କାମ ସରିବାର ଦେଢ଼ମାସ ପରେ ବି କାହିଁକି ଉଦ୍ଘାଟନ ହେଉନି ଗୁରୁପ୍ରିୟା
ମାଲକାନଗିରି/ଚିତ୍ରକୋଣ୍ଡା: ବାରମ୍ବାର ଡେଡ୍ ଲାଇନ ଟପିବା ପରେ ଶେଷରେ କାମ ସରିଛି। ହେଲେ ସରି ନାହିଁ ମାଲକାନଗିରି ବିଚ୍ଛିନ୍ନାଞ୍ଚଳବାସୀଙ୍କ ପ୍ରତୀକ୍ଷା। ଏବେ ରାଜନୀତିର ଚକ୍ରବ୍ୟୁହରେ ଯେମିତି ଫସି ଯାଇଛି ଗୁରୁପ୍ରିୟା ସେତୁ ଉଦ୍ଘାଟନ । ମୁଖ୍ୟମନ୍ତ୍ରୀ ସୋସିଆଲ ମିଡିଆରେ ଫଟୋ ଛାଡ଼ି ଖୁବ୍ ଶୀଘ୍ର ସେତୁ ଉଦ୍ଘାଟନ ହେବ ବୋଲି ଜଣାଇଥିଲେ। କାମ ସରିବାର ଦେଢମାସରୁ ଅଧିକ ସମୟ ବିତି ଯାଇଥିଲେ ବି ମୁଖ୍ୟମନ୍ତ୍ରୀ କାହିଁକି ସେତୁ ଉଦ୍ଘାଟନ କରୁନାହାନ୍ତି ତାକୁ ନେଇ ଉଠିଛି ଅନେକ ପ୍ରଶ୍ନ।
ଚକମକିଆ ଆଲୁଅରେ ଝଲସୁଛି ଗୁରୁପ୍ରିୟା ସେତୁ। ଟୁଇଟରରେ ମୁଖ୍ୟମନ୍ତ୍ରୀ ଛାଡିଥିବା ଏହି ଫଟୋ ଦେଖି ଖୁସି ହୋଇଯାଇଥିଲେ ମାଲକାନଗିରି ବିଚ୍ଛିନ୍ନାଞ୍ଚଳବାସୀ। ଭାବିଥିଲେ ଖୁବ୍ ଶୀଘ୍ର ଦୂର ହେବ ସେମାନଙ୍କ କଷ୍ଟ। ଡଙ୍ଗାରେ ବିପଦପୂର୍ଣ୍ଣ ଯାତ୍ରା ବଦଳରେ ସେତୁ ଉପରେ ଆରାମରେ ଯାଆସ କରିବେ। ତେବେ ସେମାନଙ୍କ ଆଶା କେବେ ପୂରଣ ହେବ ତାକୁ ନେଇ ଦେଖାଦେଇଛି ଅନିଶ୍ଚିତତା। କାହିଁକି ନା ରାଜନୀତିର ପଶାପାଲିରେ ଫସିଯାଇଛି ଗୁରୁପ୍ରିୟା ସେତୁ। କାମ ସାରିବା ଡେଡ୍ ଲାଇନ ଭଳି ବାରମ୍ବାର ବଦଳୁଛି ଉଦ୍ଘାଟନ ତାରିଖ।
ଦୁଇଟି ପ୍ରସଙ୍ଗ ସରକାରଙ୍କ ପାଇଁ ଅଡୁଆ ପରିସ୍ଥିତି ସୃଷ୍ଟି କରିଥିବା ଚର୍ଚ୍ଚା ହେଉଛି। ଗୋଟିଏ ହେଲା କଂଗ୍ରେସର ବିରୋଧ, ଜିଲ୍ଲାବାସୀଙ୍କ ପ୍ରମୁଖ ୫ଟି ଦାବି ପୂରଣ ନକଲେ ମୁଖ୍ୟମନ୍ତ୍ରୀଙ୍କ ଗସ୍ତକୁ ଜୋରଦାର ବିରୋଧ କରିବ ବୋଲି ଚେତାବନୀ ଦେଇଛି କଂଗ୍ରେସ। ସେ ଦୃଷ୍ଟିରୁ ସେତୁ ଉଦ୍ଘାଟନରେ ବିଳମ୍ବ ହେଉଥିବା କୁହାଯାଉଛି। ଦ୍ୱିତୀୟଟି ହେଲା ଥାର୍ଡ ପାର୍ଟି ଦ୍ୱାରା ସୁରକ୍ଷା ଯାଞ୍ଚ। ନିର୍ମାଣଧୀନ ଅବସ୍ଥାରେ ଗୋଟିଏ ପିଲର ଦବିଯିବାରୁ କାମର ଗୁଣବତ୍ତା ନେଇ ଉଠିଥିଲା ପ୍ରଶ୍ନ। ସେ ଦୃଷ୍ଟିରୁ ଥାର୍ଡ ପାର୍ଟି ଦ୍ୱାରା କାମର ଯାଞ୍ଚ ହେବ ବୋଲି ସରକାର କହିଥିଲେ। ତେବେ ଏଯାଏଁ ଏହି ପ୍ରକ୍ରିୟା ସରିନାହିଁ। ତେଣୁ ଉଦ୍ଘାଟନରେ ବିଳମ୍ବ ହେଉଥିବା ସୂଚନା ମିଳିଛି।
ତେବେ ସେତୁର ଶେଷ ପର୍ଯ୍ୟାୟରେ ଲୋଡ୍ ଟେଷ୍ଟ କାମ ଚାଲିଛି। ଏହା ଆଉ ଦୁଇ ଦିନ ଲାଗିବ। ତେଣୁ ୨୯ ତାରିଖ ପରେ ସେତୁର ଉଦ୍ଘାଟନ କରାଯାଇପାରିବ ବୋଲି ଡିଜାଇନ ଇଂଜିନିୟର ମତ ଦେଇଛନ୍ତି।