ଗୁଣିଗାରେଡ଼ି ସନ୍ଦେହ: ଦମ୍ପତିଙ୍କୁ ପିଟିଲେ, ହସ୍ପିଟାଲ ନ ପଠାଇ ନଜରବନ୍ଦୀ ରଖିଲେ

ବାଲେଶ୍ୱର/ନୀଳଗିରି: ଆଜି ବି ଅନ୍ଧବିଶ୍ୱାସର ବିଷ ବିଳୟ ଭିତରେ ରହିଛି ମଣିଷ ସମାଜ। ଆଉ ସେଥି ପାଇଁ କିଛି ନିରୀହ ଲୋକଙ୍କୁ ତାଡ଼ନା ସହିବାକୁ ପଡୁଛି । ବାଲେଶ୍ୱର ଜିଲ୍ଲା ନୀଳଗିରିରେ ଘଟିଛି ଏମିତି ଏକ ଘଟଣା ।
ନୀଳଗିରି ଅଂଚଳରେ ଗୁଣିଗାରେଡ଼ି ସନ୍ଦେହରେ ଦମ୍ପତିଙ୍କୁ ଆକ୍ରମଣ ଓ ନଜରବନ୍ଦୀ କରି ରଖିବା ଅଭିଯୋଗ । ଅଭିଯୋଗ ଅନୁଯାୟୀ, ଶ୍ୟାମସୁନ୍ଦରପୁର ପଞ୍ଚାୟତ କଣ୍ଟାବଣିଆ ଗାଁରେ କିଛି ଲୋକଙ୍କ ଦେହ ଭଲ ରହୁ ନଥିଲା । ଏଥିପାଇଁ ସେହି ଗାଁର ଏକ ଦମ୍ପତିଙ୍କ ସହ ଆଉ ଜଣେ ଲୋକକୁ ଗାଁ ଲୋକେ ସନ୍ଦେହ ଦୃଷ୍ଟିରେ ଦେଖୁଥିଲେ। ଗୁଣିଗାରେଡ଼ି ଯୋଗୁ ଲୋକେ ଅସୁସ୍ଥ ହେଉଛନ୍ତି ବୋଲି ଜଣେ ଗୁଣିଆ ଗାଁ ଲୋକଙ୍କ ମଧ୍ୟରେ ବିଶ୍ୱାସ ଜନ୍ମାଇଥିଲେ। ପରେ ସମ୍ପୃକ୍ତ ୩ଜଣଙ୍କୁ ଗ୍ରାମବାସୀ ଭୀଷଣ ମାଡ଼ ମାରିଥିଲେ। ସେମାନଙ୍କୁ ମେଡିକାଲକୁ ନ ଛାଡ଼ି ଗ୍ରାମବାସୀ ନଜରବନ୍ଦୀ କରି ରଖିଥିବା ଅଭିଯୋଗ ହୋଇଛି। ତେବେ ଏ ନେଇ ପୋଲିସରେ କୌଣସି ଅଭିଯୋଗ ହୋଇ ନ ଥିବା ବେଳେ ଖବରପାଇ ଈଶ୍ୱରପୁର ଫାଣ୍ଡି ନିଜ ଆଡୁ ଏନେଇ ତଦନ୍ତ ଜାରି ରଖିଛି। ଶେଷ ଖବର ମୁତାବକ, ଆକ୍ରମଣର ଶିକାର ହୋଇଥିବା ଦମ୍ପତିଙ୍କ ସମେତ ତିନି ଜଣଙ୍କୁ ହସ୍ପିଟାଲ ଚିକିତ୍ସା ପାଇଁ ନିଆଯାଇଛି।

You might also like