ଆସୁଛି ବନ୍ୟା! ସଜାଗ ରହିବାକୁ ଜିଲ୍ଲାପାଳଙ୍କୁ ନିର୍ଦ୍ଦେଶ
ଭୁବେନଶ୍ୱର: ମହାନଦୀ ଧିରେ ଧିରେ ଫୁଲୁଛି। ଗତ ୨ ଦିନ ଧରି ରାଜ୍ୟରେ ଲଗାଣ ବର୍ଷା ଯୋଗୁଁ ମହାନଦୀ ଅବବାହିକାରେ ଛୋଟ ବା ମଧ୍ୟମ ଧରଣର ବନ୍ୟା ହେବାର ଆଶଙ୍କା ଅଛି।
ତେବେ ବଡ଼ ଧରଣର ବନ୍ୟା ହେବାର ସମ୍ଭାବନା ନାହିଁ ବୋଲି ସ୍ୱତନ୍ତ୍ର ରିଲିଫ୍ କମିଶନର (ଏସ୍ଆର୍ସି) ବିଷ୍ଣୁପଦ ସେଠୀ ସ୍ପଷ୍ଟ କରିଛନ୍ତି । ଆଜି ସନ୍ଧ୍ୟାରେ ମୁଣ୍ଡଳୀରେ ୮ ଲକ୍ଷ କ୍ୟୁସେକ୍ ବନ୍ୟା ଜଳ ପ୍ରବାହିତ ହେବବୋଲି ସେ କହିଛନ୍ତି।
ଏଥିପାଇଁ ଯାଜପୁର, କଟକ, ପୁରୀ, ଜଗତସିଂହପୁର, କେନ୍ଦ୍ରାପଡ଼ା ଓ ଖୋର୍ଦ୍ଧା ଜିଲ୍ଲାପାଳଙ୍କୁ ସତର୍କ ରହିବାକୁ ନିର୍ଦ୍ଦେଶ ଦିଆଯାଇଛି। ଦରକାର ହେଲେ ଲୋକଙ୍କୁ ନିରାପଦ ସ୍ଥାନକୁ ସ୍ଥାନାନ୍ତର କରିବାକୁ ବ୍ୟବସ୍ଥା ମଧ୍ୟ କରାଯାଇଛି। ଯେଉଁଠାରେ ନଦୀବନ୍ଧ ଦୁର୍ବଳ ଅଛି ସେଠାରେ ସଜାଗ ରହିବା ସହ ତଳିଆ ଅଞ୍ଚଳର ଲୋକମାନେ ସତର୍କ ରହିବାକୁ କୁହାଯାଇଛି।
ଆଖୁଆପଦାରେ ବୈତରଣୀ ବିପଦ ସଙ୍କେତ ଛୁଇଁଛି। ଫଳରେ ଧାନମଣ୍ଡଳ ଓ ଭଣ୍ଡାରୀପୋଖରୀ ଅଞ୍ଚଳ ପ୍ରଭାବିତ ହେବାସହ ୮ରୁ ୯ଟି ପଞ୍ଚାୟତ ଉପରେ ପ୍ରଭାବ ପଡ଼ିବାର ଆଶଙ୍କା ରହିଛି।