୫୦ ବର୍ଷୀୟା ବିଧବା ମହିଳା କଲେ ପ୍ରେମ ବିବାହ

ନୂଆଦିଲ୍ଲୀ : ପ୍ରେମ କୌଣସି ବାଧା କି ବନ୍ଧନ ମାନି ନଥାଏ। ଏହା କୌଣସି ସ୍ଥାନ କାଳ ପାତ୍ର ମଧ୍ୟ ଦେଖିନଥାଏ। ପ୍ରେମ ଚିର ଶ୍ୱାଶ୍ୱତ ଓ ସତ୍ୟ। ପ୍ରେମ ହେଉଛି ଏକ ଶକ୍ତିଶାଳୀ ଭାବପ୍ରବଣତା। କେତେବେଳେ କାହାକୁ ପ୍ରେମ ହୋଇଯାଏ, ଏହାକେହି ଜାଣିପାରନ୍ତି ନାହିଁ। ଏହା କଳ କଲ୍ଲୋଳିନୀ ନଦୀ ପରି ହୃଦୟରୁ ହୃଦୟକୁ ବହିଯାଇଥାଏ।

ଏମିତି ଏକ ନିଚ୍ଛକ ପ୍ରେମର ଉଦାହରଣ ଦେଖିବାକୁ ମିଳିଛି। କୋମଲା ନାମକ ଜଣେ ବିଧବା ମହିଳା ସମାଜ , ପରିବାର ଓ ନିଜ ପିଲାଙ୍କ ଖୁବ୍‌ ବିରୋଧ ସତ୍ତ୍ୱେ ୫୦ ବର୍ଷ ବୟସରେ ବି ପ୍ରେମକୁ ପାଇବାକୁ ଆଗେଇଯାଇଛନ୍ତି । ଆଉ କରିଛନ୍ତି ବିବାହ। ନିଜର ପ୍ରେମକୁ କରିଛନ୍ତି ସାର୍ଥକ। କୋମୋଲାଙ୍କ ଏହି ପ୍ରେମ କାହାଣୀକୁ ବାଂଲାଦେଶର ଫଟୋଗ୍ରାଫର ଜିଏମବି ଆକାଶ ନିଜର ଫେସବୁକ୍‌ ପେଜରେ ପୋଷ୍ଟ କରିଥିଲେ। ଏହି କାହାଣୀର ତଥ୍ୟ ଅନୁସାରେ, କମ୍ ବୟସରେ କୋମୋଲାଙ୍କ ବିବାହ ହୋଇଥିଲା। ମାତ୍ର ୨୫ ବର୍ଷ ବୟସରେ ତାଙ୍କ ସ୍ୱାମୀଙ୍କ ଦେହାନ୍ତ ହୋଇଯାଇଥିଲା। ଆଉ କେହି ତାଙ୍କୁ ସାହାରା ଦେବାକୁ ନଥିଲେ। ସ୍ୱାମୀଙ୍କୁ ହରେଇ ସେ ସଂପୂର୍ଣ୍ଣ ନିଃସଙ୍ଗ ପାଲଟିଯାଇଥିଲେ। ଜଣେ ଏକୁଟିଆ ବିଧବା ମହିଳା ଭାବେ ସେ ନିଜର ଏବଂ ପରିବାରର ଭରଣପୋଷଣ କରିବା ପାଇଁ ଅନେକ ପ୍ରକାରର ଅସୁବିଧାର ସମ୍ମୁଖୀନ ହୋଇଥିଲେ।

ଏହାପରେ ସେ ପାଉଁରୁଟି ଏବଂ ଅଣ୍ଡା ବିକ୍ରି କରିବା ଆରମ୍ଭ କରିଥିଲେ। ଗତ ୨୦ ବର୍ଷ ହେଲା ସେ ଏହି କାମ କରି ନିଜ ପିଲାଙ୍କୁ ପାଳିଆସୁଥିଲେ। ବହୁତ ପରିଶ୍ରମ କରି ନିଜର ଆର୍ଥିକ ସ୍ଥିତିରେ ସୁଧାର ଆଣିବା ସହ ଏକ ରେସ୍ତୋରାଁ ଖୋଲିଥିଲେ। ସେଥିରୁ  ଯାହା ଲାଭ ମିଳିଲା, ସେହି ଟଙ୍କାରେ ନିଜ ଗାଁରେ ଜମି କିଣି ଘର କଲେ ଓ ନିଜ ପିଲାଙ୍କର ବିବାହ କରାଇଲେ।

ଖୁବ୍‌ କମ୍‌ ବୟସରୁ ସ୍ୱାମୀଙ୍କୁ ହରାଇ ମାନସିକ ଭାବେ ଏକୁଟିଆ ଅନୁଭବ କରୁଥିଲେ।ଦିନେ ତାଙ୍କ ରେସ୍ତୋରାଁକୁ ଜଣେ ମଜୁରିଆ ଖାଇବା ପାଇଁ ଆସିଥିଲେ। ପ୍ରଥମ ନଜରରେ କୋମୋଲା ସେହି ମଜୁରିଆଙ୍କୁ ଏତେ ପସନ୍ଦ ଆସିଥିଲେ ଯେ ସେ ତାଙ୍କୁ ଦେଖାକରିବା ପାଇଁ ପ୍ରାୟ ସବୁଦିନ ରେସ୍ତୋରାଁକୁ ଆସିବା ଆରମ୍ଭ କରିଦେଲେ। କୋମୋଲାଙ୍କୁ କାମରେ ମଧ୍ୟ ସାହାଯ୍ୟ କଲେ ସେ। ରେସ୍ତୋରାଁରେ କଂସାବାସନ ଧୋଇବା କାମ ବି ସେ କରିଦେଉଥିଲେ। ସେମାନଙ୍କ ମଧ୍ୟରେ ଥିରେ ଥିରେ ପ୍ରେମ ସଂପର୍କ ସ୍ଥାପନ ହେଲା। ଦିନେ ମଜୁରିଆ ଜଣକ କୋମୋଲାଙ୍କୁ ବିବାହ କରିବା ପାଇଁ ପ୍ରସ୍ତାବ ଦେଲେ।

ଏଘଟଣା ସଂପର୍କରେ କୋମୋଲାଙ୍କ ପରିବାର ଲୋକ ଜାଣିପାରି ସେମାନେ ଏହାର ପ୍ରତିବାଦ କଲେ। ଆଉ ସେହି ମଜୁରିଆଙ୍କୁ ମାଡ଼ ମାରି ତଡ଼ିଦେଇଥିଲେ । କିନ୍ତୁ ପ୍ରକୃତ ପ୍ରେମ କେବେ କାହାକୁ ଡ଼ରେନା। ଏଣୁ କିଛି ଦିନ ବ୍ୟବଧାନରେ ପୁଣିଥରେ ମଜୁରିଆ ଜଣକ କୋମୋଲାଙ୍କ ପାଖକୁ ଆସି ତାଙ୍କୁ ବିବାହ କରିବା ପାଇଁ ଆଉଥରେ ପ୍ରସ୍ତାବ ଦେଇଥିଲେ । ଏଥର କିନ୍ତୁ କୋମୋଲା ସମାଜ ଏବଂ ତାଙ୍କ ପରିବାରର ବିରୋଧରେ ଯାଇ ତାଙ୍କୁ ବିବାହ କରିଥିଲେ । ବର୍ତ୍ତମାନ ଏହି ଦମ୍ପତି ୫ ବର୍ଷ ହେଲା ଏକା ସାଙ୍ଗରେ ରହିଛନ୍ତି । ଆଉ ଏ ପ୍ରେମ କାହାଣୀ ଏବେ ଚାରିଆଡେ ଚର୍ଚ୍ଚାର ବିଷୟ ସାଜିଛି।

(ଫଟୋ ସୌଜନ୍ୟ : khabar.ndtv.com)

You might also like
Comments
Loading...