ବିଜେପି ଛାଡ଼ିଲେ ଯଶୱନ୍ତ ସିହ୍ନା
ନୂଆଦିଲ୍ଲୀ: ବହୁ ବାଦ ବିବାଦ ପରେ ଶେଷରେ ବିଜେପି ଛାଡ଼ିଲେ ଦଳର ବରିଷ୍ଠ ନେତା ଯଶବନ୍ତ ସିହ୍ନା। ଶନିବାର ପାଟନାରେ ଏକ ବୈଠକ କରି ସେ ଏହି ସୂଚନା ଦେଇଛନ୍ତି। ଏହି ବୈଠକରେ କଂଗ୍ରେସ ସମେତ ଅନ୍ୟ ବିରୋଧୀ ନେତାମାନେ ମଧ୍ୟ ସାମିଲ ହୋଇଥିଲେ। ଏହି ଅବସରରେ ଯଶୱନ୍ତ ବିଜେପି ସହ ସେ ସମସ୍ତ ସମ୍ପର୍କ ଛିନ୍ନ କରୁଛନ୍ତି ବୋଲି ଘୋଷଣା କରିଛନ୍ତି। ଏଥି ସହିତ ସେ ରାଜନୀତିରୁ ସନ୍ନ୍ୟାସ ନେବା କଥା ମଧ୍ୟ କହିଛନ୍ତି।
ଦୀର୍ଘ ୪ ବର୍ଷ ହେବ ବିଭିନ୍ନ କାର୍ଯ୍ୟରେ ବିଜେପିକୁ ବିରୋଧ କରି ଆସୁଥିଲେ ଯଶୱନ୍ତ। ଏଥିପାଇଁ ଦଳରେ ତାଙ୍କ ପ୍ରତି ଅସନ୍ତୋଷ ଦେଖା ଦେଇଥିଲା। ତେବେ ଆଜି ସେ ସର୍ବ ସମ୍ମୁଖରେ ବିଜେପି ଛାଡ଼ିବା ନେଇ ଘୋଷଣା କରିଛନ୍ତି। ୮୦ ବର୍ଷୀୟ ଯଶୱନ୍ତ ବାଜପେୟୀ ସରକାରରେ ଅର୍ଥ ଓ ବୈଦେଶିକ ବ୍ୟାପାର ମନ୍ତ୍ରୀ ଭାବେ ଦାୟିତ୍ୱ ତୁଲାଇଥିଲେ।