱିତୀୟ ଶ୍ରେଣୀରେ ପଢ଼ୁଥିବା ଏହି ୮ ବର୍ଷୀୟ ନାବାଳିକା ଜଣଙ୍କ ସ୍କୁଲ ପାଖରେ ଛିଡ଼ା ହୋଇଥିଲେ। ଏହି ସମୟରେ ଇରଫାନ୍‌ ଓ ଆସିଫ୍‌ ନାମକ ଦୁଇ ଜଣ ଯୁବକ ଚକୋଲେଟ୍‌ ଦେବାର ପ୍ରଲୋଭନ ଦେଖାଇ ଶିଶୁଟିକୁ ଅପହରଣ କରିବା ସହ ଗଣଦୁଷ୍କର୍ମ କରିଥିଲେ। ଜୁନ୍ ୨୬ ତାରିଖ ଦିନ ସଂଧ୍ୟା ବେଳେ ସ୍କୁଲ ଗେଟ୍ ସମ୍ମୁଖରୁ ୭ ବର୍ଷର ନାବାଳିକାଙ୍କୁ ଉଠାଇ ନେଇଥିଲେ ଦୁଷ୍କର୍ମକାରୀ। ନାବାଳିକାଙ୍କ ଜେଜେମାଆ ତାଙ୍କୁ ନେବାରେ  ବିଳମ୍ବ କରିଥିଲେ। ଯାହାର ସୁଯୋଗ ନେଇଥିଲେ ଇର୍ଫାନ୍ ଏବଂ ଅାସିଫ୍। ଦୁଷ୍କର୍ମ କରିବା ପରେ ସେମାନେ ଶିଶୁଟିକୁ ଅକଥନୀୟ ନିର୍ଯାତନା ମଧ୍ୟ ଦେଇଥିଲେ। କେବଳ ସେତିକି ନୁହେଁ ତା’ ଗଳା ମଧ୍ୟ କାଟି ଦେଇଥିଲେ।

ଦୀର୍ଘଦିନ ଆଇସିୟୁରେ ଚିକତ୍ସିତ ହେବା ପରେ ଝିଅଟି ସୁସ୍ଥ ହୋଇଥିଲା।

ତେବେ ଘଟଣାର ୨୪ ଘଣ୍ଟା ମଧ୍ୟରେ ପୁଲିସ୍‌ ଅଭିଯୁକ୍ତ ଇରଫାନ୍‌ ଓ ଆସିଫ୍‌କୁ ଗିରଫ କରିଥିଲା। ଦୋଷୀଙ୍କୁ ମୃତ୍ୟୁଦଣ୍ଡ ଦାବିରେ ସମଗ୍ର ମଧ୍ୟପ୍ରଦେଶରେ ଆନ୍ଦୋଳନ ଦେଖିବାକୁ ମିଳିଥିଲା। ଏପରି କି ଏହାକୁ ନେଇ ପ୍ରବଳ ରାଜନୀତିକ ବୟାନବାଜି ମଧ୍ୟ ହୋଇଥିଲା।

ଘଟଣାର ତଦନ୍ତ କରୁଥିବା ସ୍ୱତନ୍ତ୍ର ଟିମ୍‌ ଗତ ମାସରେ ଇରଫାନ୍‌ ଓ ଅସିଫ୍‌ଙ୍କ ବିରୋଧରେ ୫୦୦ ପୃଷ୍ଠାର ଚାର୍ଜଶିଟ୍‌ ଦାଖଲ କରିଥିଲା।

ମଧ୍ୟପ୍ରଦେଶ ମୁଖ୍ୟମନ୍ତ୍ରୀ ଶିବରାଜ ସିଂ ଚୌହାନ୍‌ କୋର୍ଟଙ୍କ ଏହି ନିଷ୍ପତ୍ତିକୁ ସ୍ୱାଗତ କରିଛନ୍ତି। ଏପ୍ରିଲ୍‌ ମାସରେ ନୂଆ ନିୟମ ହେବା ପରଠାରୁ ମଧ୍ୟପ୍ରଦେଶରେ ୮ ଜଣଙ୍କୁ ମୃତ୍ୟୁ ଦଣ୍ଡାଦେଶ ଦିଆଯାଇଛି। ମଧ୍ୟପ୍ରଦେଶରେ ଚଳିତ ବର୍ଷ ୧୩ ଜଣଙ୍କୁ ଯୌନ ଅପରାଧ ପାଇଁ ମୃତ୍ୟୁ ଦଣ୍ଡାଦେଶ ଦିଆଯାଇଛି। ମଧ୍ୟପ୍ରଦେଶ ଡିଜି ରାଜେନ୍ଦ୍ର କୁମାର ଏହାକୁ ପୁଲିସ ଓ ପ୍ରଜିକ୍ୟୁସନର ସଫଳତା ବୋଲି କହିଛନ୍ତି।

(ଫଟୋ ସୌଜନ୍ୟ: ଇଣ୍ଡିଆ ଟିଭି)

You might also like