ଅବକାରୀ ଅଫିସ ଭିତରେ ବ୍ରାଉନ୍ସୁଗାର ହାଟ !
ଖୋର୍ଦ୍ଧା: ଅବକାରୀ ବିଭାଗର ନାକ ତଳେ ଚାଲିଛି ନିଶା ବେପାର। ଅବକାରୀ ଅଫିସ ଭିତରେ ଧଳା ଜହରର ହାଟ । ସଉଦା କରୁଛନ୍ତି ବିଭାଗର କର୍ମଚାରୀ।
ସ୍ଥାନ ଖୋର୍ଦ୍ଧା ଜିଲ୍ଲାପାଳଙ୍କ ପୁରୁଣା ଅଫିସ ଭିତରେ ଥିବା ଅବକାରୀ ଅଫିସ। ସମୟ ରାତି ପ୍ରାୟ ଗୋଟାଏ ୪୭ ମିନିଟ୍। ନିସ୍ତବ୍ଧ ରାତିରେ ଜମିଛି ଭୋଜିଭାତର ଅାସର, ଅାଉ ସେହି ଅାସର ଭିତରେ ମୂଲଚାଲ ହେଉଛି ବ୍ରାଉନସୁଗାରର ଦର । ନିଆଁ ଲଗାଇ ଦମ୍ ମାରିବା ପରେ ଖୋର୍ଦ୍ଧା ଅବକାରୀ ବିଭାଗର କନ୍ଷ୍ଟେବଲ ଦରକୁ ନେଇ କରୁଛନ୍ତି ମୂଲଚାଲ। ସତ୍ୟାସତ୍ୟ ଜାଣିବା ପାଇଁ ଘଟଣାସ୍ଥଳରେ ପହଞ୍ଚି ଥିଲା ଅାମ କ୍ୟାମେରା ଟିମ୍ ।
ଅବକାରୀ ବିଭାଗର ଅଫିସ ଭିତରେ ଜଣେ କନ୍ଷ୍ଟେବଲ ଏଭଳି ବେଅାଇନ ବ୍ରାଉନସୁଗାର କାରବାର ଚଳାଇଛନ୍ତି କିପରି ? ଘଟଣା ପଛରେ ବିଭାଗର କୌଣସି ଅଧିକାରୀ କିମ୍ବା ଅନ୍ୟ କର୍ମଚାରୀ ସାମିଲ୍ ନାହାଁନ୍ତି ତ ? କାହା ସହ ଲିଙ୍କ୍ ରଖି କନ୍ଷ୍ଟେବଲ ଜଣକ ଏଭଳି କାରବାର ଚଳାଇଛନ୍ତି ? ଅାଶ୍ଚର୍ଯ୍ୟର କଥା ହେଉଛି, ଖୋର୍ଦ୍ଧା ଅବକାରୀ ବିଭାଗର ବରିଷ୍ଠ ଅଧିକାରୀ କହୁଛନ୍ତି ଏ ସମ୍ପର୍କରେ ତାଙ୍କ ପାଖରେ କୌଣସି ଖବର ନାହିଁ । ଖୋର୍ଦ୍ଧା ଏସ୍ପି ଦୀପ୍ତିରଂଜନ ରାୟ କହିଛନ୍ତି, ଘଟଣାର ତଦନ୍ତ କରି ସଂପୃକ୍ତ କର୍ମଚାରୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନିଅାଯିବ ।