ବିଜୟ ସମ୍ଭାବନା ଥିବା ବ୍ୟକ୍ତିଙ୍କୁ ହିଁ ଦଳୀୟ ଟିକେଟ ଦିଆଯିବ : ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ

ଭୁବନେଶ୍ୱର : କଂଗ୍ରେସର ୱାନ୍ ମ୍ୟାନ୍-ୱାନ୍ ପୋଷ୍ଟକୁ ନେଇ ଦଳ ଭିତରେ ଆପତ୍ତି ଓ ଅସନ୍ତୋଷ ଦେଖାଦେବା ପରେ ଏନେଇ ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକଙ୍କ ସ୍ପଷ୍ଟୋକ୍ତି। ନିରଞ୍ଜନ ଟ୍ୱିଟ୍ କରିଛନ୍ତି ଯେ, ୱାନ୍ ମ୍ୟାନ୍-ୱାନ୍ ପୋଷ୍ଟ ଅର୍ଥ ଏକ ସମୟରେ ଜଣେ ଉଭୟ ଦଳୀୟ ପଦବୀ ଓ ନିର୍ବାଚିତ ପ୍ରତିନିଧି ହୋଇପାରିବେନି। ତେବେ ନିର୍ବାଚନ ଲଢ଼ିବା ପାଇଁ ପ୍ରସଙ୍ଗରେ ସେ କହିଛନ୍ତି ଯେ, ବିଜୟ ସମ୍ଭାବନା ଥିବା ବ୍ୟକ୍ତିଙ୍କୁ ହିଁ ଦଳୀୟ ଟିକେଟ ଦିଆଯିବ।

ଜଣେ ଯେକୌଣସି ଦଳୀୟ ପଦବୀରେ ଥିଲେ ବି ତାଙ୍କର ବିଜୟ ସମ୍ଭାବନା ଥିଲେ ତାଙ୍କୁ ଟିକେଟ୍ ଦିଆଯିବ। ଏହି ପ୍ରସଙ୍ଗରେ ସେ ନିଜେ ମଧ୍ୟ ନିର୍ବାଚନ ଲଢ଼ିବେ ବୋଲି କହିଛନ୍ତି ନିରଞ୍ଜନ। ତେବେ ଯୁବକ, ମହିଳା ଏବଂ ନୂଆ ମୁହଁକୁ ଟିକେଟ୍ ବଣ୍ଟନରେ ଗୁରୁତ୍ୱ ଦିଆଯିବ। କୋରାପୁଟ କନ୍ଦଳ ପ୍ରସଙ୍ଗରେ ପଚାରିବାରୁ ଏହାକୁ ସେ କଂଗ୍ରସର ପରିବାର କଥା ବୋଲି କହିଛନ୍ତି।

କାଲି ପ୍ରଚାର କମିଟି ମୁଖ୍ୟ ଭକ୍ତ ଦାସ ମଧ୍ୟ ସମାନ କଥା କହିଥିଲେ ଯେ, ବିଜୟ ସମ୍ଭାବନା ହିଁ ମୂଳ ମାପକାଠି। ତେବେ ପୂର୍ବରୁ ଏହି ଫର୍ମୁଲାକୁ ମାନିବେ ନାହିଁ ବୋଲି ଖୋଲାଖୋଲି କହିଥିଲେ ନବ ନିର୍ବାଚିତ ଖୋର୍ଦ୍ଧା ଜିଲ୍ଲା ସଭାପତି ସୁର ରାଉତରାୟ। ଯଦି ନିର୍ବାଚନରେ ଛିଡ଼ା ହେବେନି ତେବେ ମୂଲ୍ୟ କଣ ବୋଲି ପ୍ରଶ୍ନ କରିବା ସହ ବିଦ୍ରୋହ କରିବି ନାହିଁ, କିନ୍ତୁ ଛିଡ଼ା ହେବାକୁ କେହି ଅଟକାଇ ପାରିବେ ନାହିଁ ବୋଲି ସେ ଦୃଢ଼ତାର ସହ କହିଥିଲେ।

You might also like