ଗ୍ୟାଙ୍ଗଷ୍ଟର ଟିଟୋର ସହଯୋଗୀକୁ ଏନ୍କାଉଣ୍ଟର
କେନ୍ଦ୍ରାପଡ଼ା: କେନ୍ଦ୍ରାପଡ଼ାରେ ଆଉ ଏକ ଏନ୍କାଉଣ୍ଟର। ଗ୍ୟାଙ୍ଗଷ୍ଟର ଟିଟୋର ସହଯୋଗୀ ତଥା ଦୁର୍ଦ୍ଦାନ୍ତ ଅପରାଧୀ ବାବୁ ସାହୁକୁ ପୁଲିସ୍ ଏନ୍କାଉଣ୍ଟର କରିଛି।
କେନ୍ଦ୍ରାପଡ଼ା ଇଚ୍ଛାପୁର-ଛଗରିଆ ରାସ୍ତାରେ ଏହି ଏନ୍କାଉଣ୍ଟର ହୋଇଛି। ବହୁ ଦିନ ଧରି ପୋଲିସ ସହ ଲୁଚକାଳି ଖେଳୁଥିବା ବାବୁ ଗତକାଲି ଇଚ୍ଛାପୁର ଅଞ୍ଚଳରେ ଥିବା ଖବର ମିଳିବା ପରେ ପୁଲିସ୍ ସେଠାରେ ପହଞ୍ଚିଥିଲା। ତେବେ ପୁଲିସ୍କୁ ଦେଖି ବାବୁ ପ୍ରଥମେ ଗୁଳି ଚଳାଇଥିଲା। ଯାହାର ପାଲଟା ଜବାବ ପୁଲିସ୍ ଦେଇଥିଲା।
ସୂଚନା ଅନୁସାରେ, ବାବୁର ଡାହାଣ ଗୋଡ଼ରେ ଗୁଳି ବାଜିଛି। ଗୁରୁତର ଅବସ୍ଥାରେ ତାକୁ କେନ୍ଦ୍ରାପଡ଼ା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତର କରାଯାଇଛି। କେନ୍ଦ୍ରାପଡ଼ା ଟାଉନ୍ ଥାନା ପୁଲିସ୍ ଏବଂ ସ୍ପେଶାଲ ସ୍କ୍ୱାଡ୍ ପକ୍ଷରୁ ଏହି ଏନ୍କାଉଣ୍ଟର କରାଯାଇଥିଲା।
ବାବୁ ନାଁରେ ୫୦ରୁ ଅଧିକ ମାମଲା ରହିଛି। କେନ୍ଦ୍ରାପଡ଼ା, କଟକ, ଯାଜପୁର ଏବଂ ଜଗତସିଂହପୁର ଜିଲ୍ଳାର ବିଭିନ୍ନ ଅପରାଧିକ ମାମଲାରେ ବାବୁ ଜଡ଼ିତ ଥିବା ଜଣାପଡ଼ିଛି।
ଉଲ୍ଲେଖଥାଉ କି, ଗତ ଜୁନ୍ ୩୦ତାରିଖରେ ଗ୍ୟାଙ୍ଗଷ୍ଟର ଟିଟୋକୁ କ୍ରାଇମବ୍ରାଞ୍ଚର ସ୍ପେଶାଲ ଟାକ୍ସଫୋର୍ସ ଟିମ୍ ଏନ୍କାଉଣ୍ଟର କରିଥିଲା। ଗୁଳିବିଦ୍ଧ ଅବସ୍ଥାରେ ତାକୁ ପ୍ରଥମେ ବଡ଼ଚଣା ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା। ତା’ପରେ ତାକୁ କଟକ ବଡ଼ ଡାକ୍ତରଖାରନାକୁ ସ୍ଥାନାନ୍ତର କରାଯାଇଥିଲା। ସେ ଏବେ ଜେଲ୍ରେ ଅଛି।