ତହସିଲଦାର ଗିରଫ; ଗାଡ଼ିରୁ ବାହାରିଲା ଲକ୍ଷଲକ୍ଷ ଟଙ୍କା

ଭୁବନେଶ୍ୱର: ଗାଡ଼ିରୁ ଲକ୍ଷଲକ୍ଷ ନଗଦ ଟଙ୍କା ମିଳିବା ପରେ ସୁନ୍ଦରଗଡ଼ ଜିଲ୍ଲା ଲାଠିକଟା ବ୍ଲକ୍ ତହସିଲଦାର ବିଜୟ କୁମାର ବେହେରାଙ୍କୁ କଟକ ଭିଜିଲାନ୍ସ ସେଲ୍ ଗିରଫ କରିଛି।

ଗତକାଲି ତହସିଲଦାର ଏକ କାର୍‌ରେ ତାଙ୍କ ଘର ଛତ୍ରପୁରକୁ ଯାଉଥିବା ବେଳେ ଭିଜିଲାନ୍ସ ଟିମ୍ ପାଲଲହଡ଼ା ଠାରେ ତାଙ୍କୁ ଅଟକାଇଥିଲେ ।  ସେଠାରେ ତାଙ୍କ ନିକଟରୁ ନଗଦ ୫ଲକ୍ଷ ୫୪ ହଜାର ଟଙ୍କା ଓ ତାଙ୍କ ସାଙ୍ଗରେ ଥିବା ଲାଠିକଟା ତହସିଲର ପୂର୍ବତନ ରାଜସ୍ୱ ସୁପରଭାଇଜର ପ୍ରମୋଦ ବେଉରାଙ୍କ ଠାରୁ ୧ଲକ୍ଷ ୯୮ ହଜାର ଟଙ୍କା ଜବତ ହୋଇଥିଲା।

ଏହାପରେ ତହସିଲଦାରଙ୍କୁ ଭିଜିଲାନ୍ସ ଗିରଫ କରିବା ସହ ପ୍ରମୋଦଙ୍କୁ ପଚରାଉଚରା କରୁଛି। ଏଥିସହ ବିଜୟଙ୍କ ଛତ୍ରପୁର ସ୍ଥିତ ନିଜ ଘର, ଶ୍ୱଶୁର ଘର, ଲାଠିକଟା ସ୍ଥିତ କାର୍ଯ୍ୟାଳୟ ଓ ସରକାରୀ କ୍ୱାର୍ଟର୍ସରେ ଭିଜିଲାନ୍ସ ଟିମ୍‌ ଚଢ଼ାଉ କରିଛି।

ପ୍ରମୋଦ ବେଉରାଙ୍କ କୁଆଁରମୁଣ୍ଡା ଘରେ ମଧ୍ୟ ଭିଜିଲାନ୍ସ ଚଢ଼ାଉ କରିଛି । ଏତେ ପରିମାଣର ଟଙ୍କା ନେଇ ଉଭୟେ କୁଆଡ଼େ ଯାଉଥିଲେ ସେନେଇ ଖୋଳତାଡ଼ କରୁଛି ଭିଜିଲାନ୍ସ।

You might also like
Comments
Loading...