ସବୁ ଜିଲ୍ଲାର ପ୍ରମୁଖ ନଦୀରେ ବାଜପେୟୀଙ୍କ ଚିତାଭସ୍ମ ବିସର୍ଜନ ହେବ

ଭୁବନେଶ୍ୱର : ପୂର୍ବତନ ପ୍ରଧାନମନ୍ତ୍ରୀ ଅଟଳ ବିହାରୀ ବାଜପେୟୀଙ୍କ ଚିତାଭସ୍ମ ରାଜ୍ୟର ସବୁ ଜିଲ୍ଲାରେ ଥିବା ପ୍ରମୁଖ ନଦୀଗୁଡିକରେ ବିସର୍ଜନ କରାଯିବ। ଏହି ଉଦ୍ଦେଶ୍ୟରେ ବିଜେପିର ସମସ୍ତ ଜିଲ୍ଲା ସଭାପତିମାନଙ୍କୁ ଗତକାଲି ବାଜପେୟୀଙ୍କ ଚିତାଭସ୍ମ କଳସ ପ୍ରଦାନ କରାଯାଇଛି।

ଏ ସମ୍ପର୍କରେ ସୂଚନା ଦେଇ କେନ୍ଦ୍ର ପେଟ୍ରୋଲିୟମ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ କହିଛନ୍ତି ପୂର୍ବତନ ପ୍ରଧାନମନ୍ତ୍ରୀ ଅଟଳ ବିହାରୀ ବାଜପେୟୀଙ୍କ ଚିତାଭସ୍ମ ମହାନଦୀ, ବ୍ରାହ୍ମଣୀ, ବୈତରଣୀ, ଋଷିକୁଲ୍ୟା, ବୁଢା ବଳଙ୍ଗ, ସୁବର୍ଣରେଖା ଓ ଅଙ୍ଗ ନଦୀ ଆଦି ପବିତ୍ର ନଦୀ ଜଳରେ ବିସର୍ଜନ କରାଯିବ । ଅଟଳ ଜୀ ଭାରତର ସର୍ବସମ୍ମତ ସାମାଜିକ ଚେତନା ଥିଲେ । ତାଙ୍କ ସହିତ ସମଗ୍ର ଭାରତ ସମେତ ଓଡ଼ିଆ ଲୋକମାନଙ୍କର ଏକ ଭାବଗତ ସମ୍ପର୍କ ଥିଲା । ଅଟଳଜୀଙ୍କର ସଠିକ ସମ୍ମାନ ଓ ଶ୍ରଦ୍ଧାଞ୍ଜଳି ଭାରତର ପ୍ରତ୍ୟେକ ଘରେ ତାଙ୍କର ବାର୍ତ୍ତା ପହଞ୍ଚାଇଲେ ହିଁ ହେବବୋଲି ସେ କହିଛନ୍ତି।

ଓଡିଶାରେ ଦଳମତ ନିର୍ବିଶେଷରେ ରାଜନୀତିକ ନେତୃତ୍ୱ ସାମାଜିକ ବ୍ୟକ୍ତିତ୍ୱ ତଥା ଧାର୍ମିକ ଓ ସାଧୁ ସନ୍ଥ ସମାଜ ଗୋଟିଏ ମଞ୍ଚରେ ଏକାଠି ହୋଇ ଅଟଳଜୀଙ୍କ ସ୍ମୃତି ଚାରଣ କରିବା ତାଙ୍କର ମହାନ ବ୍ୟକ୍ତିତ୍ୱର ପରିଚାୟକ। ଏହାସହିତ ଓଡ଼ିଶାରେ ଅଟଳଜୀଙ୍କ ପ୍ରତିମୂର୍ତ୍ତି ନିର୍ମାଣ କରାଯିବା ଉଚିତ ବୋଲି ସେ କହିଥିଲେ।

You might also like