ରାଜ୍ୟରେ ବଢିବାରେ ଲାଗିଛି ତାତି: ମାର୍ଚ୍ଚ ୯ ପର୍ଯ୍ୟନ୍ତ ରାଜ୍ୟର କିଛି ସ୍ଥାନରେ କାଳ ବୈଶାଖୀ ସମ୍ଭାବନା
ଭୁବନେଶ୍ୱର: ରାଜ୍ୟରେ ବିଭିନ୍ନ ସ୍ଥାନରେ ବଢିବାରେ ଲାଗିଛି ତାତି। ମାର୍ଚ୍ଚ ଆରମ୍ଭରୁ ରେକର୍ଡ ତାତି ଅନୁଭବ ହେବାକୁ ଲାଗିଲାଣି। ମାର୍ଚ୍ଚ ପ୍ରଥମ ସପ୍ତାହରୁ ତାତିର ପ୍ରକୋପ ରାଜ୍ୟବାସୀଙ୍କୁ ହନ୍ତସନ୍ତ କଲାଣି।
ଗତକାଲି ଭୁବନେଶ୍ୱର ଦେଶର ଦ୍ୱିତୀୟ ସର୍ବାଧିକ ଉତ୍ତପ୍ତ ସହର ଥିଲା। ଏହାସହ ଦେଶର ୧୦ଟି ସବୁଠୁ ଉତ୍ତପ୍ତ ସହର ତାଲିକାରେ ଭୁବନେଶ୍ୱର ସମେତ ଅନୁଗୁଳ, ଝାରସୁଗୁଡ଼ା, ବାରିପଦା ବି ରହିଥିଲା।
ରାଜ୍ୟର ୧୩ଟି ସ୍ଥାନରେ ତାପମାତ୍ରା ୩୭ ଡିଗ୍ରୀ ସେଲସିୟସରୁ ଉପରେ ରହିଥିବା ରେକର୍ଡ କରାଯାଇଛି ଅନୁଗୁଳରେ ସର୍ବାଧିକ ୩୯.୭ ଡିଗ୍ରୀ, ଟିଟିଲାଗଡରେ ୩୯.୫ ଏବଂ ଭୁବନେଶ୍ୱରରେ ୩୯.୨ ଡିଗ୍ରୀ ରେକର୍ଡ କରାଯାଇଛି।
ଭୁବନେଶ୍ୱର ଓ ତାର ଆଖପାଖ ଅଞ୍ଚଳରେ ଆକାଶ ନିର୍ମଳ ରହିଥିବା ବେଳେ ରାଜ୍ୟରେ ଆଉ କିଛି ସ୍ଥାନରେ ସକାଳ ସମୟରେ କୁହୁଡି ପଡିବା ନେଇ ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ ସୂଚନା ମିଳିଛି। ଅନ୍ୟପଟେ ମାର୍ଚ୍ଚ ୯ ପର୍ଯ୍ୟନ୍ତ ଜଗତସିଂହପୁର, କେନ୍ଦ୍ରପଡ଼ା, କଟକ, ପୁରୀ, ଗଞ୍ଜାମ, ବାଲେଶ୍ୱର, କେନ୍ଦୁଝର, ମୟୂରଭଞ୍ଜ ଜିଲ୍ଲାରେ କାଳ ବୈଶାଖୀ ସମ୍ଭାବନା ରହିଛି।
ଗୋଟିଏ ଦୁଇଟି ସ୍ଥାନରେ ବର୍ଷା ସହ ଘଣ୍ଟା ପ୍ରତି ୫୦ରୁ ୬୦ କିଲୋମିଟର୍ ବେଗରେ ପବନ ବହିବା ସମ୍ଭାବନା ଥିବା କଥା ପୂର୍ବାନୁମାନ କରିଛି ଆଞ୍ଚଳିକ ପାଣିପାଗ କେନ୍ଦ୍ର।