ମେସେଜିଂ ବ୍ୟବସ୍ଥା ଉପରେ କଟକଣା ଲଗାଇଲା ହ୍ୱାଟସ ଆପ୍‌

ନୂଆଦିଲ୍ଲୀ: ଏଣିକି ହ୍ୱାଟସ ଆପ୍‌ରେ ଏକ ସମୟରେ ୫ରୁ ଅଧିକ ଚାଟ୍ ଫରଓ୍ୱାର୍ଡ କରିହେବ ନାହିଁ। ଏହା ଦ୍ୱାରା ଅତ୍ୟଧିକ ମେସେଜ, ଫଟୋ, ଭିଡିଓ ପଠାଯିବା ଉପରେ ରୋକ ଲାଗିବ। ଦେଶର ବିଭିନ୍ନ ସ୍ଥାନରେ ସୋଶାଲ୍‌ ମିଡିଆ ଦ୍ୱାରା ପ୍ରଚାରିତ ଖବରରୁ ଗଣ୍ଡଗୋଳ, ଅରାଜକତା ଏପରିକି ହତ୍ୟା ଘଟଣା ସାମ୍ନାକୁ ଆସୁଛି। ଏହାପରେ ହ୍ୱାଟସ ଆପ୍ ପକ୍ଷରୁ ଏହି ନିଷ୍ପତ୍ତି ନିଆଯାଇଛି।

ଅନେକ ସମୟରେ ସେୟାର କରାଯାଉଥିବା ଖବର ମିଛ ବୋଲି ମଧ୍ୟ ପ୍ରମାଣିତ ହୋଇଛି।  କିଛି ଦିନ ହେଲା ଅନେକ ରାଜ୍ୟରେ ପିଲା ଚୋରି ସନ୍ଦେହରେ ଲୋକଙ୍କୁ ଆକ୍ରମଣ କରି ନିସ୍ତୁକ ମାଡ଼ ମରାଯାଇଛି। ଏପରିକି ଲୋକଙ୍କ ମାଡ଼ରେ ପ୍ରାୟ ୩୦ ଜଣଙ୍କ ମୃତ୍ୟୁ ହୋଇଛି। ଏହା ପରେ କେନ୍ଦ୍ର ସୂଚନା ଓ ପ୍ରଯୁକ୍ତି ବିଦ୍ୟା ମନ୍ତ୍ରୀ ଏପରି ଖବର ରୋକିବାକୁ ହ୍ୱାଟସଆପ୍‌କୁ କହିଥିଲେ। ତେଣୁ ଯେମିତି କୌଣସି କଥା ଦ୍ରୁତ ଗତିରେ ଭାଇରାଲ୍ ନ ହୁଏ, ସେଥିପାଇଁ ଫରଓ୍ୱାର୍ଡ ମେସେଜ୍‌ରେ ଅଙ୍କୁଶ ଲଗାଇଛି। ସାରା ପୃଥିବୀରେ ଭାରତୀୟମାନେ ହ୍ୱାଟସ ଆପ୍‌ରେ ଅଧିକ ମେସେଜ, ଫଟୋ ଓ ଭିଡିଓ ଫରଓ୍ୱାର୍ଡ କରିଥାନ୍ତି। ଭାରତରେ ଏବେ ୨୦କୋଟିରୁ ଅଧିକ ଲୋକ ହ୍ୱାଟସ ଆପ୍ ବ୍ୟବହାର କରୁଛନ୍ତି।

You might also like