ଟ୍ରୋଲିଂର କଡ଼ା ଜବାବ ଦେଲେ ସୁଷମା
ନୂଆଦିଲ୍ଲୀ: ଘୃଣା, ଗାଳିଗୁଲଜ, ଅସମ୍ମାନ ଓ ହିଂସାତ୍ମକ ଧମକ। ସୋସିଆଲ୍ ମିଡିଆରେ ଗୁଣ୍ଡାଗିରିର। ନୂଆ ଟ୍ରେଣ୍ଡ –ଟ୍ରୋଲ୍କୁ ନେଇ ଘମାସାନ। ଏକ ଭିନ୍ନଧର୍ମୀ ଦମ୍ପତିଙ୍କୁ ଦୂର୍ବ୍ୟବହାର ପ୍ରସଙ୍ଗରେ ଲକ୍ଷ୍ନୌରେ ଜଣେ ପାସପୋର୍ଟ ଅଧିକାରୀଙ୍କ ବଦଳିକୁ ନେଇ ବୈଦେଶିକ ମନ୍ତ୍ରୀ ସୁଷମା ସ୍ୱରାଜଙ୍କୁ ଟ୍ରୋଲିଂ ଥମୁନଥିବା ବେଳେ ସୁଷମା ବି ଦେଉଛନ୍ତି ଏହାର କଡ଼ା ଜବାବ। ଆଜି ସୋନମ ମହାଜନ ନାମକ ଜଣେ ଟ୍ୱିଟର୍ ୟୁଜର୍ଙ୍କୁ ବ୍ଲକ୍ କରିଛନ୍ତି ସୁଷମା। ସୋନମ ସୁଷମାଙ୍କୁ କଟାକ୍ଷ କରିବା ସହ ତାଙ୍କୁ ବ୍ଲକ୍ କରିବା ପାଇଁ ଲେଖିଥିଲେ। ଏହାର ଜବାବରେ ଇନ୍ତେଜାର୍ କିଁୟୁ, ଲିଜିୟେ ବ୍ଲକ୍ କରଦିୟା ବୋଲି ଲେଖିଥିଲେ ସୁଷମା। ସେପଟେ ବିରୋଧୀ କଂଗ୍ରେସ ଓ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ମଧ୍ୟ ସୁଷମାଙ୍କୁ ଟ୍ରୋଲ୍ କରାଯିବା ପ୍ରସଙ୍ଗକୁ ଟ୍ୱିଟ୍ କରି ଦୃଢ଼ ନିନ୍ଦା କରିଛନ୍ତି।
Intezaar kyon ? Lijiye block kr diya. https://t.co/DyFy3BSZsM
— Sushma Swaraj (@SushmaSwaraj) 3 July 2018
ଏପଟେ କଂଗ୍ରେସ ମୁଖପାତ୍ର ପ୍ରିୟଙ୍କା ଚତୁର୍ବେଦୀ ମଧ୍ୟ ସୋସିଆଲ୍ ସାଇଟ୍ରେ ଆକ୍ରୋଶର ଶିକାର ହୋଇଛନ୍ତି। ମନ୍ଦସୌର ଦୁଷ୍କର୍ମ ଅଭିଯୁକ୍ତକୁ ସମର୍ଥନ କରି ତାଙ୍କ ନାଁରେ ପ୍ରସାରିତ ଏକ ଫେକ୍ ମେସେଜକୁ ନେଇ ତାଙ୍କ ଝିଅକୁ ଦୁଷ୍କର୍ମ କରାଯିବା ଭଳି ଧମକ ପାଇଛନ୍ତି ପ୍ରିୟଙ୍କା। ଏହାପରେ ସେ ମୁମ୍ବାଇର ଗୋରେଗାଁଓ ଥାନାରେ ଅଭିଯୋଗ କରିବା ସହ ଏଭଳି ଘଟଣା ପାଇଁ ସରକାରଙ୍କ ନିରବତାକୁ ଦାୟୀ କରିଛନ୍ତି।
ଓଡ଼ିଶାରେ ବି ପ୍ରତିପକ୍ଷକୁ ଅପଦସ୍ତ କରିବା ଲାଗି ଟ୍ରୋଲ୍ର ଉଦାହରଣ କିଛି କମ୍ ନାହିଁ। ଏପରିକି ରାଜନୈତିକ କ୍ଷେତ୍ରରେ ଯୋଜନାବଦ୍ଧ ଭାବେ ଭଡ଼ାଟିଆ ଗୁଣ୍ଡା ଭଳି ଲୋକଙ୍କୁ ନିୟୋଜିତ କରି ଫେକ୍ ଆଇଡି ବ୍ୟବହାର କରି ସୋସିଆଲ୍ ମିଡିଆରେ ପ୍ରତିଦ୍ୱନ୍ଦୀ ଦଳ କି ନେତାଙ୍କୁ ଟ୍ରୋଲ୍ କରାଯାଉଥିବା ନଜରକୁ ଆସିଛି। ତେବେ ଟ୍ରୋଲ୍ର ଏ ଟ୍ରେଣ୍ଡକୁ ରୋକାଯିବ କିପରି? ସମୟ ଆସିଛି କି, ବିଧିବଦ୍ଧ ଆଇନ ବ୍ୟବସ୍ଥା ପାଇଁ?