ନୟାଗଡ଼କୁ ବ୍ୟାପିଲା ପିଲା ଚୋର ଗୁଜବ

ନୟାଗଡ଼ : ନୟାଗଡ଼ରେ ପିଲା ଚୋର ଗୁଜବ। ପିଲା ଚୋର ସଂଦେହରେ ନୟାଗଡ଼ ସଦର ଥାନା ଅଞ୍ଚଳରେ ଯୁବକଙ୍କ ହାତଗୋଡ଼ ବାନ୍ଧି ଲୋକେ ନିସ୍ତୁକ ମାଡ଼ ମାରିଥିବା ଅଭିଯୋଗ ହୋଇଛି। ଯୁବକ ଜଣକ ଏକ ସର୍ଭେ କରିବା ପାଇଁ ଯାଇଥିବା ବେଳେ ପିଲା ଚୋର ଭାବି ଲୋକେ ତାଙ୍କୁ ନିର୍ଧୂମ ପିଟିଛନ୍ତି।

ଖବର ପାଇ ପୋଲିସ ଘଟଣାସ୍ଥଳରେ ପହଞ୍ଚି ଉତ୍ତ୍ୟକ୍ତ ଲୋକଙ୍କ କବଳରୁ ଯୁବକଙ୍କୁ ଉଦ୍ଧାର କରିଛି। ଏନେଇ ଟାଉନ ଥାନା ପୋଲିସ ନିଜ ଆଡୁ ଏକ ମାମଲା ରୁଜୁ କରି ଘଟଣାର ତଦନ୍ତ ଆରମ୍ଭ କରିଛି। ସେପଟେ ନାୟାଗଡ଼ ଦଶପଲ୍ଲାରେ ବି ସମାନ ଢଙ୍ଗରେ ଆଉ ଜଣେ ଯୁବକଙ୍କୁ ପିଲା ଚୋରି ଅଭିଯୋଗରେ ସ୍ଥାନୀୟ ଲୋକେ ଆକ୍ରମଣ କରିଥିବା ଅଭିଯୋଗ ହୋଇଛି।

ସେପଟେ ରାଜ୍ୟର ବିଭିନ୍ନ ସ୍ଥାନରେ ଉଠୁଥିବା ପିଲା ଚୋରି ଅଭିଯୋଗ ଘଟଣାକୁ ସୋସିଆଲ ମିଡିଆର ଗୁଜବ ବୋଲି କହିଛନ୍ତି ପୋଲିସ ଡିଜି ଡାକ୍ତର ରାଜେନ୍ଦ୍ର ପ୍ରସାଦ ଶର୍ମା। ଏପରିକି ଗ୍ୟାଙ୍ଗ୍ ଆସି ପିଲା ଚୋରି କରିବା ଅଭିଯୋଗ ମିଛ ବୋଲି କହିଛନ୍ତି ପୋଲିସ ଡିଜି।

ଏଭଳି ଗୁଜବ ପ୍ରଚାର ନକରିବାକୁ ସେ ଲୋକମାନଙ୍କୁ ନିବେଦନ କରିଛନ୍ତି। ସେହିଭଳି ପିଲା ଚୋରି ସନ୍ଦେହରେ ଲୋକଙ୍କୁ ଆକ୍ରମଣ ହେଉଥିବାରୁ ଏ ନେଇ ସଜାଗ ରହିବାରୁ ଜିଲ୍ଲା ଏସପି ମାନଙ୍କୁ ସତର୍କ କରିଛନ୍ତି। ଲୋକଙ୍କ କିଛି ଅଭିଯୋଗ ଥିଲେ, ତୁରନ୍ତ ପୋଲିସରେ ଜଣାନ୍ତୁ ବୋଲି ଡିଜି ଆଜି ଏକ ସାମ୍ବାଦିକ ସମ୍ମିଳନୀ ଜରିଆରେ ନିବେଦନ କିରଛନ୍ତି।

ଗତ କିଛି ଦିନ ଧରି ରାୟଗଡ଼ା ଜିଲ୍ଲା ଓ ଦକ୍ଷିଣ ଓଡ଼ିଶାର କିଛି ଅଞ୍ଚଳରେ ପିଲା ଚୋରି ଗୁଜବ ପ୍ରଚାରିତ ହେଉଥିବା ବେଳେ ଏହାକୁ ନେଇ ଆତଙ୍କିତ ହେବା ସହ ବହୁ ଲୋକଙ୍କୁ ଆକ୍ରମଣ କରିଥିବା ଦେଖିବାକୁ ମିଳିଛି।

 

You might also like