ତୃତୀୟ ଥର ବିବାହ କରିବେ ମାଲ୍ୟା!
ନୂଆଦିଲ୍ଲୀ: ୬୨ ବର୍ଷରେ ପୁଣିଥରେ ବିବାହ କରିବାକୁ ଯାଉଛନ୍ତି ଭାରତୀୟ ବ୍ୟବସାୟୀ ବିଜୟ ମାଲ୍ୟା। ପୂର୍ବରୁ ୨ ଥର ବିବାହ କରି ସାରିଥିବା ମାଲ୍ୟା ପୁଣିଥରେ ତୃତୀୟ ଥର ଲାଗି ବିବାହ କରିବା ନେଇ ବିଭିନ୍ନ ଯୋଜନା କରୁଥିବାର କୁହାଯାଉଛି।
ଭାରତର ବିଭିନ୍ନ ବ୍ୟାଙ୍କରୁ ୯୦୦୦ କୋଟି ଟଙ୍କା ଠକେଇ କରି ଲଣ୍ଡନ ପଳାଇଥିବା ମାଲ୍ୟା ତାଙ୍କ ପାର୍ଟନର ପିଙ୍କି ଲାଲ୍ୱାନିଙ୍କୁ ବିବାହ କରିବେ ବୋଲି ଜଣାପଡ଼ିଛି।
ଫର୍ମର ଏୟାର ହୋଷ୍ଟେସ୍ ପିଙ୍କି ଲାଲ୍ୱାନି ମାଲ୍ୟାଙ୍କ ସହିତ ଲଣ୍ଡନରେ ରହୁଥିବା କୁହାଯାଉଛି। ପିଙ୍କିଙ୍କ ସହ ମାଲ୍ୟା ଦୀର୍ଘ ତିନିବର୍ଷ ହେବ ଲିଭ୍ ଇନ୍ ରିଲେସନ୍ସିପ୍ରେ ଅଛନ୍ତି। କିଙ୍ଗଫିସର ଏୟାରଲାଇନ୍ସରେ ପିଙ୍କିଙ୍କୁ ଚାକିରୀ ଅଫର୍ କରିବା ପରେ ଉଭୟଙ୍କ ମଧ୍ୟରେ ସମ୍ପର୍କ ଧୀରେ ଧୀରେ ବଢ଼ିଥିଲା। ଏପରିକି ଉଭୟ ଡେଟିଂ ମଧ୍ୟ କରୁଥିଲେ।
ମିଳିଥିବା ସୂଚନା ଅନୁସାରେ, ଗତ ସପ୍ତାହରେ ସେମାନଙ୍କୁ ଏକ ପାର୍ଟିରେ ଏକାଠି ଦେଖିବାକୁ ମିଳିଥିଲା। ଏହାପୂର୍ବରୁ ପିଙ୍କିଙ୍କୁ ଅନେକ ଥର ମାଲ୍ୟାଙ୍କ ସହ ବିଭିନ୍ନ ଫଟୋଗ୍ରାଫି ତଥା ପବ୍ଲିକ୍ ଇଭେଣ୍ଟରେ ମଧ୍ୟ ଦେଖିବାକୁ ମିଳିଛି।
ମାଲ୍ୟା ପୂର୍ବରୁ ମଧ୍ୟ ଜଣେ ଏୟାର ହୋଷ୍ଟସ୍ଙ୍କୁ ବିବାହ କରିଥିଲେ। ତାଙ୍କ ପ୍ରଥମ ପତ୍ନୀ କୁହାଯାଉଥିବା ସମୀରା ତ୍ୟାବ୍ଜୀ ଏୟାର ଇଣ୍ଡିଆର ଏୟାର ହୋଷ୍ଟସ୍ ଥିଲେ। କିଛି ବର୍ଷ ପରେ ମାଲ୍ୟା ସମୀରାଙ୍କୁ ଛାଡ଼ପତ୍ର ଦେଇଥିଲେ। ସମୀରାଙ୍କୁ ଛାଡ଼ପତ୍ର ଦେଲାପରେ ସେ ୧୯୯୩ ମସିହାରେ ରେଖା ମାଲ୍ୟାଙ୍କୁ ବିବାହ କରିଥିଲେ।
ବିଜୟ ମାଲ୍ୟାଙ୍କ ସହ ବିବାହ ପରେ ରେଖା ସମୀରାଙ୍କ ପୁଅ ସିଦ୍ଧାର୍ଥ ମାଲ୍ୟାଙ୍କୁ ଗ୍ରହଣ କରିଥିଲେ। ତେବେ ରେଖା ଓ ବିଜୟ ମାଲ୍ୟାଙ୍କର ୨ଟି ଝିଅ ତାନ୍ୟା ଓ ଲିଆନା ଥିବା ଜଣାପଡ଼ିଛି।
ତେବେ ପିଙ୍କି ଲାଲ୍ୱାନିଙ୍କ ସହ ବିବାହକୁ ନେଇ ବିଜୟ ମାଲ୍ୟାଙ୍କ ପକ୍ଷରୁ କୌଣସି ପ୍ରତିକ୍ରିୟା ମିଳିନାହିଁ।