କାହାର ହେବ ବିଜେପୁର : ରାତି ପାହିଲେ ଆସିବ ଜନତାଙ୍କ ଫୈସଲା

ଭୁବନେଶ୍ୱର : ରାତି ପାହିଲେ ଆସିବ ବିଜେପୁର ଫୈସଲା। ଘଡ଼ିସନ୍ଧିର ଏଇ ମୁହୂର୍ତ୍ତରେ ନିଜ ବିଜୟ ନେଇ ତିନି ପ୍ରମୁଖ ଦଳର ପ୍ରାର୍ଥୀ ଅଙ୍କ କଷୁଛନ୍ତି। ପରସ୍ପରକୁ ମାତ୍‌ ଦେବାର ସଂଖ୍ୟାରେ କିଏ ୩୦ରୁ ୪୦ ହଜାର ବ୍ୟବଧାନର ହିସାବ କରୁଛି ତକିଏ ୨୦ ହଜାର। ପୁଣି କିଏ ୧୦ ହଜାର ଭୋଟର ବିଜୟ ତିଳକ ଆଶା କରୁଛନ୍ତି। ହେଲେ ଉଭୟ ବିଜେଡି ଓ ବିଜେପିର ତୁଙ୍ଗ ନେତା କିନ୍ତୁ ବିଜୟ ବ୍ୟବଧାନର ପରସଂଖ୍ୟାନକୁ ନେଇ ମୁହଁରେ ତାଲା ଲଗାଇଥିବା ବେଳେ କଂଗ୍ରେସ ନେତା ଜିତିବା କାଠିକର ପାଠ ବୋଲି କହିଲେଣି।

ବିଜେଡି ପ୍ରାର୍ଥୀ ରୀତା ସାହୁ ନିଜ ବିଜୟ ପାଇଁ ଦୃଢ ନିଶ୍ଚିତ। ରୀତାଙ୍କ ଆକଳନରେ ତାଙ୍କ ବିଜୟର ବ୍ୟବଧାନ ହେଉଛି ୩୦ରୁ ୪୦ ହଜାର ଭୋଟ। ନବୀନଙ୍କ ଲୋକପ୍ରିୟତା ଓ ସୁବଳଙ୍କ ଭଲ କାମ ପାଇଁ ନିଜ ବିଜୟ ନେଇ ଏମିତି ଦମ୍ଭ ଧରିଛନ୍ତି ରୀତା। କିନ୍ତୁ ରୀତାଙ୍କ ପାଇଁ ବିଜେପୁର ଲଢେଇକୁ ନିର୍ଣାୟକ ମୋଡ ଦେବାକୁ ରାତି ଦିନି ଏକ କରିଦେଇଥିବା ଦଳର ହେଭିୱେଟ ପ୍ରସନ୍ନ ଆଚାର୍ଯ୍ୟ କିନ୍ତୁ ସଂଖ୍ୟାର ଗଣିତକୁ ଏଡାଇ ଯାଉଛନ୍ତି।  ଜିତିବା ନେଇ ଦମ୍ଭୋକ୍ତି ଥିଲେ ବି କାଉଣ୍ଟଡାଉନ ପୂର୍ବରୁ ବ୍ୟବଧାନର ହିସାବକୁ ନେଇ ପ୍ରସନ୍ନ, ମୁଖ୍ୟମନ୍ତ୍ରୀଙ୍କ ଭାଷା ଦୋହରେଇଛନ୍ତି।

ବିଜେପି ପ୍ରାର୍ଥୀ ଅଶୋକ ପାଣିଗ୍ରାହୀ ନିଜ ଜିତିବା ନେଇ ବେଶ ନିଶ୍ଚିତ। ହେଲେ ବିଜୟ ବ୍ୟବଧାନର ଗଣିତରେ ସଂଖ୍ୟାକୁ ଟିକିଏ କମାଇ ଦେଉଛନ୍ତି ଅଶୋକ।  ପ୍ରଥମେ ୩୦ହଜାର ଭୋଟରେ ଜିତିବା କଥା କହୁଥିବା ଅଶୋକ ଏବେ ୨୦ହଜାର କଥା କହୁଛନ୍ତି। ହେଲେ ଅଶୋକଙ୍କ ପାଇଁ ବିଜେପୁରରେ ଢେର ଦିନ ଧରି ଡେରା ପକାଇଥିବା କେନ୍ଦ୍ର ମନ୍ତ୍ରୀ ଜୁଏଲ ଓରାମ କିନ୍ତୁ ସଂଖ୍ୟା କହୁନାହାଁନ୍ତି।

କଂଗ୍ରେସ ପ୍ରାର୍ଥୀ ପ୍ରଣୟ ସାହୁଙ୍କ ଜିତିବା ଗଣିତ ଅନ୍ୟ ମାନଙ୍କ ତୁଳନାରେ କମ୍। ୫ରୁ ୧୦ ହଜାର ଭୋଟରେ ବିଜେପୁରର ବିଜୟ ମୁକୁଟ ଲଗାଇବାର ଦମ୍ଭ ରଖୁଛନ୍ତି ପ୍ରଣୟ। ତେବେ ବିଡମ୍ବନା ହେଉଛି ପ୍ରଣୟଙ୍କ ପାଇଁ ପ୍ରଚାର କରିଥିବା ଦଳର ହେଭିଓ୍ୱେଟ ନିରଞ୍ଜନ ପଟ୍ଟନାୟକ ବିଜୟ ନେଇ ଦମ୍ଭୋକ୍ତି ନ କରି ବରଂ ହାତ ଟେକି ଦେଇଛନ୍ତି।  ଠିକ୍‌ ଭାବରେ ପ୍ରସ୍ତୁତି ନ କରି ଲଢି ନଥିବାରୁ ଜିତିବା କଷ୍ଟକର ବୋଲି କହିଛନ୍ତି ନିରଞ୍ଜନ।

ବିଜେପୁରର ପରୀକ୍ଷାର୍ଥୀ ସିନା ମାର୍କ କମ୍ ବେଶିର ହିସାବ କରୁଛନ୍ତି ହେଲେ କାଉଣ୍ଟଡାଉନ ଆରମ୍ଭ ହେବା ପରଠାରୁ ସତେ ଯେମିତି ସଂଖ୍ୟାର ବ୍ୟବଧାନକୁ ନେଇ ନେତାଙ୍କ କନଫିଡେନ୍ସ ଡାଉନ ହୋଇଯାଇଛି।

You might also like