ଏବେବି ଗୁମ୍ଫା ଭିତରେ ଫସି ରହିଛନ୍ତି ଆଉ ୪ଜଣ

ବ୍ୟାଙ୍କକ୍: ଥାଇଲାଣ୍ଡ ଗୁମ୍ଫା ଭିତରେ ଫସି ରହିଥିବା ଫୁଟବଲ ଖେଳାଳିଙ୍କୁ ଉଦ୍ଧାର କରିବା ପାଇଁ ଚାଲିଥିବା ଉଦ୍ଧାରକାର୍ଯ୍ୟ ଆଜି ଶେଷ ହେବାର ସମ୍ଭାବନା ଅଛି। ରବିବାର ୪ ଜଣଙ୍କୁ ଗୁମ୍ଫା ଭିତରୁ ଉଦ୍ଧାର କରାଯିବା ପରେ ଗତକାଲି ଆଉ ୪ ଜଣଙ୍କୁ ଉଦ୍ଧାର କରାଯାଇଛି। ଏବେ ବି ଏହି ଗୁମ୍ଫାରେ କୋଚ୍‌ଙ୍କ ସମେତ ଆହୁରି ୪ ଜଣ ଅଛନ୍ତି।

ଉଦ୍ଧାର ପରେ ସେମାନଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ତେବେ ସମସ୍ତଙ୍କ ସ୍ୱାସ୍ଥ୍ୟାବସ୍ଥା ଭଲ ରହିଛି ବୋଲି ଜଣାପଡ଼ିଛି। ଅତ୍ୟାଧୁନିକ ଉପକରଣ ସହାୟତାରେ ଏହି ବିପଦପୂର୍ଣ୍ଣ ସ୍ଥାନରୁ ଖେଳାଳିଙ୍କୁ ବାହାରକୁ ଅଣାଯାଇଛି। ଅଷ୍ଟ୍ରେଲିଆ, ଚୀନ୍, ଇସ୍ରାଏଲ୍, ମିଆଁମାର, ଫ୍ରାନ୍ସ ଓ ଅନ୍ୟ ଦେଶର ବିଶେଷଜ୍ଞ ଉଦ୍ଧାର କାମରେ ଲାଗିଛନ୍ତି।

ଗତ ୨୩ ତାରିଖରେ ଉତ୍ତର ଥାଇଲାଣ୍ଡର ୧୨ ଜଣ ଫୁଟବଲ ଖେଳାଳି ସେମାନଙ୍କ କୋଚ୍‌ଙ୍କ ସହ ଉତ୍ସୁକତାର ସହ ଗୁମ୍ଫାରେ ପଶିଥିଲେ। ତେବେ ପ୍ରବଳ ବର୍ଷାରେ ଗୁମ୍ଫାରେ ପାଣି ପଶିଯିବାରୁ ଏହି ଖେଳାଳିମାନେ ବାଟ ଭୁଲି ତା ଭିତରେ ଫସି ଯାଇଥିଲେ। ପରେ ଏମାନଙ୍କୁ ବହୁ ଖୋଜା ଖୋଜି କରି ବ୍ରିଟିଶ ବିଶେଷଜ୍ଞ ଟିମ୍ ଏହି ଗୁମ୍ଫାରୁ ଠାବ କରିବା ପରେ ଉଦ୍ଧାର କାର୍ଯ୍ୟ ଆରମ୍ଭ ହୋଇଥିଲା।

You might also like
Comments
Loading...