କଟକ ସହରର ମୁଖ୍ୟ ପ୍ରବେଶ ପଥରେ କୁଢ଼ କୁଢ଼ ଆବର୍ଜନା

କଟକ: କେନ୍ଦ୍ର ସହରାଞ୍ଚଳ ବିକାଶ ମନ୍ତ୍ରଣାଳୟର ସ୍ୱଚ୍ଛ ସର୍ବେକ୍ଷଣ ରିପୋର୍ଟ ଅନୁସାରେ, କଟକ ସହରର ନମ୍ବର ରହିଥିଲା ୨୦୪ରେ। ଏହାପରେ ସହରର ପରିମଳ ବ୍ୟବସ୍ଥା ଉପରେ ଉଠିଥିଲା ପ୍ରଶ୍ନବାଚୀ।

କଟକର ମୁଖ୍ୟ ପ୍ରବେଶପଥରେ ଗଦା ଗଦା ଅଳିଆ ଆବର୍ଜନା ଖବର ଓଟିଭିରେ ପ୍ରସାରଣ ପରେ ଆରମ୍ଭ ହୋଇଥିଲା ବ୍ୟାରିକେଡ୍ କାମ। ତେବେ ଖାଲି ବ୍ୟାରିକେଡ୍ କରି ଚୁପ୍ ବସିଯାଇଛନ୍ତି କର୍ତ୍ତୃପକ୍ଷ। ଏହା ଭିତରେ ବର୍ଷେ ବିତିବାକୁ ବସିଥିବା ବେଳେ ବ୍ୟାରିକେଡ୍ ଭାଙ୍ଗିରୁଜି ଗଲାଣି।

କଟକ ସହରର ମୁଖ୍ୟ ପ୍ରବେଶପଥ ଖାନନଗର ପ୍ରେସ ଛକ। କଟକ ସହରକୁ ପ୍ରବେଶ କଲାବେଳେ ସତେ ଯେମିତି କୁଢ଼ କୁଢ଼ ଅଳିଆ ଆବର୍ଜନା ସ୍ୱାଗତ କରନ୍ତି। ଏଠାରେ କୁଢ଼ କୁଢ଼ ଅଳିଆ ଆବର୍ଜନା ଗଦା ହେବା ଖବର ଓଟିଭିରେ ପ୍ରସାରଣ ପରେ ବର୍ଷେ ତଳେ ହୋଇଥିଲା ବ୍ୟାରିକେଡ୍। ଲେଖାଯାଇଛି, ଏଠାରେ ଅଳିଆ ପକାନ୍ତୁ ନାହିଁ କିନ୍ତୁ ଏହିଠାରେ ହିଁ ଗଦା ହୋଇ ରହୁଛି ବେଶି ଅଳିଆ।

ପଚା ମାଛ, ଅଣ୍ଡା, ମାଛ କାତି ଆଦି ଗଦା ହୋଇ ରହିବା ଫଳରେ ସୃଷ୍ଟି ହେଉଛି ଗନ୍ଧମୟ ପରିବେଶ। କିନ୍ତୁ କେବଳ ବ୍ୟାରିକେଡ୍ କରିଦେଇ ଚୁପ୍ ବସିଯାଇଛନ୍ତି ଜାତୀୟ ରାଜପଥ କର୍ତ୍ତୃପକ୍ଷ। ଏହା ପ୍ରତି କଟକ ମହାନଗର ନିଗମ କର୍ତ୍ତୃପକ୍ଷଙ୍କର ମଧ୍ୟ ଦୃଷ୍ଟି ମଧ୍ୟ ପଡୁନି।

ସବୁଠୁ ବଡ଼ କଥା ହେଉଛି, ଏହା ଖୋଦ୍ କଟକ ମେୟରଙ୍କର ୱାର୍ଡ ହୋଇଥିଲେ ବି ସୌନ୍ଦର୍ଯ୍ୟକରଣ କାମ ଶୂନ୍। ତେବେ ଆଗକୁ ବସିବାକୁ ଥିବା ଟ୍ରାଫିକ୍ ମ୍ୟାନେଜମେଣ୍ଟ କମିଟି ବୈଠକରେ ଏହି ପ୍ରସଙ୍ଗ ଉଠାଯାଇ ସୌନ୍ଦର୍ଯ୍ୟକରଣ ଓ ପାର୍କ ଇତ୍ୟାଦି କରାଯିବ ବୋଲି ମେୟର କହିଛନ୍ତି।

You might also like