ବଦଳିବ ନିଟ୍ ଓ ଜେଇଇ ପରୀକ୍ଷା ପଦ୍ଧତି

ଭୁବନେଶ୍ୱର: ନିଟ୍ ଓ ଜେଇଇ ର ପ୍ରତି ପରୀକ୍ଷାର୍ଥୀଙ୍କୁ ମିଳିପାରେ ୟୁନିକ୍ ସେଟ୍ ଅଫ୍ କୋଶ୍ଚିନ୍। ଏନେଇ ଯୋଜନା ପ୍ରସ୍ତୁତ କରିଛି ନ୍ୟାସ୍‌ନାଲ୍ ଟେଷ୍ଟିଂ ଏଜେନ୍ସି- NTA। ପରୀକ୍ଷା ପଦ୍ଧତିରେ ସ୍ୱଚ୍ଛତା ଅବଲମ୍ବନ ସହ ମେଧାବୀ ଛାତ୍ରଛାତ୍ରୀଙ୍କୁ ସୁଯୋଗ ଦେବା ଲାଗି ଏନ୍‌ଟିଏ ଏପରି ବ୍ଲୁପ୍ରିଣ୍ଟ ପ୍ରସ୍ତୁତ କରିଛି।  ପ୍ରଥମଥର ଲାଗି ମେଡ଼ିକାଲ୍ ଓ ଇଞ୍ଜିନିୟରିଂ ପାଠ୍ୟକ୍ରମରେ ନାମଲେଖାଇବା ପାଇଁ ସମ୍ପୂର୍ଣ୍ଣ ପରୀକ୍ଷା ପଦ୍ଧତି ଅନ୍‌ଲାଇନ୍ କରାଯାଇଛି।

ଏଥିରେ ନିର୍ଦ୍ଦିଷ୍ଟ ସେଟ୍ ବଦଳରେ ଛାତ୍ରଛାତ୍ରୀଙ୍କୁ କମ୍ପ୍ୟୁଟର ସଫ୍ଟଓୟାର ଜରିଆରେ ରାଣ୍ଡମ୍ ଭାବେ କୋଶ୍ଚିନ୍ ମିଳିବ। କମ୍ପ୍ୟୁଟର ବେସ୍‌ଡ ପରୀକ୍ଷା ହେବାକୁ ଥିବାରୁ ଶତପ୍ରତିଶତ ସୁରକ୍ଷା ସହ ହ୍ୟାକ୍ ନହେବା ଲାଗି ସବୁ ପଦକ୍ଷେପ ଗ୍ରହଣ କରିଛି ଏନ୍‌ଟିଏ। ଯାହାକୁ ଓଡିଶା ପ୍ରାଇଭେଟ୍ ଇଞ୍ଜିନିୟରିଂ କଲେଜ ସଂଘ ସ୍ୱାଗତ କରିଛି। ମାତ୍ର ଏକ୍ସପର୍ଟଙ୍କ ମତରେ ଆଇଆଇଟି ଓ ଏମ୍‌ସ ଲାଗି ମଧ୍ୟ ଏଥିରୁ ଛାତ୍ରଛାତ୍ରୀ ମନୋନୀତ ହେବା ଉଚିତ।ଏ ନୂଆ ପଦ୍ଧତିରେ ଘୋଷା ପାଠ କି କୋଚିଂ ନୁହେଁ, ପାଠ୍ୟକ୍ରମକୁ ଭଲ ଭାବେ ବୁଝିଥିଲେ ହିଁ ପିଲା ସଠିକ୍ ଉତ୍ତର ଦେଇପାରିବେ।

ତେବେ ଅନ୍‌ଲାଇନ୍ ଟେଷ୍ଟ ଦ୍ୱାରା ପରୀକ୍ଷା ସହଜ ହେବ ଏବଂ ୟୁନିକ୍ କୋଶ୍ଚିନ ଦ୍ୱାରା ସ୍ୱଚ୍ଛତା ଆସିବ ବୋଲି ଛାତ୍ରଛାତ୍ରୀଙ୍କ ମତ ରହିଛି। ବର୍ଷକୁ ଦୁଇଥର ଓ ନିର୍ଦ୍ଦିଷ୍ଟ ତାରିଖ ଭିତରେ ମନ ମୁତାବକ ପରୀକ୍ଷା ଦେଇପାରିବେ ଛାତ୍ରଛାତ୍ରୀ। ତେବେ ମେଡିକାଲ୍ ଓ ଇଞ୍ଜିନିୟରିଂ ପାଠ ପାଇଁ ଅନ୍‌ଲାଇନ୍ ଟେଷ୍ଟ ପ୍ରଥମ ଥର ହେଉଥିବାରୁ ଛାତ୍ରଛାତ୍ରୀଙ୍କ ମଧ୍ୟରେ ଶଙ୍କା ବି ରହିଛି। ଏନ୍‌ଟିଏ ଦ୍ୱାରା ହେବାକୁ ଥିବା ଏହି ଅନ୍‌ଲାଇନ୍ ଟେଷ୍ଟରେ ଛାତ୍ରଛାତ୍ରୀମାନେ ଡାଉଟ୍ ଥିବା ଉତ୍ତରକୁ ହୋଲ୍‌ଡ କରି ଅନ୍ୟ ପ୍ରଶ୍ନର ଉତ୍ତର ଦେଇପାରିବେ। ଏବଂ ଶେଷରେ ସମ୍ପୂର୍ଣ୍ଣ ସେଟ୍‌କୁ ସବ୍‌ମିଟ୍ କରିବେ।

You might also like