ଶୁଣିଲାନି ପ୍ରଶାସନ, ଚାନ୍ଦା ଆଦାୟ କରି ରାସ୍ତା କାମ କଲେ ଗାଁ ଲୋକେ

ନିଶ୍ଚିନ୍ତକୋଇଲି (ମନୋଜ ଆଚାର୍ଯ୍ୟ) : ପିଲା ଠାରୁ ଆରମ୍ଭ କରି ବୁଢା, ସମସ୍ତଙ୍କ ହାତରେ କୋଡ଼ି କୋଦାଳ। ଲାଗି ପଡ଼ିଛନ୍ତି ଗାଁ ରାସ୍ତା ନିର୍ମାଣରେ। ପ୍ରଶାସନକୁ ବାରମ୍ବାର ରାସ୍ତା ନିର୍ମାଣ ଲାଗି ଗୁହାରୀ କରି ଫେଲ୍‌ ମାରିବାପରେ , ଏବେ ନିଜ ପାରିଶ୍ରମରେ ରାସ୍ତା ନିର୍ମାଣ କରିଛନ୍ତି କଟକ ଜିଲ୍ଲା ନିଶ୍ଚିନ୍ତକୋଇଲି ବ୍ଲକର ମହାଜନପୁର ବାସିନ୍ଦା । ୭୦ ପରିବାର ଚାନ୍ଦା ଭେଦ କରି ଏବେ ରାସ୍ତା ନିର୍ମାଣ ଆରମ୍ଭ କରିଛନ୍ତି । କେବଳ ଏତିକି ନୁହେଁ ନିଜର କେହି ବୋଲି ନଥିବା ୭୦ ବର୍ଷୀୟା ହେମଲତା ଦାସ ରାସ୍ତା ନିର୍ମାଣ ଲାଗି ନିଜ ଜୀବନର ଉପାର୍ଜନ ଦାନ କରିଛନ୍ତି।

ପୂର୍ବରୁ ମହାଜନପୁର ଗାଁର ହରିଜନ ସାହି ବସ୍ତିକୁ ରାସ୍ତାଟିଏ ନିର୍ମାଣ ଲାଗି ବାରମ୍ବାର ଗାଁ ଲୋକେ ଦାବି କରିଥିଲେ ,ହେଲେ କେବଳ ନେତାଙ୍କ ପ୍ରତିଶ୍ରୁତି ମିଳୁଥିଲା। ଶେଷରେ ନୟାନ୍ତ ହୋଇ ଗାଁ ଲୋକେ ରାସ୍ତା  ନିର୍ମାଣ କରିଛନ୍ତି । ଆଉ ଆଗାମୀ ସାଧାରଣ ନିର୍ବାଚନରେ ଭୋଟ ବର୍ଜନ କରିବା ଲାଗି ନେଇଛନ୍ତି ନିଷ୍ପତ୍ତି।

ରାସ୍ତା ନିର୍ମାଣର ପ୍ରଥମ ସୋପାନରେ ଲୋକେ ବାଲି ପକାଇଛନ୍ତି । ଆଗକୁ ରାସ୍ତାରେ ମୋରମ ପକାଇବା ଲାଗି ଗାଁ ଲୋକେ ଯୋଜନା ରଖିଛନ୍ତି।

You might also like