ବେଆଇନ ନିର୍ମାଣ ଉଚ୍ଛେଦ ବେଳେ ମହିଳା ଅଧିକାରୀଙ୍କୁ ଗୁଳିକରି ହତ୍ୟା: ପୋଲିସ ଉପସ୍ଥିତିରେ ଖସିଗଲା ଦୁର୍ବୃତ୍ତ
ସୋଲନ: ବେଆଇନ ନିର୍ମାଣକୁ ଉଚ୍ଛେଦ ବେଳେ ମହିଳା ଅଧିକାରୀଙ୍କୁ ଗୁଳି କରି ହତ୍ୟା। ଏଭଳି ଘଟଣା ଘଟିଛି ହିମାଚଳ ପ୍ରଦେଶର ସୋଲନ ଜିଲ୍ଲାରେ କସୌଲିଠାରେ।
ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ ଅନୁସାରେ ସୋଲନ ଜିଲ୍ଲାର ବିଭିନ୍ନ ସ୍ଥାନରେ ହୋଇଥିବା ବେଆଇନ ନିର୍ମାଣକୁ ଉଚ୍ଛେଦ କାର୍ଯ୍ୟ ଚାଲିଛି। ଗତକାଲି ଏହାର ତଦାରଖ କରିବାକୁ ନିଜ ଟିମ୍ ସହ ଯାଇଥିଲେ ସୋଲନ ଜିଲ୍ଲାର ସହକାରୀ ଟାଉନ୍ ପ୍ଲାନର ଶୈଳବାଳା ଶର୍ମା।
ସେମାନେ କସୌଲିର ନାରାୟଣ ଗେଷ୍ଟ ହାଉସକୁ ଉଚ୍ଛେଦ କରିବା ସମୟରେ ଏହାର ମାଲିକ ବିଜୟ ସିଂ ଏହାକୁ ବିରୋଧ କରିଥିଲେ। କିନ୍ତୁ ଉଚ୍ଛେଦ କାର୍ଯ୍ୟ ଜାରି ରହିବାରୁ ବିଜୟ ରାଗି ଯାଇ ଶୈଳବାଳାଙ୍କ ଉପରେ ଗୁଳି ଚଳାଇଥିଲେ। ଘଟଣାସ୍ଥଳରେ ତାଙ୍କର ମୃତ୍ୟୁ ହୋଇଥିଲା। ଗୁଳିମାଡ଼ରେ ସେଠାରେ ଥିବା ଜଣେ ଅଧିକାରୀ ଆହତ ମଧ୍ୟ ହୋଇଛନ୍ତି।
ପୋଲିସର ଉପସ୍ଥିତି ସତ୍ତ୍ୱେ ଗୁଳିମାଡ଼ କରିଥିବା ହୋଟେଲ୍ ମାଲିକ ବିଜୟ ସିଂ ଫେରାର୍ ହେବାରେ ସଫଳ ହୋଇଥିଲା। ଏହି ଘଟଣାକୁ ଗୁରୁତର ସହ ନେଇଛନ୍ତି ସୁପ୍ରିମକୋର୍ଟ। ଉଚ୍ଛେଦ ସମୟରେ ଅଫିସର ମାନଙ୍କୁ ସୁରକ୍ଷା ଦେବାରେ ପୋଲିସ ପଦକ୍ଷେପ ନେଇ ନଥିବାରୁ ସୁପ୍ରିମକୋର୍ଟ ଭର୍ତ୍ସନା କରିଛନ୍ତି। ଏନେଇ ଆସନ୍ତାକାଲି କୋର୍ଟରେ ଶୁଣାଣି ହେବ।