ବାପ ଘର ଛାଡ଼ି ଶାଶୁ ଘରକୁ ଅାସିଲେ ରୀମାରାଣୀ

ପାଟଣାଗଡ଼  : ବାପ ଘରେ ନୁହେଁ ନିଜ ଶାଶୁ ଘରେ ରହିବେ ପାଟଣାଗଡ଼ ପାର୍ସଲବୋମା ପୀଡିତା ରୀମା ରାଣୀ। ଅଘଟଣରେ ସ୍ୱାମୀଙ୍କ ମୃତ୍ୟୁ ପରେ ଆରମ୍ଭ ହୋଇଥିଲା ନାନା ଚର୍ଚ୍ଚା। ରୀମା ରାଣୀଙ୍କୁ ନେଇ ବି ଉଠିଥିଲା ପ୍ରଶ୍ନ। ତେବେ ପୁଞ୍ଜିଲାଲ୍‌ର କ୍ରୁର ଚକ୍ରାନ୍ତ ଧରା ପଡିବା ପରେ ସବୁ ଚର୍ଚ୍ଚାରେ ପୂର୍ଣ୍ଣଚ୍ଛେଦ ପଡିଥିଲା। ଆଉ ଏବେ ସୁସ୍ଥ ହେବା ପରେ ରୀମା ନିଜ ଶାଶୁ ଘରକୁ ଫେରି ଆସିଛନ୍ତି।

ପାର୍ସଲ ବୋମା ବିସ୍ଫୋରଣରେ ସ୍ୱାମୀ ସୌମ୍ୟଶେଖର ଓ ସଂପର୍କୀୟ ଆଈ ଶାଶୁଙ୍କ ମୃତ୍ୟୁ ହୋଇଥିବା ବେଳେ ଆହତ ହୋଇ କଟକ ବଡ଼ ମେଡିକାଲରେ ଦୀର୍ଘ ଦିନ ଧରି ଚିକିତ୍ସିତ ଥିଲେ ରୀମା। ତେବେ କିଛି ଦିନ ତଳେ ସୁସ୍ଥ ହୋଇ ଘଣ୍ଟାପଡ଼ାରେ ଥିବା ବାପଘରକୁ ଫେରିଥିଲେ ସେ। ଇତି ମଧ୍ୟରେ ତିନି ମାସ ବିତି ଯାଇଛି, ହେଲେ ସ୍ୱାମୀଙ୍କୁ ହରାଇବାର ଦୁଃଖକୁ ଭୁଲି ପାରିନାହାନ୍ତି ରୀମା ରାଣୀ। ତେବେ ଯବାନ ପୁଅକୁ ହରାଇଥିବା ନିଜ ଶାଶୁଶ୍ୱଶୁରକଙ୍କ ଦୁଃଖକୁ ବି ସେ ମର୍ମେ ମର୍ମେ ହୃଦୟଙ୍ଗମ କରିପାରିଛନ୍ତି। ଆଉ ସେମାନଙ୍କୁ ସାନ୍ତ୍ୱନା ଦେବାକୁ ଯାଇ ଫେରିଆସିଛନ୍ତି ଶାଶୁ ଘରକୁ।

ଗତ ୧୦ ଦିନ ହେଲା ରୀମା ପାଟଣାଗଡ଼ ଆସି ନିଜ ଶାଶୁ ଘରେ ରହୁଛନ୍ତି। ସାରା ଜୀବନ ଶାଶୁଶ୍ୱଶୁରଙ୍କ ପାଖରେ ରହିବା ଲାଗି ସେ ନିଷ୍ପତ୍ତି ମଧ୍ୟ ନେଇଥିବା କହିଛନ୍ତି।ସେପଟେ ପାର୍ସଲ ବୋମା ବିସ୍ଫୋରଣ ଘଟଣାକୁ ପୂରିଛି ତିନି ମାସ। ଅଭିଯୁକ୍ତ ପୁଞ୍ଜିଲାଲକୁ ଗିରଫ କରି କୋର୍ଟ ଚାଲାଣ କରିଛି କ୍ରାଇମବ୍ରାଞ୍ଚ। ତା ବିରୁଦ୍ଧରେ ତଥ୍ୟ ପ୍ରମାଣ ଯୋଗାଡରେ ଲାଗିଛି ତଦନ୍ତକାରୀ ସଂସ୍ଥା। ନିକଟରେ କଣ୍ଟାବାଞ୍ଜି ଷ୍ଟେସନ ପାର୍କିଂରେ ଲାଗିଥିବା ସିସିଟିଭି ଫୁଟେଜରୁ ମିଳିଛି ଗୁରୁତ୍ୱପୂର୍ଣ୍ଣ ତଥ୍ୟ। ଅନ୍ୟପଟେ ଜାମିନ ପାଇଁ ବଲାଙ୍ଗିର ଏଡିଜେ କୋର୍ଟରେ ଦ୍ୱାରସ୍ଥ ହୋଇଛି ପୁଞ୍ଜିଲାଲ। ଆସନ୍ତା ୩୧ ତାରିଖରେ ଏହାର ଶୁଣାଣି ହେବ।

ଆହୁରି ପଢ଼ନ୍ତୁ

You might also like