ଖୋଲିଲା ଏନ୍‌କ୍ଲୋଜର, ବୁଲିଲା ବାଘ

ଭୁବନେଶ୍ୱର: ୧୫ ଦିନ ପରେ ଏନ୍‌କ୍ଲୋଜରରୁ ଜଙ୍ଗଲକୁ ଛଡ଼ାଗଲା ମହାବଳ। ସାତକୋଶିଆ ଅଭୟାରଣ୍ୟରେ ଏବେ ଖୋଲାଖୋଲି ବିଚରଣ କରିବ ମଧ୍ୟପ୍ରଦେଶର କାହ୍ନା ଅଭୟାରଣ୍ୟରୁ ଆସିଥିବା ମହାବଳ। ଆଜି ଅପରାହ୍ନ ପ୍ରାୟ ୨ଟା ବେଳେ ଏହି ୩ବର୍ଷୀୟ ବାଘକୁ ଏନ୍‌କ୍ଲୋଜରରୁ ବାହାର କରି ଜଙ୍ଗଲ ଭିତରକୁ ଛଡ଼ାଯାଇଛି।

ବାଘ ଦେହରେ ଲାଗିଥିବା କଲାର୍ ତଥା ଜିପିଏସ୍ ମାଧ୍ୟମରେ ତାର ସମସ୍ତ ଗତିବିଧି ଅନୁଧ୍ୟାନ କରାଯିବ ବୋଲି ଚିଫ୍ ୱାଇଲ୍ଡ ଲାଇଫ୍ ଓ୍ୱାର୍ଡେନ୍ ସନ୍ଦୀପ ତ୍ରିପାଠୀ ସୂଚନା ଦେଇଛନ୍ତି। ବାଘକୁ ଜଙ୍ଗଲକୁ ଛଡ଼ାଯିବା ପୂର୍ବରୁ ସ୍ଥାନୀୟ ବାସିନ୍ଦାଙ୍କ ସହ ଆଲୋଚନା କରିଛନ୍ତି ବନ ବିଭାଗର ବରିଷ୍ଠ ଅଧିକାରୀ। ଜଙ୍ଗଲ ଓ ପରିବେଶ ବିଭାଗ ଅତିରିକ୍ତ ମୁଖ୍ୟ ଶାସନ ସଚିବ ସୁରେଶ କୁମାର ମହାପାତ୍ର ଓ ଅନ୍ୟ ବରିଷ୍ଠ ଅଧିକାରୀଙ୍କ ଉପସ୍ଥିତିରେ ବାଘକୁ ଏନ୍‌କ୍ଲୋଜରରୁ ମୁକ୍ତ କରାଯାଇଛି। ଏନ୍‌କ୍ଲୋଜର ଭିତରେ ବାଘ ଥିବାବେଳେ ତାକୁ ପ୍ରତ୍ୟକ୍ଷ ଭାବେ ସିସିଟିଭି ମାଧ୍ୟମରେ ଅନୁଧ୍ୟାନ କରୁଥିଲା ବନ ବିଭାଗ ଟିମ୍।

ସାତକୋଶିଆରେ ପୂର୍ବରୁ ରହୁଥିବା ବାଘୁଣୀ ଏନ୍‌କ୍ଲୋଜର ନିକଟକୁ ଆସି ବୁଲୁଥିବା ଦେଖାଯାଇଥିଲା। ଫଳରେ ସାତକୋଶିଆର ବାଘୁଣୀ ଓ କାହ୍ନାର ଏହି ବାଘ ମଧ୍ୟରେ ମିଳନର ଯଥେଷ୍ଟ ସମ୍ଭାବନା ରହିଥିବା ବନ ବିଭାଗ ଆଶା ବାନ୍ଧିଛି। ସେପଟେ ପରିବେଶ ସହ ବେଶ୍ ଭଲ ଭାବେ ଖାପ ଖୁଆଇଛନ୍ତି ଦୁଇ ବାଘ। ବାନ୍ଧବଗଡ଼ରୁ ଆସିଥିବା ବାଘୁଣୀ ମଧ୍ୟ ବର୍ତ୍ତମାନ ବେଶ୍ ସ୍ୱଚ୍ଛନ୍ଦରେ ବିଚରଣ କରୁଛି। ୱାଇଲ୍ଡ ଲାଇଫ୍ ଇନ୍‌ଷ୍ଟିଚ୍ୟୁଟ୍ ଅଫ୍ ଇଣ୍ଡିଆର ବିଶେଷଜ୍ଞମାନେ ବାଘର ପ୍ରତ୍ୟକ୍ଷ ତତ୍ତ୍ୱାବଧାନ କରୁଛନ୍ତି।

You might also like