ହେଡ୍ଫୋନ ଲଗେଇ ଶୋଇପଡିଲେ ; କରେଣ୍ଟ ଲାଗି ଚାଲିଗଲା ମହିଳାଙ୍କ ଜୀବନ
ତାମିଲନାଡୁ : ଆପଣ ଅନେକ ସମୟରେ ଦେଖିଥିବେ କିଛି ଲୋକ ହେଡ୍ଫୋନ୍ ଲଗେଇ ଗୀତ ଶୁଣି ଶୋଇଯାଆନ୍ତି। ଏମିତି ଅଭ୍ୟାସ ଅନେକ ଲୋକଙ୍କର ଅଛି। ହେଲେ ଏହା ଯେ ବିପଦ ଜନକ ହୋଇପାରେ ଆପଣ କେବେ ଭାବିନଥିବେ। ଏମିତି ଏକ ଘଟଣା ସାମ୍ନାକୁ ଆସିଛି।
ମିଳିଥିବା ସୂଚନା ଅନୁସାରେ, ତାମିଲନାଡୁର ରାଜଧାନୀ ଚେନ୍ନାଇରେ ଜଣେ ମହିଳାଙ୍କ ଏହି ଭୁଲ୍ ପାଇଁ ତାଙ୍କ ଜୀବନ ଯାଇଛି। ୪୬ ବର୍ଷୀୟ ଏହି ମହିଳାଙ୍କର ଗୀତ ପ୍ରତି ଭାରି ସଉକ ଥିଲା। ସେ ଅନେକ ସମୟରେ ହେଡ୍ଫୋନ୍ରେ ଗୀତ ଶୁଣନ୍ତି। ହେଲେ ସେଦିନ ହେଡ୍ଫୋନ୍ ଲଗାଇ ଶୋଇପଡିଥିଲେ। ସେଥିରୁ କରେଣ୍ଟ ଲାଗି ତାଙ୍କର ମୃତ୍ୟୁ ହୋଇଛି।
ପୁଲିସ୍ର ସୂଚନା ଅନୁସାରେ, ଶନିବାର ରାତିରେ ମହିଳା ଜଣଙ୍କ ହେଡଫୋନ୍ ଲଗେଇ ଶୋଇଥିଲେ। ରବିବାର ସକାଳେ ମହିଳାଙ୍କ ସ୍ୱାମୀ ତାଙ୍କୁ ଉଠାଇବାକୁ ଯେତେବେଳେ ଚେଷ୍ଟା କଲେ ,ସେ ଉଠିନଥିଲେ। ତାପରେ ତାଙ୍କୁ ନେଇ ସ୍ଥାନୀୟ ଡାକ୍ତରଖାନା ଯାଇଥିଲେ। ସେଠାରେ ଡାକ୍ତର ସଂପୃକ୍ତ ମହିଳାଙ୍କୁ ମୃତ ଘୋଷଣା କରିଥିଲେ।
ଡାକ୍ତର ଏହାକୁ ବିଦ୍ୟୁତ୍ ଆଘାତରେ ମୃତ୍ୟୁ ହୋଇଥିବାର କହିଥିଲେ। ପୁଲିସ୍ ପ୍ରାରମ୍ଭିକ ଯାଂଚରୁ ସର୍ଟ ସର୍କିଟ ଯୋଗୁଁ କରେଣ୍ଟ ଲାଗିଥିବାର ସୂଚନା ଦେଇଛି।