ବରିଷ୍ଠ ସାମ୍ବାଦିକ କୁଲ୍‌ଦୀପ ନାୟାରଙ୍କ ପରଲୋକ

ନୂଆଦିଲ୍ଲୀ: ବରିଷ୍ଠ ସାମ୍ବାଦିକ କୁଲ୍‌ଦୀପ ନାୟାରଙ୍କ ପରଲୋକ ହୋଇ ଯାଇଛି। ଗତକାଲି ରାତିରେ ଦିଲ୍ଲୀର ଏକ ଘରୋଇ ହସ୍ପିଟାଲରେ ସେ ତାଙ୍କର ଶେଷ ନିଶ୍ୱାସ ତ୍ୟାଗ କରିଛନ୍ତି । ମୃତ୍ୟୁ ବେଳକୁ ତାଙ୍କୁ ୯୫ ବର୍ଷ ବୟସ ହୋଇଥିଲା।

ଆଜି ଅପରାହ୍ନ ୧ଟାରେ ଲୋଧି ରୋଡ୍‌ ସ୍ଥିତ ଘାଟରେ ତାଙ୍କର ଅନ୍ତିମ ସଂସ୍କାର କରାଯିବ। ଗତ ୩ ଦିନ ଧରି ସେ ଆଇସିୟୁରେ ଭର୍ତ୍ତି ହୋଇଥିଲେ। ସେ ଖାଲି ଜଣେ ସାମ୍ବାଦିକ ନଥିଲେ ପ୍ରସିଦ୍ଧ ଲେଖକ ମଧ୍ୟ ଥିଲେ।

୧୯୨୩ ମସିହା ଅଗଷ୍ଟ ୧୪ ତାରିଖରେ ପଞ୍ଜାବର ସିଆଲ୍‌କୋଟ୍‌ରେ ସେ ଜନ୍ମ ହୋଇଥିଲେ। ତାଙ୍କ ବାପାଙ୍କ ନାଁ ଥିଲା ଗୁରୁବକ୍ସ ସିଂହ ଓ ମା’ଙ୍କ ନାଁ ଥିଲା ପୂର୍ଣ୍ଣ ଦେବୀ। ସେ ଲାହୋରର ଫୋର୍‌ମାନ୍ ଖ୍ରୀଷ୍ଟିଆନ୍ କଲେଜରୁ ସ୍ନାତକ ପାସ୍ କରିଥିଲେ। ତା’ପରେ ସେ ଲାହୋର ସ୍ଥିତ ଲ’ କଲେଜରେ ଏଲ୍‌ଏଲ୍‌ବି କରିଥିଲେ। ୧୯୫୨ ମସିହାରେ ସେ ଏକ ବୃତ୍ତି ପାଇ ନର୍ଥୱେର୍ଷ୍ଟନ୍‌ ବିଶ୍ୱବିଦ୍ୟାଳୟରେ ସାମ୍ବାଦିକତାର ପାଠ ପଢ଼ିଥିଲେ।

ନାୟାର ପ୍ରାରମ୍ଭରେ ଜଣେ ଉର୍ଦ୍ଦୁ ସାମ୍ବାଦିକ ଥିଲେ। ସେ ଇଂରାଜୀ ଖବର କାଗଜ ‘ଦ ଷ୍ଟେଟ୍‌ସ୍‌ମ୍ୟାନ୍‌’ର ଦିଲ୍ଲୀ ସଂସ୍କରଣର ସଂପାଦକ ଥିଲେ। ୧୯୭୫ ମସିହାରେ ଜରୁରୀକାଳୀନ ସ୍ଥିତି ବେଳେ ସେ ଗିରଫ ହୋଇଥିଲେ।

୧୯୯୦ ମସିହାରେ ତାଙ୍କୁ ଗ୍ରେଟ୍‌ ବ୍ରିଟେନ୍‌ର ହାଇ କମିଶନର ଭାବେ ନିଯୁକ୍ତି ପାଇଥିଲେ। ୧୯୯୭ ମସିହା ଅଗଷ୍ଟ ମାସରେ ସେ ରାଜ୍ୟସଭାକୁ ମନୋନୀତ ହୋଇଥିଲେ।

୮୦ରୁ ଊର୍ଦ୍ଧ୍ୱ ଖବର କାଗଜରେ ୧୪ଟି ଭାଷାରେ ତାଙ୍କ ସ୍ତମ୍ଭ ପ୍ରକାଶିତ ହେଉଥିଲା। ଓଡ଼ିଆ ଖବର କାଗଜ ‘ସମାଜ’ର ସଂପାଦକୀୟ ପୃଷ୍ଠାରେ ମଧ୍ୟ ତାଙ୍କର ସ୍ତମ୍ଭ ପ୍ରକାଶିତ ହେଉଥିଲା।

ନାୟାର ୧୫ଟି ପୁସ୍ତକ ଲେଖିଛନ୍ତି। ତାଙ୍କର ପୁସ୍ତକ ମଧ୍ୟରେ ରହିଛି- ‘Beyond the Lines’, ‘Distant Neighbours: A Tale of the Subcontinent’, ‘India after Nehru’, ‘Wall at Wagah’, ‘India-Pakistan Relationship’, ‘The Judgement’, ‘The Martyr’, ‘Scoop’ and ‘India House’.

You might also like