ମନେ ପଡିଲା ୨୬/୧୧ର ସେଇ ଭୟଙ୍କର ସ୍ମୃତି

ନୂଆଦିଲ୍ଲୀ: ୨୬/୧୧ ଆତଙ୍କବାଦୀ ଆକ୍ରମଣକୁ ଆଜି ପୁରିଛି ୧୨ ବର୍ଷ। ୨୦୦୮ ଆଜିର ଦିନରେ ମୁମ୍ବାଇ ଦେଖିଥିଲା ଆତଙ୍କବାଦୀଙ୍କ ସେହି ବର୍ବରୋଚିତ ଘଟଣା। ପାକିସ୍ତାନର ସଶସ୍ତ୍ର ୧୦ ଲସ୍କର ଆତଙ୍କବାଦୀ ସମୁଦ୍ର ପଥରେ ମୁମ୍ବାଇରେ ପଶି ଭିଆଇଥିଲେ ଆତଙ୍କର ତାଣ୍ଡବ।

ଲିଓପାଡ୍ କାଫେ, ସିଏସ୍‌ଟି ଷ୍ଟେସନ୍, ତାଜ୍ ପ୍ୟାଲେସ୍, ଓବରୟ ହୋଟେଲ୍, କାମା ହସ୍ପିଟାଲ୍, ନରିମାନ୍ ହାଉସ୍ ଉପରେ ଆକ୍ରମଣ ହୋଇଥିଲା। ଆରଡିଏକ୍ସ, ଏକେ-୪୭, ଆଇଇଡି, ଗ୍ରେନେଡ୍ ଧରି ଆତଙ୍କବାଦୀ ଆଖିବୁଜା ଲୋକଙ୍କ ଉପରେ ଆକ୍ରମଣ କରିଥିଲେ। ଏହି ଘଟଣାରେ ୧୭୬ ଜଣଙ୍କ ମୃତ୍ୟୁ ହୋଇଥିବା ସହ ଗୁରୁତର ଭାବେ ୩ ଶହରୁ ଅଧିକ ଲୋକ ଆହତ ହୋଇଥିଲେ।

ସେହି ସମୟର ଏଟିଏସ୍ ଚିଫ୍ ହେମନ୍ତ କର୍କରେଙ୍କ ସମେତ ୨୦ରୁ ଅଧିକ ପୋଲିସ୍ ସହିଦ ହୋଇଥିଲେ। ଆକ୍ରମଣ ବେଳେ ପୋଲିସ୍ ଓ ଏଟିଏସ୍ ହାତରେ ଧରାପଡ଼ିଥିଲା ଆତଙ୍କବାଦୀ ଅଜମଲ୍ କସାବ। ପରେ ତାଙ୍କୁ ମୃତ୍ୟୁ ଦଣ୍ଡାଦେଶ ଶୁଣାଇଥିଲେ ଦେଶର ସବୋର୍ଚ୍ଚ କୋର୍ଟ।

୧୨ ବର୍ଷ ପରେ ଆଜି ସହିଦଙ୍କ ଉର୍ଦ୍ଦେଶ୍ୟରେ ମୁମ୍ବାଇରେ ସ୍ମୃତି ସଭା ଆୟୋଜନ ହୋଇଛି। ସେପଟେ ଆମେରିକା ୱାଶିଂଟନରେ   ପ୍ରବାସୀ ଭାରତୀୟ ଆତଙ୍କବାଦ ବିରୋଧରେ ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି। ଏହି ଘଟଣା ପରେ ମୁମ୍ବାଇରେ ସୁରକ୍ଷା ବ୍ୟବସ୍ଥାକୁ ବଢ଼ାଯାଇଛି। ତେବେ  ଘଟଣାର ମାଷ୍ଟରମାଇଣ୍ଡ ହାଫିଜ୍ ସୈୟିଦ୍ ପାକିସ୍ତାନରେ ଖୋଲାଖୋଲି ଭାବେ ଘୁରି ବୁଲୁଛି। ମୋଷ୍ଟ ୱାଣ୍ଟେଡ୍ ହେବା ପରେ ବି ପାକିସ୍ତାନ ସୁରକ୍ଷା ଯୋଗାଇ ଆସୁଛି।

You might also like