ଟିଟୋ ମାମଲାରେ ତନାଘନା: ଅଫିସରଙ୍କ ଲିଙ୍କ୍ ଖୋଜି ରେଡ୍‌ କରୁଛି ଭିଜିଲାନ୍ସ

ଭୁବନେଶ୍ୱର: ଆର୍‌ଟିଓ ଅଫିସ୍, ତହସିଲ୍ ଅଫିସ୍, ଯୋଗାଣ ଅଫିସ୍ ଓ ପୌର କାର୍ଯ୍ୟାଳୟ ସବ୍‌ ରେଜିଷ୍ଟ୍ରାର ଅଫିସ୍ ଏସବୁ ସରକାରୀ ଅଫିସ୍‌ରେ ଆଜି ରେଡ୍ କରିଛି ଭିଜିଲାନ୍ସ। କେନ୍ଦ୍ରାପଡ଼ା, କଟକ ଓ ଯାଜପୁର ଜିଲ୍ଲାରେ ଥିବା ଅଫିସର୍ ଗ୍ୟାଙ୍ଗଷ୍ଟର ଟିଟୋ ସହ ଲିଙ୍କ୍। କେଉଁ ଅଫିସର୍ ଟିଟୋକୁ ଅହେତୁକ  ଅନୁକମ୍ପା ଦେଖାଇଛନ୍ତି ଓ ପ୍ରତିବଦଳରେ କିପରି ଅନୁଗୃହୀତ ହୋଇଛନ୍ତି ତାକୁ ନେଇ ଆରମ୍ଭ ହୋଇଛି ତନାଘନା। ସେପଟେ କିଛି ଓଏଏସ୍ ଅଫିସର୍ ଓ ପୁଲିସ ଅଧିକାରୀ ଟିଟୋଠାରୁ ବେନାମୀ ଭାବେ ଗାଡ଼ି ନେଇଥିବା ନେଇ ବି ଚାଚଂଲ୍ୟକର ତଥ୍ୟ ମିଳିଥିବା ଜଣାପଡ଼ିଛି। ତେବେ ବାଲିଘାଟ, ମୋରମ କାରବାର, ଟେଣ୍ଡର ଫିକ୍ସିଂ,ପେଟ୍ରୋଲ ପମ୍ପ, ଜାଗା କାରବାର ସହ ଅନ୍ୟାନ୍ୟ କାରବାରରେ ଅଫିସ୍‌ରମାନେ କେତେଦୂର ଅନୁକମ୍ପା ପ୍ରଦର୍ଶନ କରିଥିଲେ ସେଇ ଲିଙ୍କ୍ ବି ଖୋଜୁଛି ଭିଜିଲାନ୍ସ।

ଟିଟୋ ମାମଲାରେ ଏସ୍‌ଟିଏଫ୍ ତଦନ୍ତ କରୁଥିବାବେଳେ ହଠାତ୍ କାହିଁକି ପଶିଲା ଭିଜିଲାନ୍ସ? ପଲିଟିକାଲ୍ ଲିଙ୍କକୁ ଏଡ଼ାଇ ଯାଇ ଅଫିସର୍ ଲିଙ୍କ୍ ଖୋଜାଯିବାର ଉଦ୍ଦ୍ୟେଶ୍ୟ କଣ? ରାଜନୈତିକ ନେତାଙ୍କୁ ଖସାଇ, ଅଫିସରଙ୍କ ଉପରେ ଦୋଷ ଲଦିବାକୁ ଏହା ଏକ ଉଦ୍ୟମ ନୁହେଁ ତ। ବିଜେପି ମୁଖପାତ୍ର ପୀତାମ୍ବର ଆଚାର୍ଯ୍ୟ ଏ ନେଇ ମୁଖ୍ୟମନ୍ତ୍ରୀଙ୍କୁ ଟାର୍ଗେଟ୍  କରିବା ସହିତ ସରକାର ତଦନ୍ତ ପ୍ରକ୍ରିୟାକୁ ଦିଗହରା କରିବାକୁ ଚାହୁଁଛନ୍ତି ବୋଲି ଅଭିଯୋଗ କରିଛନ୍ତି। କେନ୍ଦ୍ରପଡାରେ ବିଜେପି ଏକ ପ୍ରେସ୍ କନଫରନେସ୍ କରି ଟିଟୋର କଳା ସାମ୍ରାଜ୍ୟର ସିବିଆଇ ତଦନ୍ତ ଦାବି କରିଛି। ସେପଟେ ଅଫିସ୍‌ରଙ୍କୁ ଘଣ୍ଟ ଘୋଡାଇବା ପାଇଁ ଏଭଳି ନିଷ୍ପତ୍ତି ବୋଲି କଂଗ୍ରେସ କହିଛି। ଆଇନ ତାବାଟରେ ଯିବ କହି ବିଜେଡି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରାଧାନଙ୍କୁ ଟାର୍ଗେଟ କରିଛି।

ଟିଟୋର କଳାସାମ୍ରାଜ୍ୟ ନେଇ ଏସ୍‌ଟିଏଫ୍ ଓ ଭିଜିଲାନ୍ସ ତଦନ୍ତ କରୁଥିବାବେଳେ ପେଟ୍ରୋଲ ପମ୍ପ ଆବଣ୍ଟନ ଅନିୟମିତା ନେଇ ସିବିଆଇ ଖୋଳତାଡ଼ କରୁଛି। ଏନେଇ ସିବିଆଇ ମଧ୍ୟ ଏଫ୍ଆଇଆର୍ ଦାଏର କରିଥିବା ଜଣାପଡ଼ିଛି। ତେଣୁ ଖୁବ୍ ଶୀଘ୍ର ଏହି କେନ୍ଦ୍ରୀୟ ତଦନ୍ତକାରୀ ସଂସ୍ଥା ବି ଘଣ୍ଟାଚକଟା ଆରମ୍ଭ କରିପାରେ ବୋଲି ସୁରାକ୍‌ ମିଳିଛି।

You might also like