ଟଳିଲା ବନ୍ୟା ଆଶଙ୍କା: ମହାନଦୀ ଓ ବୈତରଣୀରେ ହ୍ରାସ ପାଉଛି ବନ୍ୟାଜଳ

ଭୁବନେଶ୍ୱର: ଆଉ ଭୟ ନାହିଁ, ରାଜ୍ୟରେ ଟଳିଲା ବନ୍ୟା ଆଶଙ୍କା। ଗତ ୨୪ ଘଣ୍ଟା ଭିତରେ ସେଭଳି ବର୍ଷା ନାହିଁ କି ଦୁଇ ପ୍ରମୁଖ ନଦୀ, ମହାନଦୀ ଓ ବୈତରଣୀ ଆଉ ଫୁଲୁ ନାହାନ୍ତି। ତେଣୁ ମହାନଦୀ ଅବବାହିକା ଜିଲ୍ଲା ସହ ବୈତରଣୀ ପ୍ରବାହିତ ଭଦ୍ରକ ଜିଲ୍ଲାରେ ବନ୍ୟା ଚିନ୍ତା ଦୂର ହୋଇଥିବା କହିଛନ୍ତି ସ୍ୱତନ୍ତ୍ର ରିଲିଫ କମିଶନର। ତଥ୍ୟ ଅନୁସାରେ ମୁଣ୍ଡଳୀରେ ଏବେ ସାଢ଼େ ୪ ଲକ୍ଷରୁ କମ୍ କ୍ୟୁସେକ୍ ପାଣି ନିଷ୍କାସନ ହେଉଛି। ଯାହାକି ଗତକାଲି ରାତିରେ ଥିଲା ପାଖାପାଖି ୭ ଲକ୍ଷ କ୍ୟୁସେକ୍।

ସେପଟେ ହୀରାକୁଦରୁ ପୂଜାର୍ଚ୍ଚନା ପରେ ଆଜି ଛଡ଼ାଯାଇଛି ବର୍ଷର ପ୍ରଥମ ବନ୍ୟାଜଳ। ପ୍ରଥମେ ୭ ନମ୍ବର ଗେଟ୍ ଖୋଲାଯାଇ ପାଣି ଛଡ଼ାଯିବା ପରେ ପର୍ଯ୍ୟାୟକ୍ରମେ ୧୫ଟି ଗେଟ୍ ଖୋଲା ଯିବ ବୋଲି ସୂଚନା ଦେଇଛନ୍ତି ଡ୍ୟାମ୍‌ କର୍ତ୍ତୃପକ୍ଷ। ତେବେ ଏହି ପାଣି ମୁଣ୍ଡଳୀରେ ପହଞ୍ଚିବାକୁ ୩୬ରୁ ୪୦ ଘଣ୍ଟା ଲାଗିବ, ତେଣୁ ସେତେବଳକୁ ତଳମୁଣ୍ଡରେ ମହାନଦୀ ପାଣି ଯଥେଷ୍ଟ କମି ଯାଇଥିବ। ସେପଟେ ମହାନଦୀରେ ପ୍ରଥମ ବନ୍ୟାଜଳ ଆସିବା ପରେ କଟକ ବାଙ୍କି ନିକଟ ଶିମିଳିପୁର, ବିଲିପଡ଼ା ଓ ତାଳବସ୍ତ ଗାଁରେ ୩ଫୁଟ ଉଚ୍ଚର ବନ୍ୟାଜଳ ପଶିଛି। ବିଲିପଡ଼ା ଓ ତାଳବସ୍ତକୁ ସଂଯୋଗ କରୁଥିବା ରାସ୍ତାରେ ବନ୍ୟାଜଳ ପ୍ରବାହିତ ହେଉଥିବାରୁ ଯାତାୟାତରେ ସମସ୍ୟା ସୃଷ୍ଟି ହୋଇଛି। ସେପଟେ ଲଗାଣ ବର୍ଷା ଜନିତ କ୍ଷୟକ୍ଷତି ଏବଂ ସମ୍ଭାବ୍ୟ ବନ୍ୟା ସ୍ଥିତି ନେଇ ସମ୍ବଲପୁରରେ ସମୀକ୍ଷା କରିଛନ୍ତି ମୁଖ୍ୟମନ୍ତ୍ରୀ।  ବନ୍ଧବାଡ଼ କ୍ଷୟକ୍ଷତିର ୨୪ ଘଣ୍ଟାରେ ମରାମତି ପାଇଁ ନିର୍ଦ୍ଦେଶ ଦିଆଯାଇଥିବାବେଳେ ବନ୍ୟା ସ୍ଥିତି ଉପରେ ନିୟମିତ ଅପଡେଟ୍ ଦେବାକୁ ଅଫିସରମାନଙ୍କୁ କୁହାଯାଇଛି।

ଗତ ବର୍ଷା ବିତ୍ପାତରେ ରାଜ୍ୟର ବିଭିନ୍ନ ସ୍ଥାନରେ ୧୪ଜଣଙ୍କ ମୃତ୍ୟୁ ଘଟିଥିବା ସରକାରୀ ଭାବେ କୁହାଯାଇଛି। ତେବେ ସମ୍ବଲପୁରରେ ସର୍ବାଧିକ ଦେଢ଼ ଲକ୍ଷ ଲୋକ ଏଥି ଯୋଗୁଁ ପ୍ରଭାବିତ ହୋଇଥିଲେ।

You might also like