ଜଣେ କରୋନା ଆକ୍ରାନ୍ତ ୩୦ ଦିନରେ ୪୦୬ ଜଣଙ୍କୁ ସଂକ୍ରମିତ କରିପାରନ୍ତି !

ନୂଆଦିଲ୍ଲୀ: ସାରା ଦେଶରେ କରୋନା ସଂକ୍ରମଣ ଦିନକୁ ଦିନ ଦ୍ରୁତ ଗତିରେ ବୃଦ୍ଧି ପାଇବାରେ ଲାଗିଛି। ସଂକ୍ରମଣକୁ ରୋକିବା ପାଇଁ ସରକାର ବିଭିନ୍ନ ପଦକ୍ଷେପ ଗ୍ରହଣ କରୁଛନ୍ତି। ଏସବୁ ପରେ ମଧ୍ୟ ସଂକ୍ରମଣ ଥମିବାର ନାଁ ଧରୁନାହିଁ। ବରଂ ପ୍ରତ୍ୟେକ ଦିନ ପଜିଟିଭ ଓ ମୃତ୍ୟୁ ସଂଖ୍ୟା ବଢ଼ିବାରେ ଲାଗିଛି। ଲୋକଙ୍କୁ ମାସ୍କ ପିନ୍ଧିବା ସହ ସାମାଜିକ ଦୂରତା ବଜାୟ ରଖିବା ପାଇଁ ପରାମର୍ଶ ଦିଆଯାଉଛି। ହେଲେ କିଛି ଲୋକ ଏହି ନିୟମକୁ ଖୁଲମଖୁଲା ଉଲ୍ଲଘଂନ କରୁଥିବା ଦେଖିବାକୁ ମିଳିଛି। ହେଲେ ସେମାନଙ୍କର ଏହି ବେପରୁଆ ମନୋଭାବ ସେମାନଙ୍କୁ ବିପଦ ମୁହଁକୁ ଠେଲି ଦେବ ହୁଏତ ସେମାନଙ୍କୁ ଏହା ଜଣାନଥିବ। ଏସବୁ ଭିତରେ କରୋନାକୁ ନେଇ ଏକ ଚାଞ୍ଚଲ୍ୟକର ତଥ୍ୟ ସାମ୍ନାକୁ ଆସିଛି। ଯଦି ସାମାଜିକ ଦୂରତା ବଜାୟ ନ ରୁହେ ତା’ହେଲେ ୩୦ ଦିନ ମଧ୍ୟରେ ଜଣେ କରୋନା ଆକ୍ରାନ୍ତ ୪୦୬ ଜଣଙ୍କୁ ସଂକ୍ରମିତ କରିବାର ସମ୍ଭାବନା ରହିଛି ବୋଲି ସରକାର କହିଛନ୍ତି।

ଏକ ସାମ୍ବାଦିକ ସମ୍ମିଳନୀରେ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରାଳୟର ଜଏଣ୍ଟ ସେକ୍ରେଟାରୀ ଲଭ ଅଗ୍ରୱାଲ କହିଛନ୍ତି, କରୋନାକୁ ନେଇ ଅନେକ ବିଶ୍ୱବିଦ୍ୟାଳୟ ପକ୍ଷରୁ ଅଧ୍ୟୟନ କରାଯାଇ ଜଣାପଡ଼ିଛି ଯେ, ଯଦି ଜଣେ କରୋନା ଆକ୍ରାନ୍ତ ସାମାଜିକ ଦୂରତା ପାଳନ ନକରନ୍ତି ତା’ହେଲେ, ସମ୍ପୃକ୍ତ ବ୍ୟକ୍ତି ୩୦ ଦିନ ମଧ୍ୟରେ ୪୦୬ ଜଣଙ୍କୁ ସଂକ୍ରମିତ କରିପାରନ୍ତି। ଯଦି କୌଣସି କରୋନା ରୋଗୀ ୫୦ ପ୍ରତିଶତ ଅଣସଂକ୍ରମିତଙ୍କ ସଂସ୍ପର୍ଶରେ ଆସନ୍ତି, ତା’ହାଲେ ସେ ୩୦ ଦିନରେ ୪୦୬ ଜଣଙ୍କୁ ସଂକ୍ରମିତ କରିବା ପରିବର୍ତ୍ତେ ୧୫ ଜଣଙ୍କୁ ସଂକ୍ରମିତ କରିପାରନ୍ତି। ଯଦି ୭୫ ପ୍ରତିଶତ ସଂସ୍ପର୍ଶରେ ଆସନ୍ତି, ତା’ହେଲେ ସମ୍ପୃକ୍ତ କରୋନା ରୋଗୀ ୩୦ ଦିନରେ ୨.୫ ଜଣଙ୍କୁ ସଂକ୍ରମିତ କରିପାରନ୍ତି।

ଲଭ ଅଗ୍ରୱାଲ ଆହୁରି କହିଛନ୍ତି, ଅଧ୍ୟୟନରୁ ଆହୁରି ମଧ୍ୟ ଜଣାପଡ଼ିଛି, ୬ ଫୁଟ ଦୂରତା ବଜାୟ ରଖିଲେ ମଧ୍ୟ ଜଣେ କରୋନା ସଂକ୍ରମିତଙ୍କଠୁ ଭାଇରସ ଜଣେ ଅଣସଂକ୍ରମିତ(ସଂକ୍ରମିତ ହୋଇନଥିବା ବ୍ୟକ୍ତି)ଙ୍କୁ ସଂକ୍ରମଣ କରିବାର ସମ୍ଭାବନା ରହିଛି। ହୋମ ଆଇସୋଲେସନ ସ୍ଥଳରେ ଆପଣ ଏଭଳି ସ୍ଥିତି ପାଇପାରିବେ। ଯଦି ମାସ୍କ ଠିକ ଭାବରେ ନପିନ୍ଧନ୍ତି ତା’ହେଲେ ଜଣେ କରୋନା ସଂକ୍ରମିତଙ୍କଠୁ ଭାଇରସ ଜଣେ ଅଣସଂକ୍ରମିତଙ୍କୁ ସଂକ୍ରମଣ କରିବାର ୯ ପ୍ରତିଶତ ସମ୍ଭାବନା ରହିଛି।

ସେ ଆହୁରି କହିଛନ୍ତି, ଯଦି ଜଣେ ଅଣସଂକ୍ରମିତ ମାସ୍କ ପିନ୍ଧିଛନ୍ତି ଏବଂ ସେ କରୋନା ରୋଗୀଙ୍କ ସଂସ୍ପର୍ଶରେ ଆସିଛନ୍ତି, ଯିଏକି ମାସ୍କ ପିନ୍ଧି ନାହାନ୍ତି ତା’ହାଲେ ତାଙ୍କୁ ଭାଇରସ ସଂକ୍ରମଣ କରିବାର ୩୦ ପ୍ରତିଶତ ସମ୍ଭାବନା ରହିଛି। ଏପରିକି ଦୁଇ ଜଣ ଲୋକଙ୍କ ମଧ୍ୟରେ ୬ ଫୁଟ ଦୂରତା ଥିଲେ ମଧ୍ୟ ସେମାନଙ୍କୁ କରୋନା ସଂକ୍ରମଣ କରିବାର ସମ୍ଭାବନା ରହିଛି। ତେଣୁ ମହାମାରୀ କରୋନାକୁ ରୋକିବା ପାଇଁ ସାମାଜିକ ଦୂରତା ଓ ମାସ୍କ ବ୍ୟବହାର ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ।

ସୂଚନାଥାଉକି, ଗତକାଲି ଦେଶରେ ୩ ଲକ୍ଷ ୨୩ ହଜାର ୧୪୪ ଆକ୍ରାନ୍ତ ଚିହ୍ନଟ ହୋଇଥିଲେ। ଯାହା ପରେ ମୋଟ୍ ସଂକ୍ରମିତଙ୍କ ସଂଖ୍ୟା ୧ କୋଟି ୭୬ ଲକ୍ଷ ୩୬ ହଜାର ୩୦୭କୁ ବୃଦ୍ଧି ପାଇଛି ।

You might also like