ବାହାଘର ଗିଫ୍ଟ ପ୍ୟାକେଟ୍‌ରେ ଆସିଥିଲା ମୃତ୍ୟୁ ସନ୍ଦେଶ : ବିସ୍ଫୋରଣରେ ଚାଲିଗଲା ବର ଓ ଜେଜେ ମା’ଙ୍କ ଜୀବନ

ବଲାଙ୍ଗିର : ବାହାଘର ଉପହାରରେ ଆସିଲା ମୃତ୍ୟୁ। ଉତ୍କଣ୍ଠାରେ ଖୋଲୁଥିଲେ ବାହାଘରର ଗିଫ୍ଟ ପ୍ୟାକେଟ୍ । ଭୟଙ୍କର ବିସ୍ଫୋରଣରେ ଚାଲିଗଲା ଗିଫ୍ଟ ପ୍ୟାକେଟ୍ ଖୋଲୁଥିବା ବର ଓ ତାଙ୍କ ଜେଜେମା’ଙ୍କ ଜୀବନ। ଆଉ ଏହା ସହ ନବବିବାହିତା ପତ୍ନୀଙ୍କ ଅବସ୍ଥା ବି ଗୁରୁତର।

ବଲାଙ୍ଗିର ପାଟଣାଗଡ଼ ଅନ୍ତର୍ଗତ ବ୍ରହ୍ମପୁରା ଗାଁରେ ଘଟିଛି ଏହି ଦେହଥରା ଘଟଣା । ଗିଫ୍ଟ ପ୍ୟାକେଟ୍‌ରେ କିଏ ଓ କାହିଁକି ଷଡ଼ଯନ୍ତ୍ରର ବାରୁଦ ଖଞ୍ଜିଥିଲା ତାହା ଜଣାପଡ଼ିନି ଏଯାଏ । ପୋଲିସ ସାଇଣ୍ଟିଫିକ୍ ଟିମ୍ ସହ ପହଞ୍ଚି ଘଟଣାର ଖୋଳତାଡ଼ କରୁଛି। ପୁରା ଘଟଣା ଥିଲା ଏହିପରି । ଗିଫ୍ଟ ପ୍ୟାକେଟ୍ ଖୋଲୁ ଖୋଲୁ ହେଲା ଭୟଙ୍କର ବିସ୍ଫୋରଣ। ଘର ଭିତରର ସେହି ଦୃଶ୍ୟ ହିଁ ବୟାନ କରୁଛି ବିସ୍ଫୋରଣର ଭୟାବହତା କେତେ। କେହି କିଛି ଭାବିବା ପୂର୍ବରୁ ମାଡ଼ି ବସିଲା ମୃତ୍ୟୁ। ଆଉ ବିସ୍ଫୋରଣରେ ବର ଓ ଘରର ଜେଜେମାଙ୍କର ହେଲା ମୃତ୍ୟୁ । ବଲାଙ୍ଗିର ଜିଲ୍ଲା ପାଟଣାଗଡ଼ର ବ୍ରହ୍ମପୁରା ଭୋଳାନାଥ ପଡ଼ାର ଏ ଘଟଣାରେ ସ୍ତବ୍ଧ ସାରା ଅଞ୍ଚଳ। ମୃତକ ହେଲେ ବର ସୌମ୍ୟ ଶେଖର ଓ ତାଙ୍କ ଜେଜେମା ଜେମାମଣୀ ସାହୁ। ନବବିବାହିତା ପତ୍ନୀ ରୀନା ମଧ୍ୟ ଗୁରୁତର ଆହତ ହୋଇଛନ୍ତି। ତାଙ୍କୁ ଗୁରୁତର ଅବସ୍ଥାରେ ବୁର୍ଲା ବଡ଼ ମେଡିକାଲକୁ ଅଣାଯାଇଛି।

ଭୋଳାନାଥ ପଡ଼ାର ଅଧ୍ୟାପକ ରବୀନ୍ଦ୍ର କୁମାର ସାହୁଙ୍କ ପୁଅ ସୌମ୍ୟଶେଖରଙ୍କର ଗତ ୧୮ ତାରିଖରେ ବାହାଘର ହୋଇଥିଲା। ବାହାଘରରୁ ଫୁରସତ୍ ମିଳିବା ପରେ ହସ ଖୁସିରେ ଗିଫ୍ଟ ପ୍ୟାକେଟ୍ ସବୁ ଖୋଲି ଦେଖିବାକୁ ଜେଜେମାଙ୍କ ସହ ବସିଯାଇଥିଲେ ସୌମ୍ୟ ଓ ପତ୍ନୀ ରୀନା । ହେଲେ ଗୋଟିଏ ଗିଫ୍ଟ ପ୍ୟାକେଟ୍ ଖୋଲୁ ଖୋଲୁ ଭୟଙ୍କର ବିସ୍ଫୋରଣ ସହ ମୁହୂର୍ତ୍ତକରେ ମିଳେଇ ଯାଇଥିଲା ସବୁ ଖୁସି। ଆର୍ତ୍ତ ଚିତ୍କାରରେ ବଦଳି ଯାଇଥିଲା ହସ ଖୁସିର ପରିବେଶ। ତେବେ ଏଠି ପ୍ରଶ୍ନ କିଏ ଦେଇଥିଲା ଏହି ଗିଫ୍ଟ ବକ୍ସ ?  କାହାକୁ ଟାର୍ଗେଟ୍ କରି ଏହି ବିସ୍ଫୋରକ ଦିଆଯାଇଥିଲା? ଏକ ଗିଫ୍ଟ ବାକ୍ସରେ ଏତେ ଶକ୍ତିଶାଳୀ ବିସ୍ଫୋରକ ଆସିଲା କୁଆଡୁ ? କିଏ ରଚିଥିଲା ଏ ଷଡ଼ଯନ୍ତ୍ର। ବିସ୍ଫୋରଣ ପରେ ଏମିତି ଅନେକ ପ୍ରଶ୍ନ ପୋଲିସ ସାଇଣ୍ଟିଫିକ୍ ଟିମ୍ ସହ ଘଟଣାସ୍ଥଳରେ ପହଞ୍ଚି ଖୋଳତାଡ଼ ଆରମ୍ଭ କରିଛି।

You might also like