‌ଏଠି ବାଟ ହୁଡ଼ିଛି ସ୍ୱଚ୍ଛ ଭାରତ ମିଶନ

କେନ୍ଦୁଝର/ ବାଲେଶ୍ୱର: ବିପର୍ଯ୍ୟସ୍ତ କେନ୍ଦ୍ର ସରକାରଙ୍କ ସ୍ୱଚ୍ଛ ଭାରତ ମିଶନ। କେଉଁଠି ଠିକାଦାର ଠିକ୍ ଭାବେ ପାଇଖାନା ନିର୍ମାଣ କରିନାହିଁ ତ, ଆଉ କେଉଁଠି ପାଇଖାନା ଥାଇ ମଧ୍ୟ ପାଣିର ଅଭାବ ଯୋଗୁଁ ଏହା ବ୍ୟବହାର ହୋଇ ପାରୁନାହିଁ। କେନ୍ଦୁଝର ଓ ବାଲେଶ୍ୱର ଜିଲ୍ଲାରେ ଏହିଭଳି ଚାଲିଛି ସରକାରଙ୍କ ସ୍ୱଚ୍ଛ ଭାରତ ଯୋଜନା।

ପାଇଖାନା ଅଛି ହେଲେ, ବ୍ୟବହାର ଅନୁପଯୋଗୀ ହୋଇ ପଡ଼ି ରହିଛି। କେଉଁଠି ସଠିକ୍ ମାପର ସକପିଟ୍ ନିର୍ମାଣ ହୋଇନି ତ ଆଉ କେଉଁଠି ଟାଙ୍କିର ଢାଙ୍କୁଣି ନାହିଁ। କେବଳ ୨ ଥାକ ଇଟା ଯୋଡ଼ା ହେଇଛି। ଫଳରେ ବାଧ୍ୟ ହୋଇ ବାହାରକୁ ଶୌଚ ପାଇଁ ଯାଉଛନ୍ତି କେନ୍ଦୁଝର ଜିଲ୍ଲାର ଝୁମ୍ଫୁରା ବ୍ଲକ ତେଲିଅରଶଳା ପଞ୍ଚାୟତର ବାସିନ୍ଦା।

ଏଠି ହିତାଧିକାରୀଙ୍କ ବଦଳରେ କାମ କରୁଛନ୍ତି ଠିକାଦାର। କେବଳ ତେଲିଅରଶଳା ନୁହେଁ ସଦର ବ୍ଲକ ଟିକରପଡ଼ାରେ ମଧ୍ୟ ସମାନ ଅବସ୍ଥା। ଏହି ଦୁଇ ପଞ୍ଚାୟତରେ ହିତାଧିକାରୀଙ୍କ ମିଥ୍ୟା ବିଲ୍ ଦେଖାଇ କଣ୍ଟ୍ରାକ୍ଟର ଅର୍ଥ ହଡ଼ପ କରିଥିବା ଅଭିଯୋଗ ହୋଇଛି।

ଖାଲି କେନ୍ଦୁଝର କାହିଁକି ବାଲେଶ୍ୱର ଜିଲ୍ଲାରେ ମଧ୍ୟ ବାଟ ହୁଡ଼ିଛି ସରକାରଙ୍କ ସ୍ୱଚ୍ଛ ଭାରତ ମିଶନ। ନୀଳଗିରି ବ୍ଲକ ଜାମ୍ବୁଡ଼ିଆ ପଞ୍ଚାୟତର ବାଘମରା ଗାଁରେ ପାନୀୟ ଜଳ ଟୋପେ ପାଇଁ ଚୁଆ ଉପରେ ନିର୍ଭର କରିବାକୁ ପଡୁଛି। ଏଠାରେ ବିନା ପାଣିରେ ପାଇଖାନା କିଭଳି ବ୍ୟବହାର କରିବେ ତାକୁ ନେଇ ପ୍ରଶ୍ନ କରିଛନ୍ତି ଗ୍ରାମବାସୀ। ଫଳରେ ପାଇଖାନା ନିର୍ମାଣ ହେବା ଦିନଠାରୁ ବ୍ୟବହାର ନ ହୋଇ ପଡ଼ିରହିଛି। ତେବେ କମ୍ ଜଳରେ ଲୋକେ କିଭଳି ଟଏଲଟ ବ୍ୟବହାର କରିବେ ସେ ନେଇ ପଦକ୍ଷେପ ନିଆଯିବ ବୋଲି କହିଛନ୍ତି ନୀଳଗିରି ଉପଜିଲ୍ଲାପାଳ।

 

You might also like