ପିସିସି ନବକଳେବର ପରେ ଫୋକସ୍‌ରେ ସଂଗଠନ ପୁନରୁଦ୍ଧାର

ଭୁବନେଶ୍ୱର : ଛୋଟ ନୁହେଁ ଜୁମ୍ବୋ ଟିମ୍। ରାଜ୍ୟର ସବୁ ପ୍ରାନ୍ତରର ନେତାଙ୍କୁ ସନ୍ତୁଷ୍ଟ କରିବାକୁ ଭରପୁର ପ୍ରୟାସ। ତେବେ ପୂର୍ବରୁ ପ୍ରସାଦଙ୍କ ଜୁମ୍ବୋ ଟିମ୍‌କୁ ବେଶି ଲୋକରେ ମୂଷା ମରେ ନାହିଁ କହିଥିବା ନିରଞ୍ଜନ ଏଥର ନିଜର ଏଇ ଟିମ୍‌କୁ ନେଇ କିଭଳି ଆଗକୁ ବଢ଼ିବେ ତାକୁ ନେଇ କଳ୍ପନାଜଳ୍ପନା।

କେଉଁ କମିଟିର କାମ କଣ ହେବ, ତାହା ସ୍ପଷ୍ଟ ହୋଇନାହିଁ। ତଥାପି କମିଟି କର୍ମକର୍ତ୍ତାଙ୍କ ସହ ଏଆଇସିସି ପକ୍ଷରୁ ଆଲୋଚନା କରାଯାଇଛି। ତିନିଜଣ କାର୍ଯ୍ୟକାରୀ ସଭାପତି ରାଜ୍ୟର ତିନୋଟି ପ୍ରାନ୍ତର ଦାୟିତ୍ୱରେ ରହିବେ। ୨୦୧୯ ସାଧାରଣ ନିର୍ବାଚନ ପାଇଁ ପ୍ରଚାର କମିଟି ଅଧ୍ୟକ୍ଷ ଏବେଠାରୁ ପ୍ରଚାରର କ୍ଷେତ୍ର ପ୍ରସ୍ତୁତ କରିବେ, ତେବେ ପ୍ରଥମ ଥର ପାଇଁ ଗଠିତ କୋର୍ କମିଟିର ଭୂମିକା କଣ ରହିବ, ତାହା ଅସ୍ପଷ୍ଟ।

ନୂଆ ଟିମ୍ ଘୋଷଣା ପରେ ରାଜ୍ୟ କଂଗ୍ରେସରେ ଏବେ ଉତ୍ସାହ। ଗତକାଲି କଂଗ୍ରେସ ଭବନର ଦୃଶ୍ୟ ବୟାନ କରୁଥିଲା ସତେ ଯେମିତି ଦୁର୍ବଳ ଥିବା କଂଗ୍ରେସକୁ ମିଳିଛି ସଂଜୀବନୀ, ତେବେ କେନ୍ଦ୍ରୀୟ କମିଟି ଓ ରାଜ୍ୟ କମିଟି ଭିତରର ସମନ୍ୱୟ ଏବେ ବଡ଼ ଚ୍ୟାଲେଞ୍ଜ। ଏଭଳି ସ୍ଥିତିରେ ଆସନ୍ତାକାଲି ନୂଆଦିଲ୍ଲୀରୁ ଫେରୁଥିବା କଂଗ୍ରେସ ଟିମ୍‌କୁ ସ୍ୱାଗତ କରିବା ପାଇଁ ବିମାନବନ୍ଦରରୁ ବିଶାଳ ରାଲିର ଆୟୋଜନ କରାଯାଇଛି। ଏଥିସହିତ ରବିବାର ଭୁବନେଶ୍ୱରରେ ସମସ୍ତ ଜିଲ୍ଲା ସଭାପତିଙ୍କ ବୈଠକ ଡକାଯାଇଥିବା ଜଣାପଡ଼ିଛି।

କଂଗ୍ରେସର ଏହି ଆୟୋଜନ ଆଗାମୀ ଦିନରେ ରାଜ୍ୟ ରାଜନୀତିକୁ କିଭଳି ପ୍ରଭାବିତ କରୁଛି ଏବେ ତା ଉପରେ ନଜର।

You might also like