କନ୍ୟା ସନ୍ତାନକୁ ଜନ୍ମ ଦେବା ପରେ ମାଆର ମୃତ୍ୟୁ

ବାରିପଦା : କନ୍ୟା ସନ୍ତାନକୁ ଜନ୍ମ ଦେବା ପରେ ମାଆର ମୃତ୍ୟୁ। ମୟୂରଭଞ୍ଜ ଜିଲ୍ଲା ବାଙ୍ଗିରିପୋଷି ଥାନା ମାଣିଦା ଗାଁରେ ଘଟିଛି ଏଭଳି ଅଭାବନୀୟ ଘଟଣା। ମୃତ ମହିଳା ମାଣିଦା ଗାଁର ରାଜେଶ କୁମାର ସେଠୀଙ୍କ ପତ୍ନୀ ମିତା ସେଠୀ। ମିଳିଥିବା ସୂଚନା ଅନୁସାରେ, ରାଜେଶ ଓ ତାଙ୍କ ଆସନ୍ନ ପ୍ରସବା ପତ୍ନୀଙ୍କ ମଧ୍ୟରେ ମତାନ୍ତର ଥିଲା।

ଗତକାଲି ରାତିରେ ମହିଳା ଜଣକ ନିଜର ଅନ୍ୟ ଦୁଇ ଛୁଆଙ୍କ ସହ ଘର ଭିତରୁ ବନ୍ଦ କରି ଶୋଇଥିଲେ। ରାତିରେ ତାଙ୍କର ପ୍ରସବ ଯନ୍ତ୍ରଣା ହେବା ସହ ସେ ଏକ କନ୍ୟା ସନ୍ତାନକୁ ଜନ୍ମ ଦେଇଥିଲେ। ତେବେ ସକାଳ ସୁଦ୍ଧା ଘର ନଖୋଲିବାରୁ ଖବର ପାଇ ତାଙ୍କ ବାପଘର ଲୋକେ ଆସି କବାଟ ଭାଙ୍ଗି ମହିଳା ଓ ନବଜାତ ଶିଶୁଙ୍କୁ ଉଦ୍ଧାର କରିଥିଲେ। ଉଭୟଙ୍କୁ ବାଙ୍ଗିରିପୋଷି ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା। ତେବେ ସେଠାରେ ଡାକ୍ତର ମହିଳାଙ୍କୁ ମୃତ ଘୋଷଣା କରିଥିଲେ।

ସେପଟେ ନବଜାତ ଶିଶୁକନ୍ୟାର ଅବସ୍ଥା ମଧ୍ୟ ଗୁରୁତର ଥିବା ସୂଚନା ମିଳିଛି। ଏହି ଘଟଣାରେ ବାଙ୍ଗିରିପୋଷି ପୋଲିସ ମହିଳାଙ୍କ ସ୍ୱାମୀଙ୍କୁ ଅଟକ ରଖି ଘଟଣାର ତଦନ୍ତ କରୁଛି।

 

You might also like