ଘଟଣାକୁ ୩ ଦିନ ବିତିଲାଣି, କାହିଁକି କେହି ଗିରଫ ହୋଇନାହାନ୍ତି : ଉଷସୀ

ଭୁବନେଶ୍ୱର : ଅନୁଗୁଳ କଣିହାଁରେ ଅଭିନେତ୍ରୀ ଉଷସୀ ମିଶ୍ରଙ୍କୁ ଦୁର୍ବବ୍ୟହାର ଘଟଣାରେ ଏଯାଏ ଗିରଫ ହୋଇନାହାନ୍ତି ଅଭିଯୁକ୍ତ। ଏନେଇ ଆଜି ଭୁବନେଶ୍ୱରରେ ଆୟୋଜିତ ଏକ ପ୍ରେସ୍‌ମିଟରେ ଉଷସୀ ପ୍ରଶ୍ନ ଉଠାଇବା ସହ ଘଟଣା ନେଇ ବିସ୍ତୃତ ବିବରଣୀ ରଖିଛନ୍ତି। ଘଟଣା ପ୍ରକାଶ କରିବା ବେଳେ ଉଷସୀ କୋହ ସମ୍ବରଣ କରିପାରି ନଥିବା ଦେଖିବାକୁ ମିଳିଥିଲା।

ଉଷସୀଙ୍କ କହିବାନୁଯାୟୀ, ସେଦିନ ଯାତ୍ରାରେ ଅଭିନୟ କରିବା ପାଇଁ ଯିବା ବେଳେ ରାସ୍ତା ଜାମ ଥିଲା, ଫଳରେ କାର ଭିଡରେ ଫସିଯାଇଥିଲା। ଏହି ସମୟରେ ଗହଳିରୁ କାର ହଟାଇବାକୁ ସେଠାରେ ଉପସ୍ଥିତ ଥିବା କିଛି ଲୋକ ତାଙ୍କୁ ଗାଳିଗୁଲଜ କରିଥିଲେ। ଇନ୍ଦ୍ରମଣୀ ନାମକ ଜଣେ ଲୋକ ଗାଳି ଦେବାରୁ ଉଷସୀ ତାଙ୍କୁ ଚାପୁଡା ମାରିଥିଲେ। ସେ ବି ଉଷସୀଙ୍କୁ ମାରିଲା କିନ୍ତୁ ପରେ ଗୋଡ ଧରି ଭୁଲ ମାଗି ପଳାଇଲା। ପୁଣି କିଛି ସମୟ ପରେ ଯାତ୍ରା ପେଣ୍ଡାଲକୁ ଆସି ଇନ୍ଦ୍ରମଣୀ ଓ ତାଙ୍କର ଦୁଇ ପୁଅ ଉଷସୀଙ୍କୁ ପିଟିବା ସହ ଦୁର୍ବବ୍ୟହାର କଲେ।

ଏହି ଘଟଣାକୁ ୩ ଦିନ ବିତିଲାଣି, ହେଲେ କଣ ପାଇଁ କେହି ଗିରଫ ହୋଇନାହାନ୍ତି ବୋଲି ଉଷସୀ ପ୍ରଶ୍ନ ଉଠାଇଛନ୍ତି। ଏଥିସହ ଯାତ୍ରା ପାର୍ଟି ମାଲିକ ସୌମ୍ୟରଂଜନ ପଟ୍ଟନାୟକ କାହିଁକି ମୋ ପାଇଁ ସୁରକ୍ଷା ବ୍ୟବସ୍ଥା କଲେନି ବୋଲି ପ୍ରଶ୍ନ ଉଠାଇଛନ୍ତି ଉଷସୀ। ଯଦି ମୋତେ ସୁରକ୍ଷା ଯୋଗାଇ ନଦେବେ, ତାହାଲେ ଆଗକୁ ଯାତ୍ରାରେ କାମ କରିବେନି ବୋଲି ସେ କହିଛନ୍ତି। ଉଷସୀଙ୍କ ସାମ୍ବାଦିକ ସମ୍ମିଳନୀରେ ମଧ୍ୟ ଅଭିନେତା ସିଦ୍ଧାନ୍ତ ମହାପାତ୍ର ଓ ଶ୍ରୀତମ ଦାସ ପ୍ରମୁଖ ଉପସ୍ଥିତ ଥିଲେ।

You might also like