ଯୁବତୀଙ୍କୁ ପିଟିଲା ପୋଲିସ୍, ଭାଇରାଲ ହେଲା ମାଡ଼ ଦାଗର ଭିଡ଼ିଓ!
ଭୁବନେଶ୍ୱର: ଯୁବତୀଙ୍କୁ ପୋଲିସର ମାଡ଼ ଅଭିଯୋଗ। ଭୁବନେଶ୍ୱର ନୟାପଲ୍ଲୀ ଅଞ୍ଚଳରେ ପୋଲିସ ମାଡ଼ରେ ଦୁଇ ଜଣ ଯୁବତୀ ଆହତ ହୋଇଥିବା ନେଇ ସୋସିଆଲ ମିଡିଆରେ ଏକ ଭିଡିଓ ଭାଇରାଲ ହୋଇଛି। ଆହତ ଯୁବତୀ ସମ୍ପର୍କରେ ଦୁଇ ଭଉଣୀ ବୋଲି ସୂଚନା ମିଳିଛି।
ଅଭିଯୋଗ ଅନୁଯାୟୀ, ଜମିଜମା ଗଣ୍ଡଗୋଳକୁ ନେଇ ୨ ପରିବାର ମଧ୍ୟରେ ମାଡ଼ପିଟ ହୋଇଥିଲା। ଗୋଟିଏ ପରିବାରର ଅଭିଯୋଗ ପାଇ ପୋଲିସ ଘଟଣାସ୍ଥଳରେ ପହଞ୍ଚିଥିଲା। ପୋଲିସ ପ୍ରତିପକ୍ଷ ପରିବାରର ଦୁଇ ଯୁବତୀଙ୍କୁ ଥାନାକୁ ଯିବା ପାଇଁ କହିବାରୁ ସମ୍ପୃକ୍ତ ଯୁବତୀ ଦ୍ୱୟ ପୋଲିସକୁ ମାଡ ମାରିଥିବା ନେଇ ଗତ ୬ ତାରିଖରେ ନୟାପଲ୍ଲୀ ଥାନାରେ ଅଭିଯୋଗ ହୋଇଥିଲା।
ପୋଲିସକୁ ମାଡ ଘଟଣାରେ ଦୁଇ ଯୁବତୀଙ୍କୁ କୋର୍ଟ ଚାଲାଣ କରାଯାଇଥିଲା। ତେବେ ଜାମିନରେ ଆସିଥିବା ଯୁବତୀଙ୍କ ଦେହରେ ମାଡ଼ ଦାଗର ଭିଡିଓ ଭାଇରାଲ ହୋଇଥିଲା।
ଏପଟେ ଥାନାରେ ପୋଲିସ ମାଡ ମାରିଥିବା ନେଇ ଅଭିଯୋଗ କରିଛନ୍ତି ଦୁଇ ଭଉଣୀ। ଅନ୍ୟପକ୍ଷରେ, ଘଟଣାର ତଦନ୍ତ ହେବ ବୋଲି କହିଛନ୍ତି ପୋଲିସ କମିଶନର ୱାଇ.ବି ଖୁରାନିଆ।