ବିଜେପୁର ଉପନିର୍ବାଚନ : ମନ ପସନ୍ଦର ପ୍ରାର୍ଥୀ ବାଛିବାକୁ ସବୁ ବୁଥ୍‌ରେ ଭୋଟରଙ୍କ ଲମ୍ବା ଲାଇନ୍

ବରଗଡ଼ : ବିଜେପୁର ଉପ-ନିର୍ବାଚନ ପାଇଁ ଚାଲିଛି ଭୋଟ ଗ୍ରହଣ। ନିଜ ମନ ପସନ୍ଦର ପ୍ରାର୍ଥୀ ବାଛିବାକୁ ସବୁଠି ଭୋଟରଙ୍କ ଲମ୍ବା ଲାଇନ୍ ଦେଖିବାକୁ ମିଳିଛି। ବିଜେପୁର, ଗାଇସିଲାଟ, ବରପାଲି ବ୍ଲକ ଓ ବରପାଲି ଏନଏସିର ସବୁ ମତଦାନ କେନ୍ଦ୍ରରେ ଭୋଟରମାନେ ସାଙ୍ଗରେ ପରିଚୟପତ୍ର ଧରି ସେମାନଙ୍କ ମତାଧିକାର ସାବ୍ୟସ୍ତ କରୁଛନ୍ତି। ସକାଳ ୮ଟାରୁ  ଅାରମ୍ଭ ହୋଇଥିବା ମତଦାନ ଅପରାହ୍ନ ୫ଟା ପର୍ଯ୍ୟନ୍ତ ଚାଲିବ।

ଅପରାହ୍ନ ୩ଟା ସୁଦ୍ଧା ୫୫ପ୍ରତିଶତ ମତଦାନ ସୂଚନା ମିଳିଛି। ଭୋଟିଂ ଅାରମ୍ଭରୁ ୪ଟି ବୁଥ୍‌ରେ ମତଦାନ ବାଧାପ୍ରାପ୍ତ ହୋଇଥିଲା। ଭିଭିପାଟ୍ ମେସିନ୍‌ରେ ତ୍ରୁଟି ଯୋଗୁଁ ବିଜେପୁର ବ୍ଲକର ୮୮, ୧୦୨, ୧୪୧ ନଂ ବୁଥ୍ ଏବଂ ବରପାଲିର ୨୦ ନମ୍ବର ବୁଥ୍‌ରେ ମତଦାନ ବାଧାପ୍ରାପ୍ତ ହୋଇଥିଲା। ତେବେ କିଛି ସମୟ ମଧ୍ୟରେ ଦୁଇଟି ବୁଥ୍‌ରେ ତ୍ରୁଟି ସୁଧାର ହେବା ପରେ ମତଦାନ ସ୍ୱାଭାବିକ ହୋଇଥିଲା।

ବିଜେପୁର ପାଇଁ ପ୍ରତିନିଧି ବାଛିବେ ପ୍ରାୟ ୨ ଲକ୍ଷ ୨୧ ହଜାର ୧୪୪ ଜଣ ଭୋଟର। ନିର୍ବାଚନ ମଣ୍ଡଳୀରେ ମୋଟ୍ ୨୮୧ଟି ମତଦାନ କେନ୍ଦ୍ର ହୋଇଛି। ସେଥିମଧ୍ୟରୁ ୧୫୫ ବୁଥ୍‌କୁ କ୍ରିଟିକାଲ୍ ଭାବେ ଚିହ୍ନଟ କରାଯାଇଛି।  ଏହି ବୁଥ୍ ଗୁଡିକରେ ରହିଛନ୍ତି କେନ୍ଦ୍ରରୁ ଅାସିଥିବା ମାଇକ୍ରୋ ଅବଜରଭର। ଅବାଧ ଓ ମୁକ୍ତ ନିର୍ବାଚନ ଲାଗି ୧୨ଟି ସ୍କ୍ୱାଡ୍, ୪୦ଟି ମୋବାଇଲ ପାର୍ଟି ନିୟୋଜିତ ହୋଇଛନ୍ତି। ସମଗ୍ର ନିର୍ବାଚନ ମଣ୍ଡଳୀରେ ନିୟୋଜିତ ଅଛନ୍ତି ୫ଟି କମ୍ପାନୀର କେନ୍ଦ୍ରୀୟ ଅର୍ଦ୍ଧସାମରିକ ବାହିନୀ ଓ ୩୬ ପ୍ଲାଟୁନ୍ ଓଡ଼ିଶା ପୋଲିସ୍।  ନିର୍ବାଚନ ରଣାଙ୍ଗନରେ ୧୩ ଜଣ ପ୍ରାର୍ଥୀ ରହିଛନ୍ତି।  ତେବେ ନିର୍ବାଚନରେ ମୁଖ୍ୟତଃ ତ୍ରିମୁଖି ଲଢ଼େଇ ହେଉଛି।

ବିଜେପିର ଅଶୋକ ପାଣିଗ୍ରାହୀ, ବିଜେଡିର ରୀତା ସାହୁ ଓ କଂଗ୍ରେସର ପ୍ରଣୟ ସାହୁଙ୍କ ମଧ୍ୟରେ ହେଉଛି କଡ଼ା ଟକ୍କର। ୨୮ ତାରିଖରେ ଭୋଟ୍ ଗଣତି ହୋଇ ସେହି ଦିନ ଫଳାଫଳ ପ୍ରକାଶ ପାଇବ।

You might also like