ପୋଡ଼ି ମାରି ଦେଲେ ସ୍ୱାମୀ ଓ ଶାଶୁ-ଶ୍ୱଶୁର

ଖୋର୍ଦ୍ଧା  : ଯେତେ ସଚେତନତା ଏବଂ ଆଇନ ତିଆରି କଲେ ବି ଯୌତୁକ ରାକ୍ଷାସ କବଳରୁ ଫିଟିପାରୁନି ମଣିଷ । ଆଜି ବି ବୋହୂଟି ଜଳୁଛି ଯୌତୁକ ଜୁଈରେ। ଜଳିପୋଡ଼ି ଧୂଳିସାତ ହୋଇଯାଉଛି, ତାର ସବୁ ଅସୁମାରୀ ସ୍ୱପ୍ନ । ଆଜି ଖୋର୍ଦ୍ଧା ଜିଲ୍ଲାରୁ ଆସିଛି ଆଉ ଏକ ସମ୍ବେଦନଶୀଳ ଏବଂ ସ୍ପର୍ଶକାତର ଘଟଣା । ୮ ବର୍ଷ ତଳେ ବିବାହ କରିଥିବା ବୋହୂକୁ ଯୌତୁକ ପାଇଁ ସ୍ୱାମୀ ସହ ମିଶି କିରୋସିନି ନିଆଁରେ ଜାଳି ମାରିଦେଇଛନ୍ତି ଶ୍ୱଶୁର ଏବଂ ଶାଶୁ । ବୋହୂ ସିନା ଚାଲିଯାଇଛି ଆରପାରିକୁ, ହେଲେ ଛାଡ଼ିଯାଇଛନ୍ତି ସଭ୍ୟ ସମାଜକୁ ଦୋହଲାଇଦେଲା ଭଳି ମୃତ୍ୟୁକାଳୀନ ବୟାନ ।

ନାଁ ଥିଲା ଚନ୍ଦ୍ରକାନ୍ତି । ହେଲେ ଗ୍ରାସିଲା ଯୌତୁକରୂପୀ ଗ୍ରହଣ । ଯୌତୁକ ଜୁଈର ବହ୍ନିରେ ଜଳିପୋଡ଼ି ଲିଭିଗଲା ଚନ୍ଦ୍ରକାନ୍ତିଙ୍କ ଜୀବନ । ନୀରବି ଯାଇଛି ବାପାର ମନ, ଗୁମୁରି ଗୁମୁରି କାନ୍ଦୁଛି ମାଆର ପ୍ରାଣ । ମାନଗୋବିନ୍ଦ ବାରିକ, ମୃତ ଚନ୍ଦ୍ରକାନ୍ତିଙ୍କ ବାପା।

ମଙ୍ଗଳବାର, ଦିନ ପ୍ରାୟ ୧୦ଟା । ଅଭିଯୋଗ ଅନୁଯାୟୀ, ଖୋର୍ଦ୍ଧା ଜିଲ୍ଲା ଡିଙ୍ଗର ଗାଁରେ ରବୀନ୍ଦ୍ର ବାରିକ, ପୁଅ ଦେବାଶିଷ ଏବଂ ପତ୍ନୀ ମନୋରମାଙ୍କ ସହ ମିଶି କିରୋସିନି ଢ଼ାଳି ଜାଳିଦେଲେ ଚନ୍ଦ୍ରକାନ୍ତିଙ୍କୁ । ଅବସ୍ଥା ସଙ୍କଟାପନ୍ନ ହେବାରୁ ଭୟରେ ଭୁବନେଶ୍ୱରର ଏକ ଘରୋଇ ମେଡ଼ିକାଲ୍‌ରେ ଭର୍ତ୍ତି କରାଇଥିଲେ । କିନ୍ତୁ ଦୁର୍ଭାଗ୍ୟ, ଆଜି ସକାଳେ ତାଙ୍କର ମୃତ୍ୟୁ ହୋଇଯାଇଛି । ହେଲେ ମୃତ୍ୟୁ ପୂର୍ବରୁ ଚନ୍ଦ୍ରକାନ୍ତି ଛାଡ଼ିଯାଇଛନ୍ତି ଜମାନବନ୍ଦୀ ।

ଜୁଲାଇ ୧୪, ୨୦୧୦ । ଆଜିକୁ ଠିକ୍ ୮ ବର୍ଷ ତଳର କଥା । ରବୀନ୍ଦ୍ର ବାରିକଙ୍କ ପୁଅ ଦେବାଶିଷଙ୍କ ସହ ଝିଅକୁ ବିବାହ କରାଇଥିଲେ ନୟାଗଡ଼ ଅଞ୍ଚଳର ମାନଗୋବିନ୍ଦ ବାରିକ । ବାହାଘରର କିଛି ଦିନ ଯାଏଁ ସବୁକିଛି ଠିକ୍‌ଠାକ୍ ଥିଲା । କୋଳକୁ ଆସିଲେ ପୁଅ ଆଉ ଝିଅଟିଏ। କିନ୍ତୁ ମାଡ଼ି ବସିଲା ଯୌତୁକର ଲୋଭ। ଦାବି କଲେ ୫୦ ହଜାର ଟଙ୍କା ସହ ବାଇକ୍ । କିନ୍ତୁ ସକ୍ଷମ ନଥିବାରୁ ମନା କରିଦେଲେ ମାନଗୋବିନ୍ଦ । ତାପରେ ବୋହୂ ଉପରେ ପଡ଼ିଲା ନିର୍ଯାତନାର ପାହାର । ଶେଷରେ ସମ୍ପତ୍ତିର ଲୋଭରେ ଅନ୍ଧ ସାଜିଥିବା ରବୀନ୍ଦ୍ର ବାରିକ, ପୁଅ ଏବଂ ପତ୍ନୀ ସହ ମିଶି ନେଇଗଲେ ବୋହୂ ଚନ୍ଦ୍ରକାନ୍ତିଙ୍କ ଜୀବନ ।

ଘଟଣା ପରଠୁ ଦୁଇ ନାତି ନାତୁଣୀଙ୍କୁ ଧରି ଫେରାର ହୋଇଯାଇଛନ୍ତି ଜହ୍ଲାଦ ସ୍ୱାମୀ, ଶ୍ୱଶୁର ଓ ଶାଶୁ।

 

You might also like