ଭାସିଗଲା ଦେଢ କିଲୋ ସୁନା

ହାଇଦ୍ରାବାଦ: ହାଇଦ୍ରାବାଦରେ ବର୍ଷା ପାଣିରେ ଦେଢ କିଲୋଗ୍ରାମ ସୁନା ଭାସିଯାଇଛି । ଏକ ଜୁଏଲେରୀରେ କାମ କରୁଥିବା ପ୍ରଦୀପ କୁମାର ବୋଡକେ ନାମକ ଜଣେ କର୍ମଚାରୀ କହିଛନ୍ତି ଯେ, ସେ ପ୍ରବଳ ବର୍ଷା ସମୟରେ ଏକ ସ୍କୁଟରରେ ପାଦ ପାଖରେ ରଖି ଦେଢ କିଲୋ ଗ୍ରାମ ସୁନା ଷ୍ଟୋରରୁ ଜିୱେଲେରୀ ସପକୁ ଆଣୁଥିଲେ । ବର୍ଷା ପାଣି ଏତେ ଜୋର୍ ରେ ମାଡି ଆସିଥିଲା ଯେ, ସ୍କୁଟର ଅଧା ବୁଡିଯାଇଥିଲା । ସେ ଅସ୍ତବ୍ୟସ୍ତ ହୋଇଯାଇଥିଲେ । ଏହି ସମୟରେ ସୁନା ଭର୍ତ୍ତି ବ୍ୟାଗଟି ଭାସିଯାଇଥିଲା । ସେ ଏହା ହଠାତ୍ ଜାଣି ପାରିନଥିଲେ । ପରେ ଜାଣିଲା ବେଳକୁ ବ୍ୟାଗଟି ନାହିଁ ।

ହାଇଦ୍ରାବାଦର ବନଜାରା ହିଲସ ଅଞ୍ଚଳରେ ଏହି ଘଟଣା ଘଟିଛି । ତେବେ ପ୍ରଦୀପ କୁମାରଙ୍କ ଏହି କଥାକୁ କିନ୍ତୁ ଜିୱେଲେରୀ ମାଲିକ ସହଜରେ ଗ୍ରହଣ କରିପାରୁନାହାନ୍ତି । ଭାସିଯାଇଥିବା ସୁନାର ମୂଲ୍ୟ ପ୍ରାୟ ଅଢେଇ କୋଟି ଟଙ୍କା । ମାଲିକଙ୍କ ମନ କିନ୍ତୁ ବୁଝୁନି । ସେ ପ୍ରଦୀପଙ୍କ ନାଁରେ ସେ ଏକ ଚୋରି କେସ୍ ଦେଇଛନ୍ତି । ବନଜାରା ହିଲସ ପୋଲିସ ଘଟଣାର ତଦନ୍ତ କରୁଛି ।

ପ୍ରଦୀପଙ୍କୁ ଡାକି ପୋଲିସ ପଚରାଉଚରା କରିଛି । ପ୍ରଦୀପଙ୍କର ଗୋଟିଏ କଥା, ସୁନା ଭାସିଯାଇଛି । ଜିୱେଲେରୀ ମାଲିକ ଓ ତାଙ୍କ ପାର୍ଟନର୍ ପୋଲିସକୁ କହିଛନ୍ତି କୌଣସି ପ୍ରକାରେ ଏହି ସୁନା ଠାବ କରିବା ପାଇଁ । ବହୁତ ଖୋଜାଖୋଜି କରିବା ପରେ ଖାଲି ବ୍ୟାଗଟି ଏକ ଅଳିଆ ଗଦାରୁ ମିଳିଛି । ସୁନା ନାହିଁ ।

ଜଣେ ପୋଲିସ ଅଧିକାରୀ କହିଛନ୍ତି , ସୁନା ମିଳୁ ବା ନ ମିଳୁ , ଏତଲା ଅନୁଯାୟୀ କାର୍ଯ୍ୟାନୁଷ୍ଠାନ ହେବ । ବନଜାରା ହିଲସର କଙ୍ଗାରୁ ସ୍କୁଲ ନିକଟରେ ସନ୍ଧ୍ୟା ବେଳେ ଏହି ଘଟଣା ଘଟିଥିବା କୁହାଯାଉଛି । ହଠାତ ବର୍ଷାପାଣି ମାଡିଆସିବାରୁ ଏହି ଘଟଣା ଘଟିଥିବା ଅଭିଯୁକ୍ତ ପ୍ରଦୀପ କହୁଛନ୍ତି ।

କିନ୍ତୁ ସନ୍ଧ୍ୟା ବେଳେ ତାଙ୍କୁ କାହିଁକି ସ୍କୁଟରରେ ବର୍ଷା ସମୟରେ ଏତେ ପରିମାଣର ସୁନା ଆଣିବାକୁ ଅନୁମତି ଦିଆଯାଇଥିଲା , ତାହା ଏକ ବଡ ପ୍ରଶ୍ନ । ଯାହା ହେଲେ ବି ସୁନା ଯାଇଛି , ମିଳିବାର ସମ୍ଭାବନା କମ୍ । ହାଇଦ୍ରାବାଦରେ ପ୍ରବଳ ବର୍ଷାରେ ଗୋଟିଏ ପରିବାରର ୪ଜଣଙ୍କର ମୃତ୍ୟୁ ଘଟିଥିବାବେଳେ ଅନ୍ୟ ୪ ଜଣଙ୍କର ପତ୍ତା ମିଳୁନାହିଁ । ସହରରେ ବର୍ଷାରେ ବ୍ୟାପକ କ୍ଷୟକ୍ଷତି ହୋଇଛି । ତା ଭିତରେ ସୁନା ଭାସିଯିବାର ଅଭିଯୋଗ ବି ଆସିଛି ।

You might also like