ନ୍ୟାୟପାଳିକାରେ ସରକାରଙ୍କ ହସ୍ତକ୍ଷେପ ଅଭିଯୋଗ ବିବାଦ : CJIଙ୍କୁ ଜଷ୍ଟିସ ଚେଲମେଶ୍ୱରଙ୍କ ଚିଠି ପରେ ହଟଚମଟ
ଭୁବନେଶ୍ୱର : ନ୍ୟାୟପାଳିକା-ସରକାର ମଧୁଚନ୍ଦ୍ରିକା ଗଣତନ୍ତ୍ର ପାଇଁ ବିପଦ। ନ୍ୟାୟପାଳିକାରେ କେନ୍ଦ୍ର ସରକାରଙ୍କ ହସ୍ତକ୍ଷେପ ଆଦୌ ଗ୍ରହଣୀୟ ନୁହେଁ। ସୁପ୍ରିମକୋର୍ଟର ନମ୍ବର ଟୁ ବିଚାରପତି କେ. ଚେଲମେଶ୍ୱର, ପ୍ରଧାନ ବିଚାରପତି ଜଷ୍ଟିସ୍ ଦୀପକ ମିଶ୍ରଙ୍କୁ ଲେଖିଥିବା ଏ ସମ୍ପର୍କିତ ଚିଠିକୁ ନେଇ ଏବେ ସାରା ଦେଶରେ ଚାଲିଛି ଜୋରଦାର ଚର୍ଚ୍ଚା। ଆଲୋଚନା ଏମିତି କି ଏହା ଉପରେ ବିଚାର ଲାଗି ସୁପ୍ରିମକୋର୍ଟଙ୍କ ପୂର୍ଣ୍ଣ ବେଞ୍ଚ ଡକାଇବାକୁ ଚିଠିରେ ଅନୁରୋଧ କରିଛନ୍ତି ଚେମେଲେଶ୍ୱର।
ସେହି ଚିଠିର ଗୋଟିଏ ଲେଖାଏଁ ନକଲ ସାଥୀ ଅନ୍ୟ ୨୨ଜଣ ବିଚାରପତିଙ୍କୁ ମଧ୍ୟ ଦେଇଛନ୍ତି ଚେଲମେଶ୍ୱର। ଯାହାକୁ ନେଇ କେନ୍ଦ୍ର ସରକାରଙ୍କୁ ଘେରିଛନ୍ତି ବିରୋଧୀ। କହିଛନ୍ତି ଏହା ସତ ହୋଇଥିଲେ ସାଂଘାତିକ। ସୁପ୍ରିମକୋର୍ଟରେ ମାମଲା ଆବଣ୍ଟନରେ ପକ୍ଷପାତିତା ଅଭିଯୋଗ କରି ଗତ ଜାନୁଆରୀ ୧୨ରେ ପ୍ରଧାନ ବିଚାରପତିଙ୍କ ବିରୋଧରେ ଯେଉଁ ୪ଜଣ ବିଚାରପତି ସାମ୍ବାଦିକ ସମ୍ମିଳନୀ କରି ଚର୍ଚ୍ଚାକୁ ଆସିଥିଲେ ସେମାନଙ୍କ ମଧ୍ୟରେ ଅନ୍ୟତମ ଥିଲେ ଜଷ୍ଟିସ୍ ଚେଲମେଶ୍ୱର।
ସେପଟେ ସୁପ୍ରିମକୋର୍ଟ ପ୍ରଧାନ ବିଚାରପତି ଜଷ୍ଟିସ୍ ଦୀପକ ମିଶ୍ରଙ୍କ ବିରୋଧରେ ମହାଭିଯୋଗ ପ୍ରସ୍ତାବକୁ ନେଇ ବିରୋଧୀ ଏକଜୁଟ୍ ହେଉଥିବା ବେଳେ, ବିଜେଡିର ଆଭିମୁଖ୍ୟ କଣ ତାକୁ ନେଇ ଚାଲିଛି ଚର୍ଚ୍ଚା। ଏମିତିକି କଂଗ୍ରେସର ମହାଭିଯୋଗ ପ୍ରସ୍ତାବକୁ ବିଜେଡି ସମର୍ଥନ କରିବ ବୋଲି ସୋସିଆଲ୍ ମିଡିଆରେ ବିଭିନ୍ନ ଲେଖା ମଧ୍ୟ ପ୍ରକାଶ ପାଇଛି। ଯାହାକୁ ନେଇ ବିଜେଡିକୁ ଘେରିଛି ବିଜେପି। କହିଛି ଓଡ଼ିଶାର ଗର୍ବ ଦୀପକ ମିଶ୍ରଙ୍କ ବିରୋଧରେ ବଡ଼ ଧରଣର ଷଡ଼ଯନ୍ତ୍ର ଚାଲିଛି। ଜବାବରେ ବିଜେଡି କହିଛି, ଜଷ୍ଟିସ୍ ଦୀପକ ମିଶ୍ରଙ୍କ ପ୍ରତି ଦଳର ସମ୍ମାନ ରହିଛି। ସୋସିଆଲ୍ ମିଡିଆରେ ଯେଉଁ ଅପପ୍ରଚାର ଚାଲିଛି ତା ବିରୋଧରେ ଦଳ ଆଇନର ଆଶ୍ରୟ ନେଇପାରେ।
ସେପଟେ ସୁପ୍ରିମକୋର୍ଟ ପ୍ରଧାନ ବିଚାରପତିଙ୍କ ବିରୋଧରେ ମହାଭିଯୋଗ ପ୍ରସଙ୍ଗକୁ ବିରୋଧ କରି ହାଇକୋର୍ଟ ବାର ଆସୋସିଏସନର ପ୍ରତୀକ ଧର୍ମଘଟ ଜାରି ରହିଛି। ବିରୋଧୀ ଦଳଙ୍କ ପକ୍ଷରୁ ଅଣାଯାଇଥିବା ମହାଭିଯୋଗ ପ୍ରସଙ୍ଗକୁ ବାର୍ ସଦସ୍ୟମାନେ ନିନ୍ଦା କରିଛନ୍ତି।