ପିଲା ଖେଳ ହେଲା କାଳ; ଟ୍ରେନ୍ରେ କଟିଗଲେ ମହିଳା ଓ ଶିଶୁ
ଝାରସୁଗୁଡା: ୫ ବର୍ଷର ଛୁଆଟି। ନା ସେ ଜାଣିଥିଲା ମୃତ୍ୟୁ, ନା ସେ ଜାଣିଥିଲା ଜନ୍ମ। ସେ ଖାଲି ଜାଣିଥିଲା ଖେଳ ଆଉ ଖେଳ। ସେ ଖେଳୁ ଖେଳୁ ହଠାତ୍ ରେଳ ଟ୍ରାକ୍ ଉପରକୁ ପଳାଇଥିଲା। ଆଉ ତାଙ୍କ ପାଖରେ ଥିବା ମହିଳାଙ୍କ ବୁଦ୍ଧି ବାଟ ହଜିଯାଇଥିଲା । ସେ ଛୁଆଟିକୁ ବଂଚାଇବାକୁ ବି ରେଳଟ୍ରାକ୍ ଉପରକୁ ଚାଲିଯାଇଥିଲେ। କିନ୍ତୁ ଟ୍ରାକ୍ରୁ ଫେରିବା ପୂର୍ବରୁ ହାୱଡ଼ା-ଅହମ୍ମଦାବାଦ୍ ଏକ୍ସପ୍ରେସ୍ ଧକ୍କାରେ ଦୁଇ ଜଣଯାକ କଟିଯାଇଥିଲେ।
ଝାରସୁଗୁଡ଼ା ଜିଲ୍ଲା ବେଲପାହାଡ଼ ରେଲୱେ ଷ୍ଟେସନ୍ ନିକଟ ନୂଆପଡ଼ା ଗାଁରେ ଏହି ଘଟଣା ଘଟିଛି। ନୂଆପଡ଼ା ଗାଁ ଦେଇ ଉକ୍ତ ରେଳଧାରଣା ଯାଇଛି। ମୃତ ଶିଶୁର ନାଁ ନିଖିଲ (୫) ଓ ତାଙ୍କ ଘର ବ୍ରଜରାଜନଗର। ନୂଆପଡ଼ାର ଲାଲ୍ଜୀ ଗୁପ୍ତାଙ୍କ ଘରେ ଗତକାଲି ଏକ ଉତ୍ସବ ଥିଲା । ଉତ୍ସବରେ ଯୋଗ ଦେବାକୁ ନିଖିଲକୁ ଆଣି ତାଙ୍କ ବାପା ମାଙ୍କ ଲାଲ୍ଜୀ ଗୁପ୍ତାଙ୍କ ଘରକୁ ଆସିଥିଲେ । ଆଜି ସକାଳେ ନିଖିଲ ରେଳ ଟ୍ରାକ୍କୁ ପଳାଇଯାଉଥିବା ଦେଖି ଲାଲ୍ଜୀ ଗୁପ୍ତାଙ୍କ ପତ୍ନୀ ତାଙ୍କୁ ବଞ୍ଚାଇବାକୁ ଦୌଡ଼ିଥିଲେ। କିନ୍ତୁ ଟ୍ରାକ୍ରୁ ଫେରି ନ ପାରି ଉଭୟ ଟ୍ରେନ୍ରେ କଟିଯାଇଥିଲେ।
ଏହି ଘଟଣା ପରେ ସ୍ଥାନୀୟ ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି। କାଲି ଯେଉଁଠି ଉତ୍ସବର ପରିବେଶ ଥିଲା ଆଜି ସେଠି ଶୋକର ପରିବେଶ।