ପାନୀୟ ଜଳ ପ୍ରକଳ୍ପରେ ଟେଣ୍ଡର ଫିକ୍ସିଂ ଅଭିଯୋଗ: ୨ ପ୍ରତିଶତ କମ୍‌ ମୂଲ୍ୟରେ ଦିଆଯାଇଛି ନିର୍ମାଣ ଦାୟିତ୍ୱ

ଗଞ୍ଜାମ ଜିଲ୍ଲାରେ ନିର୍ମାଣାଧିନ ଜାନବିଲି ଆନିକଟ ପାନୀୟ ଜଳ ପ୍ରକଳ୍ପରେ ବଡ଼ଧରଣର ଘୋଟାଲା ହୋଇଥିବା ଅଭିଯୋଗ ଆସିଛି। ସବୁ ନୀତିନିୟମକୁ ଜଳାଞ୍ଜଳି ଦେଇ ତାମିଲନାଡୁର ଏକ କମ୍ପାନିକୁ ଅହେତୁକ ଅନୁକମ୍ପା ଦେଖାଇଛନ୍ତି ରାଜ୍ୟ ସରକାର । ପ୍ରକଳ୍ପ ପାଇଁ ଉଦ୍ଦିଷ୍ଟ ୫୨୦ କୋଟି ଟଙ୍କାର ଟେଣ୍ଡର ଫିକ୍ସିଂ ହୋଇଥିବା ଅଭିଯୋଗ ହୋଇଛି। ଦେଶର ବଛା ବଛା ୮ଟି କମ୍ପାନି ଟେଣ୍ଡର ପକାଇଥିଲେ ବି, ସର୍ବନିମ୍ନ ରାଶିଠାରୁ ୨ ପ୍ରତିଶତ କମ୍ ବିଡ଼ିଂ କରିଥିବା ଏଲ୍ ଆଣ୍ଡ ଟି କମ୍ପାନୀକୁ ରାଜ୍ୟ ସରକାର ନିର୍ମାଣ ଦାୟିତ୍ୱ ଦେଇଥିବା ଜଣାପଡ଼ିଛି। ପଢ଼ନ୍ତୁ ଏସମ୍ପର୍କରେ ଓଟିଭିର ଅନୁସନ୍ଧାନମୂଳକ ରିପୋର୍ଟ।

ଗଞ୍ଜାମ ଜିଲ୍ଲା ଜାନବିଲି ଆନିକଟ ପାନୀୟ ଜଳ ଯୋଗାଣ ପ୍ରକଳ୍ପରେ ୫୨୦ କୋଟି ଟଙ୍କାର ଟେଣ୍ଡରରେ ଫିକ୍ସିଂର ସୁରାଗ୍ ଓଟିଭି ହାତରେ ଲାଗିଛି। ଏହି ପ୍ରକଳ୍ପ ପାଇଁ ୫୧୯ କୋଟି ୮୧ ଲକ୍ଷ ଟଙ୍କାର ଟେଣ୍ଡର ଡକାଯାଇଥିଲା। ଏଥିରେ ଲୋଏଷ୍ଟ ବିଡର୍ ଭାବେ ୪୩୧ କୋଟି ୩୦ ଲକ୍ଷ ଟଙ୍କାର ଟେଣ୍ଡର ପକାଇଥିଲା ଚେନ୍ନାଇର ଏଲ୍ ଆଣ୍ଡ ଟି କମ୍ପାନୀ। ଯାହା ରାଜ୍ୟ ସରକାର ସ୍ଥିର କରିଥିବା ସର୍ବନିମ୍ନ ମୂଲ୍ୟଠାରୁ ୨ ପ୍ରତିଶତ କମ୍। ତେବେ ଏହାକୁ ନେଇ ଏବେ ବିବାଦ ଦେଖାଦେଇଛି।

lntଗୁରୁତ୍ୱପୂର୍ଣ୍ଣ କଥା ହେଉଛି, ଓପିଡବ୍ଲ୍ୟୁଡି କୋଡ୍ ଉଲ୍ଲଘଂନ କରୁଥିବାରୁ ଏହି ଟେଣ୍ଡର ପ୍ରକ୍ରିୟାକୁ ବାତିଲ କରି ସାନି ଟେଣ୍ଡର ପାଇଁ ଗୃହ ଓ ନଗର ଉନ୍ନୟନ ବିଭାଗକୁ କହିଥିଲା ପୂର୍ତ୍ତ ବିଭାଗ। ଆଡଭୋକେଟ ଜେନେରାଲଙ୍କ ପରାମର୍ଶ ପାଇଁ ମଧ୍ୟ ଅର୍ଥ ବିଭାଗ ସରକାରଙ୍କୁ କହିଥିଲା। କିନ୍ତୁ ଏସବୁ ସତ୍ତ୍ୱେ ବି ମୂଲ୍ୟାୟନ କମିଟି ଏଲ୍ ଆଣ୍ଡଟିକୁ ଟେଣ୍ଡର ପାଇଁ ସରକାରଙ୍କୁ ସୁପାରିଶ କରିଥିଲା। ଏହାପରେ ଗୃହ ଓ ନଗର ଉନ୍ନୟନ ବିଭାଗ କ୍ୟାବିନେଟ ମଞ୍ଜୁରୀ କରାଇ ନେଇଥିଲା।

ତେବେ ପ୍ରଶ୍ନ ଉଠୁଛି, ଟେଣ୍ଡର ପ୍ରକ୍ରିୟାରେ ଚେନ୍ନାଇ, ହାଇଦ୍ରାବାଦ ଏବଂ ମୁମ୍ବାଇର ୮ଟି କମ୍ପାନୀ ସାମିଲ ହୋଇଥିଲେ ବି, କେଉଁ ,ସ୍ୱାର୍ଥରେ ଏହି ନିର୍ଦ୍ଦିଷ୍ଟ ତାମିଲ୍ କମ୍ପାନୀକୁ ଏଭଳି ଅହେତୁକ ଅନୁକମ୍ପା ଦେଖାଇଲେ ରାଜ୍ୟ ସରକାର ? ଏହି ଚକ୍ରାନ୍ତ ପଛରେ କୌଣସି ବଡ଼ ହାତ ନାହିଁ ତ ?

ତେବେ ଇପିସି ମୋଡର ବାହାନା ନେଇ ଓପିଡବ୍ଲ୍ୟୁଡି କୋଡ୍ ଲାଗୁ ହେବ ନାହିଁ ବୋଲି ନଗର ଉନ୍ନୟନ ବିଭାଗ କହିଛି। କିନ୍ତୁ କେଉଁଠି ଏହା ଉଲ୍ଲେଖ ଅଛି, ସେ ସମ୍ପର୍କରେ ବିଭାଗ ପକ୍ଷରୁ କିଛି ସ୍ପଷ୍ଟ କରାଯାଇନାହିଁ। ଏ ସମ୍ପର୍କରେ ନଗର ଉନ୍ନୟନ ମନ୍ତ୍ରୀ ନିରଞ୍ଜନ ପୂଜାରୀ କିଛି କହିବାକୁ ମନା କରିଥିଲେ।

ଆଜି ଏନେଇ କ୍ୟାପିଟାଲ୍ ଥାନାରେ ଏତଲା ଦେଇଛି କଳିଙ୍ଗସେନା। ଏଥିସହିତ ସଂପୃକ୍ତ ଅଧିକାରୀ ଏବଂ କମ୍ପାନୀ କର୍ତ୍ତୃପକ୍ଷଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ କଳିଙ୍ଗସେନା ଦାବି କରିଛି।

You might also like