ସାରା ରାଜ୍ୟରେ ବର୍ଷା ତାଣ୍ଡବ; କଳାହାଣ୍ଡି ଓ ରାୟଗଡ଼ା ଜିଲ୍ଲାରେ ବନ୍ୟା ପରିସ୍ଥିତି
ଭୁବନେଶ୍ୱର: ସାରା ରାଜ୍ୟରେ ବର୍ଷାର ତାଣ୍ଡବ। ଗତକାଲି ଅପରାହ୍ନରୁ ଲାଗି ରହିଥିବା ଲଗାଣ ବର୍ଷା ଯୋଗୁଁ ବିଭିନ୍ନ ଜିଲ୍ଲାରେ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଛି।
କଳାହାଣ୍ଡି ଜିଲ୍ଲାର ବହୁ ଅଞ୍ଚଳ ଜଳାର୍ଣ୍ଣବ ହୋଇଛି। ଗୋପାଳପୁର-ରାୟପୁର ରାସ୍ତାର ମଦନପୁର ଠାରେ ରାସ୍ତା ଉପରେ ପାଣି ପ୍ରବାହିତ ହେଉଛି। ସେହିପରି ଭବାନୀପାଟଣା-ଥୁଆମୁଳ ରାମପୁର ମଧ୍ୟରେ ଯୋଗାଯୋଗ ବିଚ୍ଛିନ୍ନ ହୋଇଛି। ଥୁଆମୁଳ ରାମପୁର -କଲମପୁର ରାସ୍ତା ମଝିରେ ଭୂସ୍ଖଳନ ଯୋଗୁଁ ଯୋଗାଯୋଗ ବିଚ୍ଛିନ୍ନ ହୋଇଛି। କଲମପୁର ବ୍ଲକ୍ର ୩ଟି ଗାଁ ସମ୍ପୂର୍ଣ୍ଣ ଭାବେ ପାଣି ଘେରରେ ରହିଛି। ବାଲିଛଡ଼ା, ବିରିପୁର, ମାଟିଖାଲ ବାହ୍ୟଜଗତରୁ ବିଚ୍ଛିନ୍ନ ହୋଇଛି। ଇନ୍ଦ୍ରାବତୀ ପ୍ରକଳ୍ପର ହାତୀ ବ୍ୟାରେଜ୍ର ୫ଟି ଗେଟ୍ ଖୋଲାଯାଇଛି। ଫଳରେ ହାତୀ ନଦୀରେ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଛି।
ସେହିପରି ରାୟଗଡ଼ା ଜିଲ୍ଲାରେ ମଧ୍ୟ ଲଗାଣ ବର୍ଷାର ପ୍ରଭାବ ଦେଖିବାକୁ ମିଳିଛି। ନାଗାବଳୀ ଓ ବଂଶଧାରା ଫୁଲିବାରେ ଲାଗିଛି। ଗୁଣପୁର ନିକଟରେ ବଂଶଧାରା ବିପଦ ସଂକେତର ନିକଟତର ହୋଇଛି। ବଂଶଧାରାରେ ବିପଦ ସଂକେତ ୮୪ ମିଟର ଥିବାବେଳେ ବର୍ତ୍ତମାନ ସେଠାରେ ୮୨.୩୨ ମିଟର ଉଚ୍ଚରେ ପାଣି ପ୍ରବାହିତ ହେଉଛି।