ବଢ଼ିଲା ପ୍ରଧାନମନ୍ତ୍ରୀ ମୋଦିଙ୍କ ସୁରକ୍ଷା ବ୍ୟବସ୍ଥା
ନୂଆଦିଲ୍ଲୀ: ବଢ଼ିଲା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସୁରକ୍ଷା ବ୍ୟବସ୍ଥା। ପ୍ରଧାନମନ୍ତ୍ରୀଙ୍କ ଜୀବନ ପ୍ରତି ବିପଦ ଥିବା ଦର୍ଶାଇ ଗୃହ ମନ୍ତ୍ରଣାଳୟ ପକ୍ଷରୁ ଆଲର୍ଟ ଜାରି କରାଯାଇଛି।
ଏନେଇ ସମସ୍ତ ରାଜ୍ୟର ପୋଲିସ ମୁଖ୍ୟଙ୍କୁ ଚିଠି ମଧ୍ୟ କରାଯାଇଛି। ପ୍ରଧାନମନ୍ତ୍ରୀଙ୍କ ସୁରକ୍ଷାକୁ କଡ଼ାକଡ଼ି ପାଳନ କରିବାକୁ ନିର୍ଦ୍ଦେଶ ରହିଛି। ଏଣିକି ସୁରକ୍ଷା ଦାୟିତ୍ୱରେ ଥିବା ଅଧିକାରୀଙ୍କ ବିନା ଅନୁମତିରେ କୌଣସି ମନ୍ତ୍ରୀ ଏବଂ ଅଧିକାରୀ ପ୍ରଧାନମନ୍ତ୍ରୀ ମୋଦିଙ୍କ ନିକଟକୁ ଯାଇ ପାରିବେନି। ଏପରିକି ଆବଶ୍ୟକ ପଡ଼ିଲେ ଏସ୍ପିଜିଙ୍କ ଦ୍ୱାରା ମନ୍ତ୍ରୀ ଏବଂ ଅଧିକାରୀଙ୍କୁ ମଧ୍ୟ ଯାଞ୍ଚ କରାଯିବ।
ପ୍ରଧାନମନ୍ତ୍ରୀଙ୍କ ରୋଡ ଶୋକୁ ମଧ୍ୟ କିଛି ଦିନ ଯାଏ ବାତିଲ କରାଯାଇଛି। ଏହାସହ ମୋଦିଙ୍କୁ ସାଧାରଣ ଲୋକଙ୍କ ନିକଟକୁ ଯିବାକୁ ବାରଣ କରାଯାଇଛି। ଆସନ୍ତା ସାଧାରଣ ନିର୍ବାଚନରେ ବିଜେପିର ପ୍ରଚାର ମଙ୍ଗ ଧରିବେ ପ୍ରଧାନମନ୍ତ୍ରୀ ମୋଦି।
ମାଓପ୍ରବଣ ରାଜ୍ୟ ଗୁଡ଼ିକୁ ସତର୍କ ରହିବା ପାଇଁ କୁହାଯାଇଛି। ମୁଖତଃ ଓଡ଼ିଶା, ଛତିଶଗଡ଼, ମଧ୍ୟପ୍ରଦେଶ, ପଞ୍ଜାବ, ଝାଡ଼ଖଣ୍ଡ ଏବଂ ପଶ୍ଚିମବଙ୍ଗରେ ନିର୍ବାଚନ ପ୍ରଚାର କରିବେ ପ୍ରଧାନମନ୍ତ୍ରୀ ମୋଦି। ତେଣୁ ଏହି ସବୁ ରାଜ୍ୟ ଗୁଡ଼ିକୁ ଅଧିକ ସତର୍କ ରହିବା ପାଇଁ କୁହାଯାଇଥିବା ଜଣାପଡ଼ିଛି।
ସୂଚନାଥାଉ କି, ଗତମାସରେ ପ୍ରଧାନମନ୍ତ୍ରୀ ମୋଦିଙ୍କୁ ହତ୍ୟା ପାଇଁ ମାଓବାଦୀ ଷଡ଼ଯନ୍ତ୍ର ରଚିଥିଲେ। ଏନେଇ ମାଓବାଦୀଙ୍କ କିଛି ଚିଠିକୁ ପୁଣେ ପୋଲିସ ଜବତ କରିଥିଲା। ପୂର୍ବତନ ପ୍ରଧାନମନ୍ତ୍ରୀ ରାଜୀବ ଗାନ୍ଧୀଙ୍କୁ ହତ୍ୟା କରାଯିବା ଭଳି ଷଡ଼ଯନ୍ତ୍ର କରିଥିଲେ ମାଓବାଦୀ।