ଧୂଳିଝଡ଼ରେ ମୃତ୍ୟୁ ସଂଖ୍ୟା ୧୧୦କୁ ବୃଦ୍ଧି: ଏବେ ବି ଟଳିନି ବିପଦ
ନୂଆଦିଲ୍ଲୀ: ଉତ୍ତର ଓ ପଶ୍ଚିମ ଭାରତରେ ହୋଇଥିବା ଧୂଳିଝଡ଼ରେ ମୃତ୍ୟୁ ସଂଖ୍ୟା ୧୧୦କୁ ବୃଦ୍ଧି ପାଇଛି। ଏଥିସହ ୨୦୦ରୁ ଅଧିକ ଲୋକ ଗୁରୁତର ଭାବେ ଆହତ ହୋଇଛନ୍ତି। ବିପଦ ଏବେ ବି ଟଳି ନାହିଁ। କାରଣ ଆସନ୍ତା ୪୮ ଘଣ୍ଟା ମଧ୍ୟରେ ରାଜସ୍ଥାନରେ ଆଉ ଏକ ବଡ଼ ଧୂଳିଝଡ଼ ଆସିବ ବୋଲି ସତର୍କ ସୂଚନା ଜାରି କରିଛି ପାଣିପାଗ ବିଭାଗ।
ଗତକାଲି ରାଜସ୍ଥାନ, ଉତ୍ତରପ୍ରଦେଶ, ଉତ୍ତରାଖଣ୍ଡ ଆଦି ରାଜ୍ୟଗୁଡ଼ିକରେ ଭୟଙ୍କର ଧୂଳିଝଡ଼ ହୋଇଥିଲା। ରାଜସ୍ଥାନର ଧୋଲପୁର, ଅଲୱାର, ଭରତପୁର ଜିଲ୍ଲାରେ ଏହାର ପ୍ରଭାବ ଅଧିକ ରହିଥିଲା। ଏହିସବୁ ସ୍ଥାନଗୁଡ଼ିକରେ ପ୍ରବଳ ବେଗରେ ପବନ ବହିବାରୁ ବ୍ୟାପକ କ୍ଷୟକ୍ଷତି ହୋଇଛି।
ବିଭିନ୍ନ ସ୍ଥାନରେ ଘର ଭାଙ୍ଗିଯିବା ସହ ଗଛ ଉପୁଡ଼ି ପଡ଼ିଛି। ଅଧିକାଂଶ ସ୍ଥାନରେ କାନ୍ଥ ପଡ଼ି ଲୋକଙ୍କ ମୃତ୍ୟୁ ହୋଇଥିବା ସୂଚନା ମିଳିଛି। କେବଳ ଭରତପୁର ଜିଲ୍ଲାରେ ୧୦ରୁ ଅଧିକ ଲୋକଙ୍କ ମୃତ୍ୟୁ ହୋଇଛି। ପବନ ବହିବା ଯୋଗୁଁ ବିଦ୍ୟୁତ ଖୁଣ୍ଟଗୁଡ଼ିକ ଉପୁଡ଼ି ଯିବାରୁ ବିଦ୍ୟୁତ ସେବା ମଧ୍ୟ ବ୍ୟାହତ ହୋଇଛି। ସେହିଭଳି ଉତ୍ତରାଖଣ୍ଡରେ ମଧ୍ୟ ବ୍ୟାପକ କ୍ଷୟକ୍ଷତି ହୋଇଥିବା ଜଣାପଡ଼ିଛି।